ମଦ ଦୋକାନ ନବୀକରଣ ନ କରିବାକୁ ସ୍ଵତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ କେଳାପଡ଼ା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଦ ଦୋକାନ ନବୀକରଣ ନକରିବାକୁ ସ୍ଵତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହୋଇଛି । କେଳାପଡ଼ା ପଞ୍ଚାୟତ ସରପଞ୍ଚ ସ୍ଵର୍ଣ୍ଣଲତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ଵତନ୍ତ୍ର ଗ୍ରାମସଭାରେ ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ଯୋଗ ଦେଇଥିବା ବେଳେ ମଦ ଲାଇସେନ୍ସ ନବି କରଣ ନ କରିବାକୁ ଆଲୋଚନା ହୋଇଥିଲା । ଆଲୋଚନାରେ ମଦ ଦୋକାନ ହେବା ଦ୍ବାରା ଅଞ୍ଚଳରେ ହତ୍ୟା , ଦୁଷ୍କର୍ମ, ଦୁର୍ଘଟଣା ,ପାରିବାରିକ କଳହ ଚୋରି ଓ ଅସାମାଜିକ କାର୍ଯ୍ୟ ଭଳି ବିଭିନ୍ନ ଅପରାଧ ଘଟୁଥିବାକୁ ନେଇ ବୈଠକରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା । ପୂର୍ବରୁ କରାଯାଇଥିବା ମଦ ଦୋକାନ ଚଳିତ ବର୍ଷ ୨୦୨୩/୨୦୨୪ ବର୍ଷ ପାଇଁ ନବୀକରଣ ପାଇଁ ଚିଠି ଆସିଥିବା ବେଳେ ଏହି ମଦ ଦୋକାନକୁ ନବୀକରଣ ନ କରିବା ପାଇଁ ଉପସ୍ଥିତ ପଞ୍ଚାୟତ ବାସି ଦାବି କରିଥିଲେ । ଅନ୍ୟ ପଟେ ପୂର୍ବରୁ ଗ୍ରାମ ପଞ୍ଚାୟତର ସଚେତନ ନାଗରିକ, ବୁଦ୍ଧିଜୀବୀ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମଦ ଦୋକାନ ବନ୍ଦ୍ ଏବଂ ନବୀକରଣ ନ କରିବାକୁ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ । ସରପଞ୍ଚ ସ୍ଵର୍ଣ୍ଣଲତା ପ୍ରଧାନ ଉପସ୍ଥିତ ଜନସାଧାରଣଙ୍କ ମଦ ଦୋକାନ ଲାଇସେନ୍ସ ନବୀକରଣ ନେଇ ଆଲୋଚନା କରିଥିବା ବେଳେ ଉପସ୍ଥିତ ଜନତା ମଦ ଦୋକାନ ନବୀକରଣ ନ କରିବାକୁ ପ୍ରସ୍ତାବ ଦେଇଥିବା ବେଳେ ପୁଣି ଆଗାମୀ ୧୭ ତାରିଖରେ ବୈଠକ ଅନୁଷ୍ଠିତ କରିବା ସହ ଜିଲ୍ଲାପାଳଙ୍କୁ ଲିଖିତ ପ୍ରଦାନ କରିବାକୁ ନିଷ୍ପତି ହୋଇଥିଲା । ଅନ୍ୟ ପଟେ ଏହି କାର୍ଯ୍ୟକ୍ରମରେ ନିଶା ଓ ଦୁର୍ନୀତି ମୁକ୍ତ ଅଭିଯାନ ମଞ୍ଚର ଆବାହକ ସୁଧୀର କୁମାର ସାହୁ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଦୁଃଖୀଶ୍ୟାମ ନାୟକ , ପଞ୍ଚାୟତ ନିର୍ବାହୀ ଅଧିକାରୀ ଚିତ୍ତ ରଞ୍ଜନ ଦିଗାଲ୍, ପ୍ରଦୀପ ନାୟକ , ଇଶ୍ଵର ବେହେରାଙ୍କ ସହ ବହୁ ସମାଜ ସେବୀ , ସ୍ୱେଚ୍ଛାସେବୀ ଉପସ୍ଥିତ ଥିଲେ । ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମ କୁ ସମାଜ ସେବୀ ଅକ୍ଷୟ କୁମାର ନାୟକ ପରିଚାଳନା କରିଥିଲେ।