ମତ୍ସ୍ୟ ବିଭାଗ ନିର୍ଦ୍ଦେଶକଙ୍କ ବାଲେଶ୍ୱର ଗସ୍ତ ଓ ସମୀକ୍ଷା
ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲାରେ ମତ୍ସ୍ୟ ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ନିମନ୍ତେ ଶିଳ୍ପ ଓ ମତ୍ସ୍ୟ ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ମହମ୍ମଦ ସାଦିକ୍ ଆଲମ୍ ବାଲେଶ୍ୱର ଗସ୍ତରେ ଆସି ଉଭୟ ବିଭାଗ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ଏବଂ ସମୀକ୍ଷା କରିଛନ୍ତି Iରେମୁଣା ବ୍ଲକର ଗାଞ୍ଜିଆ ଗ୍ରାମସ୍ଥିତ ଶ୍ରୀମତୀ ନମିତା ପାତ୍ରଙ୍କର ମାଛ ଯାଆଁଳ ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରି ଯାଆଁଳର ଗୁଣବତ୍ତା ନିରୀକ୍ଷଣ ସହ ତାଙ୍କର ସମନ୍ବିତ ଓ ସଘନ ମାଛ ଚାଷର ଭୁୟସି ପ୍ରଶଂସା କରିଥିଲେ I ତତ୍ପରେ ବରୁଣସିଂ ପଞ୍ଚାୟତର ପାଟରା ଗ୍ରାମରେ ମା ପାଟରାଣୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ‘ଭ୍ରମର କଳସ’ ଗ୍ରାମ ପଞ୍ଚାୟତ ପୋଖରୀ ପରିଦର୍ଶନ ସହ ସଭ୍ୟାମାନଙ୍କ ଦ୍ୱାରା ଯାଆଁଳ ଛାଡିବା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ I ଏହି ଅବସରରେ ଶ୍ରୀଯୁକ୍ତ ଆଲମ୍ ସଭ୍ୟା ମାନଙ୍କ ସହ ମାଛର ଉଚିତ ବିକ୍ରୀ ଓ ସୁଲଭ ମୂଲ୍ୟ ସମ୍ପର୍କରେ ଆଲୋଚନା କରିଥିଲେ I ଏହା ପରେ ସଦର ବ୍ଲକର ଖାନନଗର ସ୍ଥିତ ହରି ମେରାଇନ ପ୍ରୋସେସିଂ ପ୍ଲାଣ୍ଟ ଓ କୁରୁଡ଼ା ଗ୍ରାମର ପୁଷ୍ପାଞ୍ଜଳୀ ସାହୁଙ୍କର ଆଇସ୍ ପ୍ଲାଣ୍ଟ ତଥା ଶୀତଳ ଭଣ୍ଡାର ପରିଦର୍ଶନ କରିଥିଲେ I ଶେଷରେ ନୋସିସ୍ଥିତ ସମ୍ମିଳନୀ କକ୍ଷରେ ମତ୍ସ୍ୟଜୀବିମାନଙ୍କ ସହିତ ପ୍ରତ୍ୟକ୍ଷ ଆଲୋଚନା ପୂର୍ବକ ସେମାନଙ୍କର ବିଭିନ୍ନ ଦାବିଗୁଡିକର ଆଶୁ ସମାଧାନ ଓ ବିଭିନ୍ନ ପ୍ରକଳ୍ପର ଯଥା ଶୀଘ୍ର କାର୍ଯ୍ୟାରମ୍ଭ ପାଇଁ ପ୍ରତିଶୃତି ଦେବା ସହିତ କାର୍ଯ୍ୟକ୍ରମ ଗୁଡିକର ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ I ଉକ୍ତ ସମୀକ୍ଷା ବୈଠକରେ ବାଲେଶ୍ୱର ଉପ ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦୀପ୍ତି କୁମାର ମହାପାତ୍ର, ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ବେହେରା, ଅତିରିକ୍ତ ମତ୍ସ୍ୟ ଅଧିକାରୀ (ସାମୁଦ୍ରିକ) କୁମାରୀ ସି.ଏଚ୍ ପଲ୍ଲବୀ ଓ ସମସ୍ତ ବ୍ଲକର ସହକାରୀ ମତ୍ସ୍ୟ ଅଧିକାରୀ ଯୋଗ ଦେଇଥିଲେ I