ମଣ୍ଡି ଅବ୍ୟବସ୍ଥାରେ ହସ୍ତକ୍ଷେପ କରିବା ପାଇଁ ନବୀନଙ୍କୁ କୃଷକ ନେତାଙ୍କ ପତ୍ର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସମଗ୍ର ରାଜ୍ୟରେ ଧାନ ବିକ୍ରି ସମୟରେ ଚରମ ଅବ୍ୟବସ୍ଥା, ମଣ୍ଡିରେ ଦଲାଲ, ଗୁଣ୍ଡା ଓ ରାଜନେତାଙ୍କ ହସ୍ତକ୍ଷେପ, ମିଲରମାନେ ଜବରଦସ୍ତ ଗରିବ ଚାଷୀଙ୍କ ଠାରୁ କୁଇଣ୍ଟାଲ ପିଛା ୯ରୁ ୧୨ କେଜି ପର୍ଯ୍ୟନ୍ତ କାଟ ନେବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ହସ୍ତକ୍ଷେପ କରିବା ପାଇଁ ନବନିର୍ବାଣ କୃଷକ ସଂଗଠନ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦାବି ଜଣାଇଛନ୍ତି ।ଶ୍ରୀ ନନ୍ଦ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, କୋରାପୁଟ, ମୟୁରଭଞ୍ଜ ଠାରୁ ଆରମ୍ଭ କରି ନୟାଗଡ଼ ପର୍ଯନ୍ତ ମଣ୍ଡିମାନଙ୍କରେ ଯଥାକ୍ରମେ ୧୨ କେଜି, ୧୦ କେଜି ଓ ୯ କେଜି ଧାନର ମାନ ଠିକ୍ ନାହିଁ କହି ମିଲରମାନେ କାଟି ନେଉଛନ୍ତି । ଏହାଦ୍ୱାରା ମିଲରମାନେ କୋଟି କୋଟି ଟଙ୍କାର ମୁନାଫା ଉଠାଇଲା ବେଳେ ଚାଷୀମାନେ ଚରମ ଅସହାୟତାର ଶିକାର ହେଉଛନ୍ତି । ସ୍ଥଳବିଶେଷରେ ସମବାୟ ସଭାପତି, ସମ୍ପାଦକ, ଯୋଗାଣ ଅଧିକାରୀ, ସମବାୟ ସହନିବନ୍ଧକ, ଉପଜିଲ୍ଲାପାଳ, ଏଡିଏମ୍ ଏ ସମସ୍ତେ ଚାଷୀ ପିଠିରେ କେହି ପଡ଼ୁନାହାଁନ୍ତି । ଏ ସମସ୍ତଙ୍କ ମଧ୍ୟରେ ଧାନ ସଂଗ୍ରହରୁ ବ୍ୟାପକ ଅର୍ଥ ସଂଗ୍ରହ କରିବା ପାଇଁ ଏକ ବଡ଼ ଧରଣର ଅସାଧୁ ମେଣ୍ଟ ହୋଇଛି । ଏହି ଅସାଧୁ ମେଣ୍ଟ ଆଗରେ ସମସ୍ତ ଆନ୍ଦୋଳନ ଓ ଭଲ ପ୍ରଶାସକଙ୍କ ନିଷ୍ପତ୍ତି କିଛି ବି କାଟୁ କରୁନାହିଁ । ଏଣୁ ଏଭଳି ବିଶେଷ ପରିସ୍ଥିତିରେ ଆପଣ ଯଦି ସ୍ୱତନ୍ତ୍ର ବିଭାଗୀୟ ବୈଠକ ଡ଼କାଇ କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି, ତେବେ ଚାଷୀମାନଙ୍କ ଅବସ୍ଥା ଅସମ୍ଭାଳ ହେବ ଓ ଆମ୍ଭେମାନେ ଚରମ ଆନ୍ଦୋଳନାତ୍ମକ ନିଷ୍ପତ୍ତି ନେବାକୁ ବାଧ୍ୟ ହେବୁ । ଏଇ ନିକଟରେ ଆମ୍ଭେ ଆପଣଙ୍କ ଘର ଆଗରେ ଶାନ୍ତିପୂର୍ଣ୍ଣ ଭାବେ ଧାନବସ୍ତା ନେଇ ବିକ୍ଷୋଭ କରିଥିଲୁ । ଆମର ଭରସା ଥିଲା ଆପଣ ଏହି ଧାନକାଟ ସଂକ୍ରାନ୍ତରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବେ । କିନ୍ତୁ ଦୁର୍ଭାଗ୍ୟ ହକି ଖେଳ କାମ ଯେତେ ନିଷ୍ଠାରେ ଚାଲଛି, ଧାନକିଣା କାମ ଆଦୌ ଶୃଙ୍ଖଳିତ କିମ୍ବା ଦୁର୍ନୀତିମୁକ୍ତ ହେଉନାହିଁ । ଧାନକିଣା ଦୁର୍ନୀତିର ପରିମାଣ ନେଇ ଆପଣ ଅବଗତ ନଥିବେ । ଏହା ଆଦୌ ୧୫୦୦କୋଟିରୁ କମ୍ ନୁହେଁ । ଖଣି ଖାଦାନ, ଲଘୁଖଣି ସମ୍ପଦ ଚୋରି ହେଲେ ତାହା ରାଜ୍ୟର ସମ୍ପତ୍ତିରୁ ଚାଲିଯାଏ । ହେଲେ ଏବେ ସିଧାସଳଖ ନିରୀହ ଗରିବ ଲୋକଙ୍କ ପେଟ କଟାହେଉଛି । ଗୋଟିଏ ଗଣତାନ୍ତ୍ରିକ ଜନମଙ୍ଗଳ ରାଷ୍ଟ୍ରରେ ଏଭଳି ଦୁର୍ନୀତିକୁ ରୋକା ନଗଲେ ଆପଣଙ୍କ ୫-ଟି ଶାସନ ଓ ଶାସନର ସ୍ୱଚ୍ଛତାର ପ୍ରଚାର ତୁଚ୍ଛା ମିଛ ବୋଲି ପ୍ରମାଣ ହେବ । ଏଣୁ ଆପଣଙ୍କୁ ସବିନୟ ଅନୁରୋଧ, ଏ ରାଜ୍ୟ ଓ ଚାଷୀକୁଳ ହିତରେ ଏନେଇ ତୁରନ୍ତ ବୈଠକ ଡ଼କାଇ କଡ଼ା କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ମୋର ବିଶ୍ୱାସ, ଆପଣ ଏହି ପତ୍ର ପାଇଲା ପରେ ତୁରନ୍ତ ନିଷ୍ପତ୍ତି ନେବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ