ମତଦାନ ନେଇ କିଛି ବୁଥ୍ରେ ଘଟିଥିବା ଘଟଣାର ଏପାଖ ସେପାଖ

ପୁରୀ(ଜୁଗାବ୍ଦ ନ୍ୟୁଜ୍‍): ପୁରୀ ଜିଲ୍ଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀରେ ମଙ୍ଗଳବାର ଭୋଟ ଗ୍ରହଣ ଶେଷ ହୋଇଛି । ମୋଟାମୋଟି ଭାବେ ଶାନ୍ତିପୁର୍ଣ୍ଣ ଭାବେ ମତଦାନ ଶେଷ ହୋଇଥିଲା ବେଳେ କେତେଟି ବୁଥ୍ରେ ଇଭିଏମ୍ ମେସିନ୍ ତ୍ରୁଟି ଯୋଗୁଁ ମତଦାନ ବିଳମ୍ବ ହେବା, ଜଣେ ବ୍ୟକ୍ତି ବାରମ୍ବାର ମତଦାନ କରିବା, ମେସିନ୍ ଖରାପ ଯୋଗୁଁ ଗୋଟିଏ ଚିହ୍ନରେ ସୁଇଚ୍ ଚାପିଲେ ତାହା ଅନ୍ୟ ଚିହ୍ନ ଆସିବା ଘଟଣା ଓ ବୁଥ୍ରେ ଏଜେଣ୍ଟକୁ ପ୍ରବେଶ କରାଇ ନଦେବା ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ବିଶେଷକରି ଚଳିତ ନିର୍ବାଚନରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିବା ଦେଖିବାକୁ ମିଳିଥିଲା । ତାହାକୁ ନେଇ ତଥ୍ୟ ତଳେ ଉପସ୍ଥାପନ କରାଯାଇଛି ।
ପେଣ୍ଠକଟା ବୁଥ୍ରେ ମତଦାନକୁ ହିଂସା
ମଙ୍ଗଳବାର ସକାଳେ ପୁରୀ ସଦର ନିର୍ବାଚନମଣ୍ଡଳୀ ପାଇଁ ମତଦାନ ଚାଲିଥିଲା ବେଳେ ହଠାତ୍ ମତଦାନକୁ କେନ୍ଦ୍ର କରି ଉଭୟ ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଫଳରେ ସେଥିରେ ଆହତ ହୋଇ ଜିଲ୍ଲା ବିଜେପିର ଯୁବମୋର୍ଚ୍ଚା ଜୟନ୍ତ କୁମାର ଦାସ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏନେଇ ବୁଥ୍ ନିକଟରେ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ଉପରେ କଡ଼ା ନଜର ରଖିବା ପରେ ମତଦାନ ସଠିକ୍ ଭାବେ ସମାପନ ହୋଇଥିଲା । ମାତ୍ର ବିଜେଡି କର୍ମୀମାନେ ଏହି ଆକ୍ରମଣ କରିଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି ।

ମତଦାନ କଲେ ଶତାୟୁ ମହିଳା ଓ ଦିବ୍ୟାଙ୍ଗ
ପୁରୀରେ ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଥିଲା ବେଳେ ମତଦାନ କରିବାକୁ ୧୦୩ ବର୍ଷିୟା ପୋଲିଂ ବୁଥ୍ରେ ପହଞ୍ଚିଥିଲେ । ଶତାୟୁ ମହିଳାଙ୍କୁ ସ୍ୱତନ୍ତ୍ର ଭାବେ ବୁଥ୍କୁ ନିଆଯିବାପରେ ସେ ତାଙ୍କର ମତଦାନ ସାବ୍ୟସ୍ତ କରିଥିଲେ । ସେ ହେଲେ ବାଲିସାହି ବରାହୀ ଲେନ୍ର ନିଶାମଣୀ ସାହୁ । ସେ ବାସେଳିସାହୀ ପ୍ରାଥମିକ ବିଦ୍ୟାଳୟରେ ମତଦାନ ସାବ୍ୟସ୍ତ କରିଥିଲେ । ସେହିପରି ଜିଲାର ୪ଟି ବିଧାନସଭା ନିର୍ବାଚନମଣ୍ଡଳୀର ସମସ୍ତ ବୁଥ୍ରେ ଚଳିତଥର ନୂତନ ଭାବରେ ଦିବ୍ୟାଙ୍ଗ୍ ଭୋଟରଙ୍କୁ ଭୋଟ ପ୍ରଦାନ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ତେଣୁ ଦିବ୍ୟାଙ୍ଗଙ୍କ ଭୋଟର ସଂଖ୍ୟା ବୃଦ୍ଧି ପାଇଥିବା ଜଣାପଡିଛି ।

ଦୁଇଟି ବୁଥ୍ରେ ଇଭିଏମ୍ ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ
ପୁରୀ ଜିଲ୍ଲାର ସମସ୍ତ ବୁଥ୍ରେ ସଠିକ୍ ଭାବେ ମତଦାନ ହୋଇଥିଲା ବେଳେ କେବଳ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର କମାଶାସନ ଗ୍ରାମର(୨୨୨) ନଂ ବୁଥ୍ରେ ଉଭିଏମ୍ ତ୍ରୁଟିକୁ ନେଇ ଉତ୍ତ୍ୟକ୍ତ ଲୋକେ ମେସିନ୍ ଭାଙ୍ଗି ଦେଇଛନ୍ତି । ସେହିପରି ସତ୍ୟବାଦୀ ନିର୍ବାଚନମଣ୍ଡଳୀର ବଳଭଦ୍ରପୁର ଗ୍ରାମର (୭୮)ନଂ ବୁଥ୍ରେ ମଧ୍ୟ ଇଭିଏମ୍ ମେସିନ୍ ତ୍ରୁଟି ନେଇ ସ୍ଥାନୀୟ ଉତ୍ତ୍ୟକ୍ତ ଲୋକେ ମେସିନ୍ ଭଙ୍ଗାରୁଜା କରିଥିବା ଜଣାପଡିଛି । ଫଳରେ ଏହି ଦୁଇ ବୁଥ୍ରେ ମତଦାନରେ ବାଧା ସୃଷ୍ଟି ହୋଇଥିବା ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ ସୂଚନା ଦେଇଛନ୍ତି । ଏହି ଦୁଇ ବୁଥ୍ ସମ୍ପର୍କରେ ନିର୍ବାଚନ କମିଶନରଙ୍କୁ ଅବଗତ କରାଯାଇଛି । ତାଙ୍କ ନିର୍ଦ୍ଦେଶ ଆସିଲା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ଦାସ କହିଛନ୍ତି । ଏଥିସହ ଉକ୍ତ ଦୁଇ ସ୍ଥାନରେ ମେସିନ୍ ଭାଙ୍ଗିଥିବା ବ୍ୟକ୍ତିଙ୍କ ବିରୋଧରେ ଏତଲା ଦେବାକୁ ଜିଲ୍ଲାପାଳ ବୁଥ୍ର ପ୍ରିଜାଇଡିଂ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ