ମଣିଷର ଚକ୍ରବ୍ୟୁହରେ ପ୍ରକୃତି
ହଳଧର ଧୀର
ଜଙ୍ଗଲ ହିଁ ସମ୍ପଦ, ଜୀବଜଗତର କଲ୍ୟାଣ ପାଇଁ ଜଙ୍ଗଲ ହିଁ ଏକମାତ୍ର ଭରଷା । ପ୍ରକୃତିର ସବୁଜିମାରେ ହସି ଉଠୁଥିଲା ଜଗତ । ବଣ ପାହାଡର ବୃକ୍ଷଲତାର ଗହଳରେ ଖେଳୁଥିଲେ ସିଂହ ଆଉ ଠେକୁଆର ସାବକମାନେ । ପକ୍ଷୀର ଗୁଞ୍ଜନ ମୁଖରୀତ କରୁଥିଲା ଘଞ୍ଚ ବନାନୀ । ମନରେ ସେମାନଙ୍କର ଦ୍ୱନ୍ଦ୍ୱ ନଥିଲା କି ଭୟ ବି ନଥିଲା । ନିର୍ଭୟରେ ସ୍ୱାଧୀନ ଭାବେ ବିଚରଣ କରୁଥିଲେ ଜଙ୍ଗଲ ଅଞ୍ଚଳରେ । ନାନା ଜାତି ଫୁଲର ମହକରେ ହସି ଉଠୁଥିଲା ବନଭୂମିି । ତାର ମହକରେ ମହକି ଉଠୁଥିଲେ ବନବାସୀ ଓ ଆଖପାଖର ବନ ବନ୍ଧୁମାନେ । ଆଦିବାସୀ ରମଣୀର ଜୁଡାରେ କୋରେଇ ଫୁଲର ଶୋଭା ଅବର୍ଣ୍ଣନୀୟ । ରାତି ବଢିଲେ କୋରେଇ ଫୁଲ ଓ ମହୁଲର ବାସ୍ନା ଆଉ ମାଦଲର ତାଳେ ନୃତ୍ୟରତା ଆଦିବାସୀ ରମଣୀମାନଙ୍କୁ ଦେଖିଲେ ଯେପରି ମନେ ହୁଏ ସତେ ଇନ୍ଦ୍ରସଭାର ଉର୍ବଶୀମାନେ ପୃଥୀବୀକୁ ଆସି ନୃତ୍ୟ ପରିବେଷଣ କରୁଛନ୍ତି । ସକାଳ ସୂର୍ଯ୍ୟର ଶୀତଳ କିରଣ ଓ ଦଲକାଏ ପବନରେ ଆଖିପତା ମୁଦି ହୋଇଯାଏ କ୍ଳାନ୍ତ ବନବାଳାମାନଙ୍କର । କୁଳୁକୁଳୁ ଝରଣାର ଜଳ ସତେ କେତେ ସ୍ୱଚ୍ଛ ଆଉ ଜମିକୁ ଯୋଗାଉଥିଲା ପଟୁମାଟି । ଘଞ୍ଚ ଜଙ୍ଗଲର ଶୀତଳ ପବନରେ ନିର୍ଦ୍ଦିଷ୍ଟ ରୀତି ଓ ଋତୁର ନିୟମରେ ମୌସୁମୀ ପ୍ରବାହର ନିୟମିତ ଧାରା ଯୋଗୁଁ ପ୍ରତିଟି ଋତୁ ନିଜକୁ ଗୌରବାନ୍ୱିତ ମନେ କରୁଥିଲେ । ଆଉ ମଣିଷ ଆନନ୍ଦରେ ନିଜର ସୁଖ ସ୍ୱପ୍ନକୁ ସାକାର କରୁଥିଲା ନିଜ ସୁନାର ଫସଲରେ । ଆଧୁନିକ ମଣିଷ କାଳକ୍ରମେ ଶିଳ୍ପବିପ୍ଲବର ସ୍ୱପ୍ନ ଦେଖିଲା । ସବୁଜିମା ଭରା ବଣ ପାହାଡ ପର୍ବତର ଛାତି ଚିରି ତାକୁ କ୍ଷତାକ୍ତ କରି ପ୍ରାକୃତିକ ସବୁଜିମାକୁ ଛାରଖାର, ନାରଖାର କରିବାକୁ କୁଣ୍ଠାବୋଧ କଲାନାହିଁ ଏ ଅତ୍ୟାଧୁନିକ ମଣିଷ । ଚାହୁଁ ଚାହୁଁ ଏ ମଣିଷ ଏତେ ଉଗ୍ର ଆଉ ସ୍ୱାର୍ଥନ୍ଧ ହୋଇ ଉଠିଲା ଯେ ସେ ଭୁଲିଗଲା ତା ଅତୀତର ସେହି ସ୍ମୃତିକୁ । ପିଲାବେଳର ସେହି ନୈସର୍ଗୀକ ପ୍ରକୃତିର ହସକୁ, ତାର ସବୁଜିମାକୁ । ତା ଫୁଲର ମହକକୁ, ଫଳର ସ୍ୱାଦକୁ, ଝରଣାର ସ୍ୱଚ୍ଛ କାଚକେନ୍ଦୁ ପରି ଜଳକୁ । ଆଉ ଭୁଲିଗଲେ ପିଲାଦିନେ ଠେକୁଆ ଓ କଉତିକିଆ ବନଜନ୍ତୁଙ୍କ ସହ ିଖେଳୁଥିବାର ଦୃଶ୍ୟପଟ୍ଟକୁ । ସତରେ କି ବିଚିତ୍ର ଏ ଆଧୁନିକ ମଣିଷ । ନିଜ ଗାଁ, ମା ମାଟି, ପ୍ରକୃତିଦତ୍ତ ସବୁଜିମାଠାରୁ ନିଜକୁ ଦୂରେଇ ନେଇ କଂକ୍ରିଟ ଜଙ୍ଗଲରେ ବିଚରଣ କରିବା ପରେ ସେବା କିପରି ଅନୁଭବ କରିବ ପ୍ରକୃତିର ଅବଦାନକୁ । ସମୟ ବଦଳିଯାଇଛି । ମଣିଷ ପ୍ରକୃତିର ନିୟମକୁ ଉଲଙ୍ଘନ କରିବାକୁ ତିଳେ ହେଲେ କୁଣ୍ଠାବୋଧ କରିନାହିଁ । ଏହି ସ୍ୱାର୍ଥନ୍ୱେସୀ ମଣିଷ ଅହଂ ଓ ଗର୍ବକୁ ଖର୍ବ କରିବା ପାଇଁ ପ୍ରକୃତି ବି ଆଜି କଠୋର ଭାବ ଆଚରଣ କଲାଣି । ପ୍ରକୃତି ବି ନୂଆ ନୂଆ କରାଳ ଉଗ୍ର ରୂପରେ ଆକସ୍ମିକ ଭାବେ କେତେବେଳେ ପ୍ରବଳ ରୌଦ୍ରତାପ-ଗ୍ରୀଷ୍ମ ପ୍ରବାହରେ ତ, ପୁଣି ଅଦିନିଆଁ ଝଡ ବର୍ଷାରେ, ବାତ୍ୟା, ମହାବାତ୍ୟା, ଘୂର୍ଣ୍ଣିବାତ୍ୟାର ଭୟାବହତାରେ ଆଉ କଳ୍ପନାତୀତ ସୁନାମୀର କରାଳ ରୂପରେ । ମଣିଷ ଜାତିକୁ ଯେତେ କଠୋର ଭାବରେ ଉଚିତ୍ ଶିକ୍ଷା ଦେଲେ ମଧ୍ୟ ସେ ପ୍ରକୃତିର ଚେତାବନୀକୁ ତାର ଖିଆଲି ମନରେ କେତୋଟି ମୁହୂର୍ତ୍ତରେ ଭୁଲିଯାଏ । ଆଉ ଯେଉଁ କେତେକ ସ୍ୱଚ୍ଛ ଓ ତ୍ୟାଗୀ ମଣିଷ ପ୍ରକୃତିର ଉପାସକ ରହିଲେ ସେମାନେ ପ୍ରକୃତିର ଚେତାବନୀ ଓ ତା’ର ଭୟାବହତାକୁ ଉପଲବ୍ଧି କରି ମଣିଷ ସମାଜରେ ପ୍ରକୃତିର ନିୟମକୁ ଉଲଙ୍ଘନ ନକରି ଅକ୍ଷରେ ଅକ୍ଷରେ ପାଳନ କରିବାକୁ ସେମାନଙ୍କର ନିଷ୍ଠାପର ଉଦ୍ୟମ ଜାରି ରଖିଛନ୍ତି । କଂକ୍ରିଟ ଜଙ୍ଗଲର ହିଂସ୍ର ଜୀବଜଗତକୁ ବାରବାର ସତର୍କବାଣୀ ଶୁଣାଇ ଆସୁଛନ୍ତି । ଏଥିପାଇଁ ସେମାନଙ୍କୁ ବହୁମୂଲ୍ୟ ମଧ୍ୟ ଦେବାକୁ ପଡୁଛି ।