ମଣିଷପଣିଆ

ଠେଲା ଘର ଭିତରେ ଚାର୍ଟ ଉପକରଣ ରଖି ରାମୁ ଠେଲି ଠେଲି ନେଇଆସେ ଦାସବାବୁଙ୍କ ଦାଣ୍ଡଦୁଆର ଯାଏଁ. ରାମୁ ଜାଣେ ଏ ପଡାରେ ପଡାରେ ଥିବା ତ୍ରିପାଠୀ ବାବୁଙ୍କ ଦାଣ୍ଡ ଦୁଆରେ ଗାଈ ବନ୍ଧା ହୋଇଥିବେ, ମହାନ୍ତି ବାବୁଙ୍କ ମାଆ ଦାଣ୍ଡ ଦୁଆରେ ତୁଳସୀ ବୃକ୍ଷ ମୂଳେ ପାଣି ଦେବା ସହ ପିଢା ଉପରେ ବସି ମାଳି ଗଡେଇ ଗଡେଇ ରାମ ରାମ ଜପୁଥିବେ. ପଟ୍ଟନାୟକ ବାବୁଙ୍କ ନାତି ଟୋକା ନୂଆ ଚାଲି ଶିଖୁଛି ତ ଦାଣ୍ଡଦୁଆରେ ତା ସାଇକେଲ ଅର୍ଥାତ ତିନି ଚକିଆ କାଠ ଶଗଡି ପରିବର୍ତ୍ତେ ଲୁହା ଶଗଡି ଚଲାଉଥିବ ଆଉ ପିଣ୍ଢା ଉପରୁ ଜେଜେ ତାର କହୁଥିବେ ଚାଲି ଚାଲି.. ବନମାଳୀ… ଦିଅ ତାଳି. ଆଉ ମିଶ୍ର ବାବୁ ତ ଦାଣ୍ଡ ଦୁଆରେ ଫୁଲକୁଣ୍ଡ ସବୁ ସଜାଡି ପାଣି ଦେଉଥିବେ ଯେ କହିବେ ଆରେ ଚାର୍ଟ ଠେଲା ଗାଡି ଏଠି ରଖିଲେ ସେ ପ୍ରଜାପତି, ଭଅଁର, ମହୁମାଛି ସବୁ ଏ ଫୁଲ ଉପରେ ଗୁଣୁ ଗୁଣୁ ଗୀତ ଗାଇବାକୁ ଆସିବେ ନା ତୋ ଠେଲା ଘର ଭିତରୁ ଆସୁଥିବା ବାସ୍ନା ସବୁକୁ ଆଘ୍ରାଣ କରୁ କରୁ ବାଟ ଭୁଲିଯିବେ ତ ରାମୁ ସିଧା ଦାସବାବୁଙ୍କ ଘର ସାମ୍ନାରେ ଠେଲା ଗାଡିଟାକୁ ରଖିନିଏ. ସନ୍ଧ୍ୟା ହେଲେ ଠେଲା ଗାଡି ଘରର ଦୁଆର ଝରକା ଖୋଲି ଦେଇ ଦୋକାନ ରୂପେ ସଜେଇ ଲାଗିପଡେ ଚାର୍ଟ ପ୍ରସ୍ତୁତରେ. ଗଲା ଆସିଲା ବାଟୋଇମାନେ କିଣି ଖାଆନ୍ତି କିନ୍ତୁ ପିକ, ଖଣ୍ଡିଆ ସିଗେରେଟ, ଛେପ ଖଙ୍କାରରେ ପୋତି ପକାନ୍ତି ଦାସବାବୁଙ୍କ ଦାଣ୍ଡ ଦୁଆର. ଏମିତିକି ତାଙ୍କ ପୁଅର ଚାରିଚକିଆ ଆସିଲେ ଓ ନିଜେ ଦାସବାବୁଙ୍କ ଦୁଇଚକିଆ ବାଇକ ଘର ଭିତରକୁ ଯିବା ପୂର୍ବରୁ ପଙ୍କ ହୁଏ. ରାମୁକୁ କିଛି କହନ୍ତି ନାହିଁ ଦାସବାବୁ ସତ ହେଲେ ରାମୁକୁ ଖରାପ ଲାଗେ.
ଏଇ ଜାଗାଟାରେ ବିକ୍ରିବଟା ଭଲ ହୋଇ ବେପାର ଭଲ ହେବାରୁ ଋଣ କରି କିଣିଥିବା ଠେଲାଘରପାଇଁ ମାସିକ କିସ୍ତି ଯୋଗାଡ଼ କରି ହୁଏ. ତା ସହିତ ଏବର୍ଷ ପୁଅର ମୋବାଇଲ କିଣା ଖର୍ଚ୍ଚ ଓ ଝିଅ ବାହାଘର ପାଇଁ କିଛି କିଛି ସଂଚୟ ମଧ୍ୟ ହୋଇଯାଏ. ଜାଗାଟା ରାମୁକୁ ଲଷ୍ମୀ ଅଛନ୍ତି ପରି ପ୍ରତେୟମାନ ହୁଏ.ସେଦିନ ରାମୁର ଚାର୍ଟ ଠେଲାଗାଡି ଘର ଖୋଲିନଥାଏ. ସପରିବାର ଗାଁକୁ ଯାଇଥାଏ ରାମୁ. କୃଷ୍ଣ ଜନ୍ମ ଗାଁରେ ଧୁମଧାମ ପାଳିତ ହୁଏ. ଏବର୍ଷ ମଧ୍ୟ ଗାଁରେ ଧୁମଧାମରେ ଜନ୍ମ ଉତ୍ସବ ପାଳିତ ହେଉଥାଏ. ପିଲାଦିନ ବନ୍ଧୁ ମାଧବ ରାମୁ କାନେ କାନେ କହୁଥାଏ ବୁଝିଲୁ ସାଙ୍ଗ ଆମ ଗାଁରେ ଆମେ କେମିତି ପରମ୍ପରା ଓ ପ୍ରଥା ବଜାୟ ରଖିଛୁ ସେ ଦେଖିଲେ ସିନା ଜାଣନ୍ତା? ଆରେ କିଏ? ସେଇ ମ, ସହରିଆ ଭାଇ ଜଣେ.କହୁଥିଲା ଯିଏ ସଂସ୍କୃତି, ପରମ୍ପରା, ପ୍ରଥା କଥା କହୁଛି ତାଙ୍କ ଭିତରୁ କେତେ ଜଣ ଗାଁ ଅବଧାନଙ୍କ ପାଖେ ପିଲାଙ୍କୁ ପାଠ ପଢ଼ାଉଛନ୍ତି? କେତେଜଣ ପର୍ବ ପର୍ବାଣୀ ମାନି ଗାଁକୁ ଆସି ଗାଁ ମୁଣ୍ଡ ଟୁଙ୍ଗି ଘରେ ଏକତ୍ରିତ ହେଉଛନ୍ତି ବା ରଜରେ ଝିଅ ମାନଙ୍କୁ ଗୁଆ ଖୋଳପା ପିନ୍ଧାଉଛନ୍ତି, ଛତା ବଦଳରେ ପଖିଆ ଘୋଡ଼ି ହେଉଛନ୍ତି?ମାଧବ ପ୍ରଶ୍ନର ଉତ୍ତର ଭିତରେ ରାମୁର ମନେପଡୁଥିଲା ଦାସବାବୁଙ୍କ ଘର ଓ ଦାସ ବାବୁଙ୍କ ପରିବାର କଥା. ଆଜି ଘରେ ଘରେ ତୋରଣ, ସାଜସଜ୍ଜା ହୋଇ ଆଲୋକ ଜଳି ସଭିଙ୍କ ଘର ସୁନ୍ଦର ଦିଶୁଥିବ କିନ୍ତୁ ତା ଠେଲା ଗାଡି ଯୋଗୁଁ ଦାସବାବୁ କେତେ ହଇରାଣ ହୋଇଥିବେ ସତେ. ତୋ ଗାଡି ଆମ ପଡ଼ାରେ ରଖୁଛୁ କହି ମିଶ୍ରବାବୁ, ତ୍ରିପାଠୀବାବୁ, ମହାନ୍ତିବାବୁଘର ଲୋକେ ଚାର୍ଟ କିଣି ନେଲାବେଳେ କମ ପଇସା ଦେବା ସହ ଆଉ ଟିକେ ଅଧିକା ମାଗିବା ବେଳେ ଦାସ ବାବୁ ଚାର୍ଟ କିଣିବା କଥା ଛାଡ଼ କୋଉଦିନ ତୁମ ଠେଲା ଘର ଗାଡି ଯୋଗୁଁ କେତେ ଅସୁବିଧା ହୁଏ ଆମର ଭାବିଛ ବୋଲି ବି କହିନାହାଁନ୍ତି. ପୂଜା ଆଧାରୁ ଦୌଡ଼ିଲା ରାମୁ ସାଇକେଲରେ. ଯାଉ ଯାଉ ମାଧବକୁ କହିଲା ଯୁଗ ପରିବର୍ତ୍ତନଶୀଳରେ ମାଧବ କିନ୍ତୁ ମଣିଷପଣିଆ ବା ମାନବିକତା ନଥିଲେ କି ପ୍ରଥା, ପରମ୍ପରା କି ସଂସ୍କୃତି!
ରାମୁ ପହଁଚିଲା ବେଳକୁ ଦାସବାବୁଙ୍କ ଦୁଆରେ ତା ଠେଲା ଗାଡି ଘର ନଥିଲା. ଦାସବାବୁ ରାମୁକୁ ଦେଖି ଡାକୁଥିଲେ ଆସ ଆସ ରାମୁ, ଜନ୍ମାଷ୍ଟମୀ ପୂଜା ଚାଲିଛି. ପୂଜା ସରିଲେ ପୁଷ୍ପାଞ୍ଜଳି ଦେବ, ପ୍ରସାଦ ପାଇବ. କଣ ଗାଁକୁ ଯାଇନାହଁ କି?ତୁମ ଗାଡି ଆମେ ବାପା ପୁଅ ମିଶି ଭିଡି ନେଇ ସେ ବରଗଛ ମୂଳେ ରଖିଛୁ. ସାଜସଜ୍ଜା ହେବାର ଥିଲା ତ ସେଇଥିପାଇଁ. ପୂଜା ସରିଲେ ପୁଣି ଆଣି ରଖିଦେବୁ ବ୍ୟସ୍ତ ହୁଅନା. ପୂଜା ସରିଲା. ନିଜେ ଦାସ ବାବୁ ଆଳତି କର୍ପୁର ସମସ୍ତଙ୍କ ଆଖିରେ ଦେଲେ. ପୁଷ୍ପାଞ୍ଜଳି ପାଇଁ ଫୁଲ ଦେଇ ସାରି ଦାସବାବୁଙ୍କ ସହ ସମସ୍ତେ ପୁଷ୍ପାଞ୍ଜଳି ଦେବା ବେଳେ ରାମୁ ଫୁଲ ସବୁ ଦାସବାବୁଙ୍କ ପାଦ ତଳେ ଥୋଇ କହିଲା ହେ କୃଷ୍ଣ, ଆପଣ ନମସ୍ୟ. ଏ କଳି ଯୁଗର ବ୍ୟତିକ୍ରମ. ଆଶ୍ଚର୍ଯ୍ୟ ହୋଇ ଦାସବାବୁ କିଛି କହିବା ପୂର୍ବରୁ ରାମୁ ତା ଠେଲା ଘର ଗଡେଇ ଆଗକୁ ଚାଲୁଥିଲା. ପଛରୁ ଦାସବାବୁ ରାମୁ.. ରା.. ମୁ, ପ୍ରସାଦ ପାଇକି ଯିବ ରୁହ କହି ଡାକ ଛାଡିଥିଲେ.
ସୁନନ୍ଦା ମହାନ୍ତି
ସାକ୍ଷିଗୋପାଳ
ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ