ମତ୍ସ୍ୟଚାଷୀ ଶୋଷଣ ଓ ସମୁଦ୍ର ପ୍ରଦୂଷଣକୁ ନେଇ ସନ୍ତୋଷ ଜିଲାପାଳଙ୍କୁ ଘେରିବା ପାଇଁ ଉପକୂଳବାସୀଙ୍କ ନିଷ୍ପତ୍ତି

ବାଲେଶ୍ୱର, (ସରୋଜ ପଣ୍ଡା):ସମୁଦ୍ର ଉପକୂଳବର୍ତ୍ତୀ ସଦର ଓ ରେମୁଣା ବ୍ଲକ ଅନ୍ତର୍ଗତ ୧୧ ଗ୍ରାମ ପଞ୍ଚାୟତର ପାରମ୍ପାରିକ ମତ୍ସ୍ୟଜୀବୀ ଓ ମତ୍ସ୍ୟଚାଷୀଙ୍କୁ ନେଇ ଏକ ସାଧାରଣ ସଭା ବର୍ଦ୍ଧନପୁର ପଞ୍ଚାୟତ ୮ମାଇଲ ବାତ୍ୟାଶ୍ରୟ ସ୍ଥଳରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ରାକେଶ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଅଞ୍ଜନ କୁମାର ବଳ, ଗୌର ସିଂହ, ଅମୂଲ୍ୟ ଦାସ, ଗଙ୍ଗାଧର ନାୟକ, ମନୋରଞ୍ଜନ ବେହେରା, ସୁଶାନ୍ତ ଦାସ, କେଶବ ଦାସ, ରାଜେଶ ଦାସ, ପ୍ରଫୁଲ୍ଲ ଦାସ, ସୁଦର୍ଶନ ମହାଳିକ, ବିଶ୍ୱଜିତ ମାଇତି, ସଞ୍ଜୀବ ଗିରି, ବିଜୟ ମଣ୍ଡଳ, ବିକାଶ ମାଇତ ପ୍ରମୁଖ ଅଗ୍ରଣୀ ମତ୍ସ୍ୟଚାଷୀ ତଥା ସଚେତନଶୀଳ ପାରମ୍ପରିକ ମତ୍ସ୍ୟଜୀବୀ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ ଦୁଇ ବ୍ଲକର ସମୁଦ୍ର ଉପରେ ନିର୍ଭରଶୀଳ ପାରମ୍ପରିକ ମତ୍ସ୍ୟଜୀବୀ ଓ ଚିଙ୍ଗୁଡ଼ି ତଥା ମତ୍ସ୍ୟଚାଷୀମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷ କରି ମାଛ ପୋଖରୀ ପଞ୍ଜୀକରଣରେ ଜିଲା ମତ୍ସ୍ୟ ବିଭାଗର ଉଦାସୀନତା ଓ ଅଧିକାରୀରଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଥିବା ବେଳେ ବହୁ ଚାଷୀ ସରକାରୀ ସହାୟତାରୁ ବଞ୍ଚିତ ହେଉଛନ୍ତି । ଅନ୍ୟପକ୍ଷରେ ଚାଷ ପାଇଁ ଆବଶ୍ୟକ ମାଛଖାଦ୍ୟ, ଔଷଧ, ଚୁନ, ବ୍ଲିଚିଙ୍ଗ ଓ ପୋଖରୀ ପୁନରୁଦ୍ଧାର ପାଇଁ ଆବଶ୍ୟକ ଟ୍ରାକ୍ଟର ଆଦି ଯୋଗାଣ ସାଙ୍ଗକୁ କମ ମୂଲ୍ୟରେ ଉତ୍ପାଦିତ ମାଛ ଓ ଚିଙ୍ଗୁଡ଼ି କିଣିବାରେ ରିଟେଲର ଓ ଡିଲରମାନେ କରୁଥିବା ଚାଷୀ ଶୋଷଣ ସୀମା ଟପିଥିବା ସେମାନେ ଆରୋପ ଉଠାଇଥିଲେ । ସେହିଭଳି ରେମୁଣା ବ୍ଲକ ଅନ୍ତର୍ଗତ ତୁଣ୍ଡରାଠାରେ ନିର୍ମାଣାଧୀନ ଗ୍ରୋଦ୍ରେ ମେରାଇନ କମ୍ପାନୀର ସାମୁଦ୍ରିକ ଜୀବ (ସ୍କ୍ରାଫ ଫିସ) ପ୍ରକ୍ରିୟାକରଣ ଶିଳ୍ପାନୁଷ୍ଠାନ ଏବେ ସବୁଠାରୁ ବଡ଼ ସମସ୍ୟା ହୋଇଥିବା ଚାଷୀମାନେ କହିଥିଲେ । ଏଠାରେ ସ୍କ୍ରାଫ ଫିସ ପ୍ରକ୍ରିୟାକରଣ ପାଇଁ ଦୈନିକ ଲକ୍ଷ ଲକ୍ଷ ଲିଟର ଜଳ କମ୍ପାନୀ ଭୂତଳରୁ ଉତ୍ତୋଳନ ଆରମ୍ଭ କରିବାକୁ ଯାଉଛି । ଏହି କମ୍ପାନୀ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ଆଖପାଖ ୧୦କିମି ବ୍ୟାସାର୍ଦ୍ଧ ଅଞ୍ଚଳରେ ୨ଶହରୁ ଅଧିକ ଉଠାଜଳ ସେଚନ ପ୍ରକଳ୍ପ ସମେତ ଗଭୀର ନଳ କୂଳପ ବନ୍ଦ ହୋଇଯିବ ବୋଲି ଚାଷୀମାନେ ଆଶଙ୍କା ପ୍ରକାଶ କରିଛନ୍ତି । ସେହିଭଳି ରସାୟନିକ ବିଶୋଧନ ନ କରି ଶିଳ୍ପାନୁଷ୍ଠାନରୁ ବାହାରୁଥିବା ବର୍ଯ୍ୟ ବିଷାକ୍ତ ଜଳକୁ ସିଧାସଳଖ ସମୂଦ୍ରରେ ଛାଡ଼ିବା ଦ୍ୱାରା ଫଳରେ ସମୁଦ୍ରର ୫୦ କିମି ପର୍ଯ୍ୟନ୍ତ ଜଳ ପ୍ରଦୂଷଣ ହେବ ବୋଲି ଚାଷୀମାନେ କହିଛନ୍ତି । ଏହା ଦ୍ୱାରା ସମୁଦ୍ରର ମାଛ ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ସଂଖ୍ୟା ହ୍ରାସ ପାଇବା ସାଙ୍ଗକୁ ମତ୍ସ୍ୟ ପ୍ରଜନନ ପ୍ରଭାବିତ ହେବ । ସବୁଠାରୁ ବଡ଼କଥା ହେଲା ପ୍ରଦୂଷିତ ଜଳକୁ ଆଉ ଚିଙ୍ଗୁଡ଼ି ଚାଷରେ ବ୍ୟବହାର କରାଯାଇ ପାରିବନାହିଁ ବୋଲି ସେମାନେ ପ୍ରକାଶ କରିଛନ୍ତି । ଶ୍ରମିକ ନେତା ତଥା ସିପିଆଇ ଜୟନ୍ତ ଦାସ ଏଥିରେ ଯୋଗଦେଇ ଚାଷୀଙ୍କ ସମସ୍ୟା ସମାଧାନ ଦିଗରେ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ ପାଇଁ ପରାମର୍ଶ ଦେଇଛନ୍ତି । ଶିଳ୍ପାୟନ ବିରୋଧ କରିବା ପରିବର୍ତ୍ତେ ସରଳ ସମାଧନ ଦିଗରେ ଜିଲା ପ୍ରଶାସନ ଆଞ୍ଚଳିକ ପ୍ରଦୂଷଣ ବିଭାଗର ସହଯୋଗ ପାଇଁ ସେ ଚାଷୀମାନଙ୍କୁ କହିଥିଲେ । ଏନେଇ ଆସନ୍ତା ୧୧ ତାରିଖରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବ । ୭ ଦିନ ମଧ୍ୟରେ ଚାଷୀଙ୍କ ଆଶଙ୍କା ଦୂର ନେଇ ପ୍ରଶାସନ ପକ୍ଷରୁ ଉଚିତ ପଦକ୍ଷେପ ଗ୍ରହଣ କରାନଗଲେ ୧୬ ତାରିଖରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଓ ପାଇଁ ଆଜିର ଏହି ସାଧାରଣ ସଭାରେ ନିଷ୍ପତ୍ତି ନିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ନିତାଇ ମଣ୍ଡଳ, ସୁବାସ ପଟ୍ଟନାୟକ,ରବିନ ବେରା, ନିଖିଲ ଘଡ଼େଇ, ଅର୍ଜୁନ ଦାସ, ରବି ନାରାୟଣ ବାରିକ, ନବଘନ ବେହେରା, ବାଦଲ ଭୂୟାଁ, ଉମେଶ ଦଳେଇ, ସାଗର ମଣ୍ଡଳ, ଜଗନ୍ନାଥ ମଳିକ, ମଧୁସୂଦନ ପ୍ରଧାନ ଓ ଭୀମ ଜେନା ପ୍ରମୁଖ ଏହି ସାଧାରଣ ସଭା ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ