ମଦ୍ୟପ ପୁଅର ଉନ୍ମତ କାଣ୍ଡ : ଠେଙ୍ଗାରେ ପିଟିପିଟି ମାକୁ ନୃଶଂସ ହତ୍ୟା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ସାମ୍ପ୍ରତିକ ପରିସ୍ଥିତିରେ ମା’ ଓ ପୁଅ ସର୍ମ୍ପକର ପରିଭାଷା ବଦଳି ଯାଇଛି । ନିଜ ଔରଷରୁ ଜନ୍ମିତ ପୁଅ, ଶେଷରେ ମା’ର ମମତା ଓ ବିଶ୍ୱାସକୁ ଭୁଲି ନୃଶଂସ ପାଲଟି ଯାଇଛି । ୧୦ମାସ ଗର୍ଭ ଧାରଣ କରି ମାତୃତ୍ୱ ଲାଭ କରିଥିବା ମା’ର ଅତୁଟ ସ୍ନେହ ଆଗରେ ସବୁ କିଛି ତୁଚ୍ଛ ହୋଇଯାଇଛି । ମା’ର ବଇରୀ ସାଜିଲା ମଦ୍ୟପ ପୁଅ । ପାଳିପୋଷି ବଡ କରିଥିବା ବୃଦ୍ଧା ମା’ର ଯତ୍ନ ନେବା ପରିବର୍ତ୍ତେ ହିତାହିତ ଜ୍ଞାନ ଭୁଲି ଶେଷରେ ଠେଙ୍ଗାରେ ପିଟି ପିଟି ମା’ର ଜୀବନ ନେଇଛି ମଦ୍ୟପ ପୁଅ। ୭୫ ବୟସ୍କା ଜଣେ ବୃଦ୍ଧା ମା’ଙ୍କୁ ସାନ ପୁଅ ନିଶାସକ୍ତ ହୋଇ ଅମାନୁଷିକ ଭାବେ ଠେଙ୍ଗାରେ ମାଡ ମାରି ଲହୁଲୁହାଣ କରିଛି । ଘରେ ବୃଦ୍ଧା ମା’ ଏକାକୀ ଥିବା ବେଳେ ମଦ୍ୟପ ପୁଅ କବାଟ କିଳି ମା’ଙ୍କୁ ପିଟିପିଟି ହତ୍ୟା କରିଛି । ଏଭଳି ଏକ ଅମାନବୀୟ ଘଟଣା ଗୁରୁବାର ହିଞ୍ଜିଳି ଥାନା ଚାନ୍ଦୁଲି ଗ୍ରାମରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମୃତକ ଜଣଙ୍କ ହେଲେ ମୃତ ଜଗନ୍ନାଥ ସାହୁଙ୍କ ସ୍ତ୍ରୀ କନକ ସାହୁ (୭୫) । ଖବର ପାଇ ହିଞ୍ଜିଳି ପୋଲିସ ଗ୍ରାମରେ ପହଞ୍ଚି ଅଭିଯୁକ୍ତ ପୁଅ ବାବୁଲା ସାହୁ(୪୨)ଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ମିଳିଥିବା ସୂଚନା ପ୍ରକାରେ, ମୃତା କନକଙ୍କ ୨ପୁଅଙ୍କ ମଧ୍ୟରୁ ସାନ ପୁଅ ବାବୁଲା ଗତ କିଛି ମାସ ଧରି ମଦପିଇ ମା’ଙ୍କୁ ମାରଧର କରି ଆସୁଥିଲା । ସ୍ୱଳ୍ପ ସରକାରୀ ସହାୟତା ରାଶିରେ ଜୀବନ ପ୍ରତିପୋଷଣ କରୁଥିବା ମା’ଙ୍କୁ ମଦ ପିଇବା ପାଇଁ ଅଭିଯୁକ୍ତ ବାବୁଲା ବାରମ୍ବାର ଟଙ୍କା ମାଗି ଆସୁଥିଲା । ସବୁଦିନ ଭଳି ଗୁରୁବାର ମଧ୍ୟ ବାବୁଲା ମା କନକଙ୍କୁ ମଦ ପିଇବା ପାଇଁ ଟଙ୍କା ମାଗିଥିଲା । ନିରୁପାୟ ହୋଇ ଟଙ୍କା ଦେବାକୁ ଅକ୍ଷମ ପ୍ରକାଶ କରିବାରୁ ବାବୁଲା ଉତକ୍ଷିପ୍ତ ହୋଇ ଏକ ଠେଙ୍ଗାରେ ଅମାନୁଷିକ ଭାବେ ମା କୁ ପ୍ରବଳ ମାଡ ମାରିଥିଲା । ଫଳରେ ବୃଦ୍ଧାଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ହୋଇଥିଲା । ସାହି ପଡୋଶୀ ଚିକ୍ରାର ଶୁଣି ସେଠାରୁ ବୃଦ୍ଧାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ବୃଦ୍ଧାଙ୍କୁ ମୃତ ଘୋଷଣା କରିଥିଲେ । ମୃତକାଙ୍କ ବଡପୁଅ ବିନୋଦ ସାହୁଙ୍କ ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ ନମ୍ବର ୨୧୫/୨୨ରେ ଏକ ମାମଲା ଅଭିଯୁକ୍ତ ବାବୁଲାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ ।