ମଦମୁକ୍ତ ଓଡ଼ିଶା ଦାବି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ରାଜ୍ୟ ସଭାପତି ତଥା ‘ମଦମୁକ୍ତ ଭାରତ’ର ଜାତୀୟ ଆବାହକ, ବର୍ଷିୟାନ ଗାନ୍ଧୀବାଦୀ ପଦ୍ମଚରଣ ନାୟକଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ସାମାଜିକ କର୍ମୀ ତଥା ମୋନର ପ୍ରତିନିଧି ଓଡ଼ିଶାର ବରପୁତ୍ର, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ଏବଂ ଏହି ପରିପ୍ରେକ୍ଷୀରେ ନାୟକ ଏକ ମଦମୁକ୍ତ ଓଡ଼ିଶା ଗଠନ ପାଇଁ ଆହ୍ୱାନ ଦେଇଥିଲେ । ବରପୁତ୍ରଙ୍କର ସ୍ୱପ୍ନର ସ୍ୱତନ୍ତ୍ର ଓ ସମୃଦ୍ଧ ଓଡ଼ିଶା ଗଠନ ହେବା ସମ୍ଭବ ହେବ ଯଦି ଓଡିଶା ସମ୍ପୂର୍ଣ୍ଣ ମଦମୁକ୍ତ ହେବ ଓ ମହାତ୍ମା ଗାନ୍ଧୀଙ୍କ ବିଚାରରେ ପରିଚାଳିତ ହେବ । ଏଥିପାଇଁ ସାରା ରାଜ୍ୟରେ ଏକ ଜନ ଜାଗୃତିର ଆବଶ୍ୟକତା ସେ ଦର୍ଶାଇଥିଲେ । ପରେ ପରେ ରାଜ୍ୟର ସନ୍ଥ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଲୋୟର ପି.ଏମ୍.ଜି.ରେ ଏକ ଧାରଣା କାର୍ଯ୍ୟକ୍ରମ ଜରିଆରେ ମଦମୁକ୍ତ ଓଡ଼ିଶା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇ ଧାରଣା ସାଙ୍ଗ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୋନାର ସମ୍ପାଦକ ରମାକାନ୍ତ ମଣ୍ଡଳ, ରାଜ୍ୟ ନେତୃତ୍ୱ ମଳୟ ତ୍ରିପାଠୀ, ଅପର୍ଣ୍ଣା ନାୟକ, ବାଣୀ ମଞ୍ଜରୀ ଦାସ, ଇନ୍ଦୁମତି ସାହୁ, ପୁଷ୍ପାଳିକ ଆଚାର୍ଯ୍ୟ, ଶାନ୍ତିଲତା ରାଉତରାୟ, ପ୍ରିୟନାଥ ଆଚାର୍ଯ୍ୟ, ଖଗେଶ୍ୱର ବଳ ସନ୍ତୋଷ ପଣ୍ଡା, ଆଡ଼ଭୋକେଟ ଅର୍ଜୁନ ସାମନ୍ତରାୟ, ଆଡ଼ଭୋକେଟ ଅକ୍ଷୟ ବିଶ୍ୱାଳ, କିଷାନ ନେତା ଦୁର୍ଗା ଦାସ, ଯୁବନେତା ସୌମ୍ୟ ରଞ୍ଜନ ମହାନ୍ତି, ପ୍ରଭାତ ରାଉତରାୟ, ସନ୍ତୋଷ ଧଳ ଓ ସ୍ନେହାଶୁଁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।