ମଣିଷ କରିବା ବଦଳରେ ମେସିନ୍ କରୁଛି କାମ
ମାଲକାନଗିରି,(ଡଃ ଶିବ ନାରାୟଣ ପାତ୍ର):ମନରେଗା ଯୋଜନାରେ ମଣିଷ ବଦଳରେ ମେସିନରେ କାମ ଚାଲିଛି। ସରକାରୀ ପାଣ୍ଠିକୁ ଦୁରୁପଯୋଗ କରିବା ଅସାଧୁ ଠିକାଦାର ମାନଙ୍କ ଏକ ପେଶା ପାଲଟି ଯାଇଛି। ଅଳ୍ପ ଖର୍ଚ୍ଚରେ ଅଧିକା ଲାଭ କରିବା ଆଶାରେ ସରକାରୀ ଯୋଜନାର ଅପବ୍ୟବହାରକରି ମନରେଗା ଆଇନର ମୂଳ ଉଦ୍ଦେଶ୍ୟକୁ ଫୁ କରିଚାଲିଛନ୍ତି। ଏହିପରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଗୋମ୍ପାକୋଣ୍ଡା ପଞ୍ଚାୟତର ଏମ ଭି ୬୬ ଗ୍ରାମର ୩୨୬ନମ୍ୱର ଜାତୀୟ ରାଜପଥର ମାଟି ରାସ୍ତା କାମରେ। ସୂଚନା ମୁତାବକ ୩୨୬ ଜାତୀୟ ରାଜପଥରୁ ଏମ ଭି ୬୬ଗ୍ରାମ ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ଉନ୍ନତିକରଣ ପାଇଁ ୨୦୨୪/୨୦୨୫ ଆର୍ଥିକ ବର୍ଷ ମନରେଗା ଯୋଜନା ପାଇଁ ୪,୯୫, ୦୦୦ ଟଙ୍କା ଅଟକଳରେ ରାସ୍ତା କାମ ଚାଲିଥିବାବେଳେ ଏହି କାମ ନିମନ୍ତେ ଶ୍ରମିକ ମଜୁରୀ ନିମନ୍ତେ ୨,୮୬, ୫୨୮ଟଙ୍କା ପ୍ରଦାନ କରାଯାଇଛି। ଏଠାରେ ପ୍ରଶ୍ନ ଉଠୁଛି ଯେ କାମ ନ ସରୁଣୁ କିଭଳି ଭାବେ ଧାର୍ଯ୍ୟ ହୋଇଥିବା ମଜୁରୀ ଟଙ୍କାକୁ ପ୍ରଦାନ କରାଯାଇଛି। ମନରେଗା କାର୍ଯ୍ୟର ନିୟମାନୁଯାୟୀ ଏହି କାର୍ଯ୍ୟ ମଣିଷ କରିବା ବଦଳରେ କିପରି ମେସିନ୍ ମାଧ୍ୟମରେ ରାତି ଅଧିଆ କାମ କରାଯାଉଛି ତାହା ନିଶ୍ଚୟ ତଦନ୍ତ ସାପେକ୍ଷ ଅଟେ। ଅଳ୍ପ ପରିମାଣର ନିମ୍ନ ପରିମାଣର ମାଟି ପକେଇ କାମ କରିବା ଅଭିଯୋଗ ମଧ୍ଯ ହେଉଛି। ଯାହାକି ଅଳ୍ପ ବର୍ଷାରେ ମାଟି ଧୋଇ ହୋଇଯିବା ସମ୍ଭାବନା ମଧ୍ଯ ରହିଛି ବୋଲି ଗ୍ରାମବାସି କହୁଛନ୍ତି। ଗାଁରେ କାମଧନ୍ଦା ନଥିବା ବେଳେ ମନରେଗା କାମ ମାଧ୍ୟମରେ କିଛି କାର୍ଯ୍ୟ ପାଇଯିବା ଲକ୍ଷ୍ୟରେ ଗ୍ରାମବାସୀ ଚାହିଁଥିବା ବେଳେ ରାତି ଅଧିଆ ମେସିନ୍ ମାଧ୍ୟମରେ କାମ କରିବା ସହଜରେ ଗ୍ରହଣ କରିପାରୁନାହାନ୍ତି ଗ୍ରାମବାସୀ। ଏନେଇ ପଞ୍ଚାୟତବାସି ସଂପୃକ୍ତ ଠିକାଦାର ବିରୁଦ୍ଧରେ କନିଷ୍ଠ ଯନ୍ତ୍ରୀଙ୍କ ପାଖରେ ଅଭିଯୋଗ କରିବାରୁ ଏହା ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଥିବା ବେଳେ ଏ ସମ୍ପର୍କରେ ସମ୍ପୃକ୍ତ ଅଞ୍ଚଳରେ ଏସ ଡି ଓଙ୍କୁ ଯୋଗାଯୋଗ କରିବାରୁ ସେ ଅସୁସ୍ଥ ଅଛନ୍ତି ଏବଂ ସେଥିପାଇଁ ବାହାରେ ରହି ଚିକିତ୍ସିତ ହେଉଥିବା ଜଣାଇଛନ୍ତି।