ମଣ୍ଡିରେ ଧାନ ବିକ୍ରୀ ପାଇଁ ନାମ ପଞ୍ଜିକରଣ ହେଉନି : ରାସ୍ତାରୋକ ପାଇଁ ଚାଷୀଙ୍କ ଚେତାବନୀ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):ମଣ୍ଡିରେ ଧାନ ବିକ୍ରୀ କରିବା ପାଇଁ ନାମ ପଞ୍ଜିକରଣ ନିମନ୍ତେ ସମସ୍ତ ଆବଶ୍ୟକ କାଗଜାଦ ପ୍ରଦାନ ପରେବି ସମବାୟ ସମିତି ପକ୍ଷରୁ ଚାଷୀଙ୍କ ନାମ ପଞ୍ଜିକରଣ କରାଯାଇନଥିବା ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ଙ୍କ ନିକଟରେ ଅଭିଯୋଗ ହୋଇଛି । କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ଚାନ୍ଦିବାଉଁଶମୂଳ ପ୍ରାଥମିକ କୃଷି ସମବାୟ ସମିତିର ଋଣୀ ଚାଷୀମାନେ ଅଭିଯୋଗ କରିଛନ୍ତି ଯେ ସେମାନେ ୨୦୨୧-୨୨ ମସିହା ପାଇଁ ଧାନ ମଣ୍ଡିରେ ଧାନ ବିକ୍ରୀ କରିବା ନିମନ୍ତେ ନିଜ ନିଜର ନାମ ପଞ୍ଜିକରଣ ପାଇଁ ଆବଶ୍ୟକ ହେଉଥିବା ସମସ୍ତ କାଗଜାଦ ସମିତିରେ ଦାଖଲ କରିଥିଲେବି ସେମାନଙ୍କ ନାମ ପଞ୍ଜିକରଣ କରାଯାଇନଥିବା କହିଛନ୍ତି । ସେହି ସମିତି ଦାୟୀତ୍ୱରେ ଥିବା ଭାଟପଡା ସମିତିର ସମ୍ପାଦକ ନିଳମଣୀ ପ୍ରଧାନ, ପିଅନ ପ୍ରଭାତ କିଶୋର ରାଉତ ଏବଂ ପ୍ରାକ୍ତନ ସମିତି ସମ୍ପାଦକଙ୍କ ପୁଅ ଆଶିଷ ମିଲନ ଦାସ ପ୍ରମୁଖ ଆକ୍ରୋଶମୂଳକ ଭାବରେ ସେମାନଙ୍କ ନାମକୁ ପଞ୍ଜିକରଣ କରିନଥିବା ଅଭିଯୋଗ ହୋଇଛି । ଏସମ୍ପର୍କରେ ଚଳିତମାସ ୪ତାରିଖରେ ଅଭିଯୋଗକାରୀମାନେ ଜିଲ୍ଲାପାଳ, ସମବାୟ ସମିତି ସମୁହର ସହକାରୀ ନିବନ୍ଧକ, ରାଜ୍ୟ ନିବନ୍ଧକ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଅଭିଯୋଗ କରିଥିଲେ ବି ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା କହିଛନ୍ତି । ଆସନ୍ତା ୨୬ତାରିଖ ମଧ୍ୟରେ ଏହି ଘଟଣାର ତଦନ୍ତ କରାଯାଇ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସେମାନେ ବାଧ୍ୟ ହୋଇ ଚଳିତମାସ ୨୭ତାରିଖରେ ରାଜନଗର- ତାଳଚୁଆ ମୁଖ୍ୟ ରାସ୍ତାକୁ ଅବରୋଧ କରିବା ସହ ଚାନ୍ଦିବାଉଁଶମୂଳ ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ଏଥିସହିତ ଅଭିଯୋଗକାରୀଙ୍କ ମଧ୍ୟରୁ ଯଦି କୈାଣସି ଚାଷୀ ଆତ୍ମହତ୍ୟା କରନ୍ତି ସେଥି ପାଇଁ ପ୍ରଶାସନ ଦାୟୀ ରହିବ ବୋଲି ଶ୍ରୀନିବାସ ଜେନା, ବସନ୍ତ କୁମାର ସ୍ୱାଇଁ, ଅନାଦି ରାଉତ, ବିଷ୍ଣୁ ଚରଣ ସ୍ୱାଇଁ, ଅଭିରାମ ଖଟୁଆ, ଗୋବିନ୍ଦ ମଣ୍ଡଳ, ହାଡିବନ୍ଧୁ ପାଢୀ, ରୋହିତ ସ୍ୱାଇଁ, ପ୍ରଶାନ୍ତ କୁମାର ଦାସ, ବିଘ୍ନେଶ୍ୱର ଦାସ, ଉପେନ୍ଦ୍ର ବାଗ ପ୍ରମୁଖ ଚାଷୀମାନେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ଙ୍କୁ ଭେଟି ଅଭିଯୋଗ ପତ୍ର ପ୍ରଦାନ କରି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ