ମଦ ଚାଲାଣକୁ ବାରଣ ଯୋଗୁଁ ପୋଲିସକୁ ସଙ୍ଘବଦ୍ଧ ଆକ୍ରମଣ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଦେଶୀ ଚୋରା ମଦ ଚାଲାଣକୁ ବାରଣ କରିବାରୁ ପୋଲିସକୁ ମଦ ବ୍ୟବସାୟୀମାନେ ସଙ୍ଘବଦ୍ଧ ଆକ୍ରମଣ କରିଥିବା ଏକ ଦୁଃଖଦ ଏବଂ ଉଦ୍ବେଗଜନକ ଖବର ହସ୍ତଗତ ହୋଇଛି । ଘଟଣାଟି ଗଜପତି ଜିଲ୍ଲାର ଅଡବା ଥାନା ଅଞ୍ଚଳର ବିରିକୋଟ ଠାରେ ଗତକାଲି ବିଳମ୍ବିତ ରାତ୍ରରେ ଘଟିଛି । ଏଥିରେ ୮ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଗତକାଲି ରାତ୍ରରେ ବିରିକୋଟ ଗ୍ରାମର ବ୍ରିଜ ନିକଟରେ ଦେଶୀମଦର ଚୋରା ଚାଲାଣ କରାଯାଉଥିବା ଖବର ଅଡବା ଥାନା ପୋଲିସ ଠାରେ ପହଞ୍ଚିଥିଲା । ଏଥି ଅନୁଯାୟୀ ଗତକାଲି ରାତ୍ର ୧୧ଘଣ୍ଟା ସମୟରେ ପୋଲିସ ଜିପରେ ଜଣେ ଏସଆଇ,୨ଜଣ ମହିଳା ଏବଂ ୩ଜଣ ପୁରୁଷ କନେଷ୍ଟେବଲ୍ ,ଜଣେ ଗ୍ରାମରକ୍ଷୀ ଏବଂ ଡ୍ରାଇଭର ବିରିକୋଟ ଗ୍ରାମର ବ୍ରିଜ ନିକଟରେ ପହଞ୍ଚି ଥିଲେ । ସେଠାରେ ୪ଗୋଟି ବ୍ୟାରେଲରେ ୮୦ ଲିଟର ଦେଶୀମଦ ଚାଲାଣ ପାଇଁ ପ୍ରସ୍ତୁତ ଥିଲା ଏବଂ ସେଠାରେ ୮ଜଣ ଚୋରାଚାଲାଣକାରୀ ଉପସ୍ଥିତ ଥିଲେ । ପୋଲିସ ଦେଶୀମଦ ଚାଲାଣକୁ ବାରଣ କରିବାରୁ ଏହି ବ୍ୟକ୍ତିମାନେ ପାଟି କରି ଗ୍ରାମ ଲୋକଙ୍କୁ ଡାକିଥିଲେ । ଏଥିରେ ୬୦ରୁ୭୦ଜଣ ଲୋକ ଆସି ପହଞ୍ଚି ଥିଲେ । ଲୋକେ ପୋଲିସକୁ ବିରୋଧ କରି ଚାରିପଟୁ ସଙ୍ଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଏଥିରେ ସେଠାକୁ ଯାଇଥିବା ସମସ୍ତ ୮ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ପୋଲିସ ଏସଆଇ ଚନ୍ଦନ କୁମାର ଦାସ ଏବଂ କନେଷ୍ଟେବଲ ଦଶରଥୀ ଶବର ଗୁରୁତର ଭାବେ ଆହତ ହୋଇ ବର୍ତ୍ତମାନ ଅଡବା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ପୋଲିସ ଜିପଟିକୁ ମଧ୍ୟ ଏମାନେ ଭାଙ୍ଗିଥିବା ଖବର ମିଳିଛି । ଠେଙ୍ଗା,କାତି,ଟାଙ୍ଗିଆ ଆଦିରେ ଆକ୍ରମଣକାରୀମାନେ ସଙ୍ଘବଦ୍ଧ ଭାବେ ପୋଲିସକୁ ଆକ୍ରମଣ କରିଥିଲେ ବୋଲି ଅଡବା ଥାନା ଅଧିକାରୀ ଆଲୋକ ରଞ୍ଜନ ଜଗଦଲ ସୁଚନା ଦେଇ କହିଛନ୍ତି,ପ୍ରାଣ ଭୟରେ ପୋଲିସ କର୍ମଚାରୀମାନେ ସେଠାରୁ ଦୌଡି ଚାଲି ଆସିଯାଇଛନ୍ତି । ଏମାନଙ୍କ ବିରୁଦ୍ଧରେ ଅଡବା ଥାନା କେସ ନଂ ୨୭/୨୦ରେ ମାମଲା ରୁଜୁ କରାଯାଇଛି । ଏହି ମାମଲା ୮ଜଣଙ୍କ ନାମରେ ଓ ଅନ୍ୟାନ୍ୟ ୬୦/୭୦ ଜଣଙ୍କ ବିରୁଦ୍ଧରେ ରୁଜୁ ହୋଇଛି । କର୍ତ୍ତବ୍ୟନିଷ୍ଠ ପୋଲିସ କର୍ମଚାରୀଙ୍କୁ ଏଭଳି ଭାବେ ଆକ୍ରମଣ କରିଥିବା ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଡବା ଥାନା ଅଧିକାରୀ ଆଲୋକ ରଞ୍ଜନ ଜଗଦଲ ପ୍ରକାଶ କରି କହିଛନ୍ତି,ଆକ୍ରମଣକାରୀମାନେ ବିରିକେଟ ଗ୍ରାମର ଖ୍ରୀଷ୍ଟିଆନ ସାହି ବାସିନ୍ଦା ଅଟନ୍ତି । ଆଜି ସକାଳୁ ଖ୍ରୀଷ୍ଟିଆନ ସାହି ପୁରା ଜନଶୁନ୍ୟ ହୋଇଯାଇଛି । ପୋଲିସ ଭୟରେ ବୋଧେ ଏମାନେ ଫେରାର ହୋଇ କେଉଁ ଠାରେ ଆତ୍ମଗୋପନ କରିଛନ୍ତି । ତଥାପି ପୋଲିସର ତଦନ୍ତ ଜାରି ରହିଛି । ଅତି ତୁରନ୍ତ ଏମାନଙ୍କୁ ଗିରଫ କରାଯିବ ।