ମଦ ଦୋକାନ ବନ୍ଦ ପରେ ଚୋରା ମଦ ବେପାରୀ ସକ୍ରିୟ ମଦ୍ୟପଙ୍କ ଭିଡ
ବନ୍ତ (ଯୁଗାଦ୍ଧ ନ୍ୟୁଜ୍) : ସମଗ୍ର ବିଶ୍ୱରେ କରୋନା ଭାଇରସ ଆତଙ୍କ ଖେଳାଇ ଦେଇଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସଚେତନତା ଓ ପଦକ୍ଷେପ ମାନ ଗ୍ରହଣ କରାଯାଉଛି । ଏପରିପେକ୍ଷୀରେ ରାଜ୍ୟ ସରକାର ବିଦେଶ ମଦ ଦୋକାନକୁ ବନ୍ଦ କରିଥିବା ବେଳେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ଚୋରା ମଦ ବେପାରୀ ମାନେ ସକ୍ରିୟ ହୋଇପଡିଛନ୍ତି । ଦିନଦ୍ୱିପ୍ରହରରେ ବେପାରୀ ମାନେ ଖୁଲମଖୁଲା ମଦ କାରବାର ଚଳାଇଛନ୍ତି । କରୋନା ସଚେତନତା ପ୍ରତି ଦୃଷ୍ଟି ନଦେଇ ମଦ୍ୟପ ତଥା ଅସାମାଜିକ ବ୍ୟକ୍ତି ମାନେ ବିନାଦ୍ୱିଧାରେ ଚୋରା ମଦ୍ୟପାନ କରି ବିଭିନ୍ନ ସ୍ଥାନରେ ଶାନ୍ତିଶୃଂଖଳା ଭଙ୍ଗ କରୁଛନ୍ତି । ଏଥିପୂର୍ବରୁ ଚୋରା ବେପାରୀ ମାନେ ଅବାଧରେ ଚୋରା ମଦ କାରବାର କରୁଥିବା ସଂପର୍କରେ ବନ୍ତ ପୋଲିସକୁ ଖବର ଦିଆଯାଇଥିଲେ ମଧ୍ୟ ପୋଲିସ ଶୁଣି ନଶୁଣିବା ଭଳି ରହିଯାଇଛି । ବର୍ତ୍ତମାନ ପରିପେକ୍ଷୀରେ ସାଧାରଣ ଗାଁଗଣ୍ଡାରେ ଲୋକ ମାନେ କରୋନା ପାଇଁ ଭୟଭୀତ ଥିବା ବେଳେ ଚୋରା ମଦ କାରବାର ଯୋଗୁଁ ଗ୍ରାମରେ ଅଶାନ୍ତ ବାତାବରଣ ଦେଖାଯାଇଛି । ବନ୍ତ ଥାନା ଅଧିନ ବନ୍ତ-ବାରିକପୁର, ନିଳୋକ-ଛତାବର, ଭଦ୍ରକ-ଆନନ୍ଦପୁର, ବନ୍ତ-ଆଗରପଡା ଆଦି ରାସ୍ତାର ବିଭିନ୍ନ ଛକ ସ୍ଥାନ ଗୁଡିକରେ ଅବାଧରେ ଚୋରା ମଦ କାରବାର ଚାଲିଛି । ଏଥିପ୍ରତି ଅବକାରୀ ବିଭାଗ କିମ୍ବା ପୋଲିସ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି । ତେବେ ସାଧାରଣଲୋକ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ଜିଲାପାଳ ଓ ଜିଲା ଆରକ୍ଷୀ ଅଧିକ୍ଷକ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ସାଧାରଣଲୋକେ ଅନୁରୋଥ କରିଛନ୍ତି ।