ମଣ୍ଡି ଆରମ୍ଭରୁ ହିଁ ତାଲା ପକାଇଲେ ମହିଳା ଏସ୍ ଏସ୍ ଜୀ
ମାଲକାନଗିରି, (ଶିବ ନାରାୟଣ ପାତ୍ର)ମଣ୍ଡିକୁ ନେଇ ବିବାଦ ସୃଷ୍ଟି ହୋଇ ଏମଭି ୧୧ ମଣ୍ଡିରେ ତାଲା ପକାଇଛନ୍ତି କିଛି ଚାଷୀ ଓ ମହିଳା। ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ଗୌଡ଼ଗୁଡା ପଞ୍ଚାୟତ ଅନ୍ତର୍ଗତ ଏମଭି ୧୧ ଗ୍ରାମରେ ଧାନ ମଣ୍ଡି ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ବେଳେ ଏହି ମଣ୍ଡି ପରିଚାଳନା ଦାଇତ୍ଵ ଜୟ ମା କାଳି ସ୍ଵୟଂ ସହାୟକ ଗୋଷ୍ଟିକୁ ପ୍ରଦାନ କରାଯାଇଛି। ତେବେ ଏହି ମଣ୍ଡି ପରିଚାଳନା ଦାଇତ୍ଵ ପାଇଁ ଇନ୍ଦ୍ରାବତୀ ସ୍ବୟଂ ସହାୟକ ଗୋଷ୍ଟିର ମହିଳା ମାନେ ଚଳିତ ବର୍ଷ ଆବେଦନ କରିଥିଲେ। ଏପରିକି ମାଲକାନଗିରି ବିଧାୟକ ମଧ୍ୟ ଏହି ଗୋଷ୍ଟି ପାଇଁ ସୁପାରିସ କରିଥିଲେ। କିନ୍ତୁ ଏହି ସ୍ବୟଂ ସହାୟକ ଗୋଷ୍ଟିକୁ ଧାନମଣ୍ଡି ପରିଚାଳନା ନିମନ୍ତେ ଆଦେଶ ଦିଆ ନଯାଇ ବାଟପାଲ୍ଲୀ ଗାଁର ଜୟ ମା କାଳୀ ସ୍ୱୟଂ ସହାୟକ ଗୋଷ୍ଠିକୁ ଏଥି ନିମନ୍ତେ ପୁନଃ ଆଦେଶ ଦିଆଯାଇଥିଲା। ସରକାରଙ୍କ ନିୟମ ଅନୁଯାୟୀ ଗୋଟିଏ ସ୍ବୟଂ ସହାୟକ ଗୋଷ୍ଠୀ ୩ ବର୍ଷରୁ ଊର୍ଦ୍ଧ୍ଵ ସମୟ ଧରି ପରିଚଳନା ଦାଇତ୍ଵରେ ରହିବେ ନାହି। କିନ୍ତୁ ଜୟ ମା କାଳୀ ସ୍ବୟଂ ସହାୟକ ଗୋଷ୍ଟି ଆଜକୁ ତିନିବର୍ଷ ହେଲା ଧାନମଣ୍ଡି ପରିଚାଳନା କରିବା ପାଇଁ ଦାୟିତ୍ବ ପ୍ରଦାନ କରାଯାଇଥିବା ବେଳେ ତାଙ୍କ ନାମରେ ଅନେକ ଅଭିଯୋଗ ସତ୍ବେ କାହିଁକି ଓ କିପରି ପୁନଃ ମଣ୍ଡି ପରିଚାଳନା ଦାଇତ୍ଵ ଦିଆଗଲା ବୋଲି ପ୍ରଶ୍ନ କରିଛନ୍ତି ଇନ୍ଦ୍ରାବତୀ ମହିଳା ଗୋଷ୍ଟି। ଏପରିକି ମାମଲା ଏତେ ଉଗ୍ର ହୋଇଛି ଯେ ଉଭୟ ମହିଳା ଗୋଷ୍ଟି ଏନେଇ ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି ଏପରି ସ୍ଥଳରେ ପ୍ରଶାସନ ଏହାର କୌଣସି ସମାଧାନ ନକରି ଆଜି ଏହି ଏମଭି ୧୧ ମଣ୍ଡିର ଶୁଭାରମ୍ଭ କରିଥିବା ବେଳେ ଇନ୍ଦ୍ରାବତୀ ମହିଳା ଗୋଷ୍ଟି ଓ କିଛି ଚାଷୀମାନେ ଏହି ମଣ୍ଡିରେ ତାଲା ପକାଇଛନ୍ତି। ମଣ୍ଡିରେ ଦଲାଲ ରାଜ ଚାଲୁଥିଆବ ସହ ଧାନ ବିକ୍ରୟ କରାଇବା ପାଇଁ ଚାଷୀଙ୍କ ଠାରୁ ଅର୍ଥ ଲୁଟ କରାଯାଉଥିବା ନେଇ ଅଭିଯୋଗ କରିଛନ୍ତି ମହିଳା ଓ ଚାଷୀ। ତେବେ ମଣ୍ଡି ଆରମ୍ଭରୁ ଏପରି ସମସ୍ୟା ଉପୁଜିଥିବା ବେଳେ ଏନେଇ ଖବର ପାଇଁ ମାଲକାନଗିରି ତହସିଲଦାର ଓ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ତାଲା ଭାଙ୍ଗି ମଣ୍ଡି ଆରମ୍ଭ କରିଛି।