ମଦ ପିଇବା ବେଳେ ଗ୍ଲାସକୁ ଗ୍ଲାସ ଛୁଆଁଇବାର କାରଣ
କୌଣସି କାର୍ଯ୍ୟକ୍ରମ ହେଉ କି ଉତ୍ସବ ପାଳନ ବେଳେ ଏକତ୍ର ହୋଇ ଲୋକେ ପେୟ ଗ୍ରହଣ କରିବାବେଳେ ପରସ୍ପରର ପାତ୍ରକୁ ଛୁଆଁଇ କହିଥାନ୍ତି “ଚିୟର୍ସ’ । ତେବେ ଜାଣନ୍ତି କି ଏହି ଚିୟର୍ସର ଅର୍ଥ କ’ଣ ଓ କେବେଠୁ ଅସିଛି ଆମ ସଭ୍ୟତାରେ । ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା କେତେ ପୁରୁଣା ଚିୟର୍ସର ଇତିହାସ ଆଉ କେବେଠୁ ଓ କାହିଁକି ପ୍ରଚଳିତ । ମଣିଷ ଯେବେଠୁ ସାମାଜିକ ଜୀବନ ବଞ୍ଚିବା ଆରମ୍ଭ କଲାଣି ସେବେଠାରୁ ପ୍ରଚଳିତ ହେଉଛି ଅନେକ ପ୍ରଥା । ସାମାଜିକ ପ୍ରାଣୀ ହିସାବରେ ମଣିଷ ସେହି ସବୁ ପ୍ରଥା ଓ ପରମ୍ପରାକୁ ଆଜି ଯାଏଁ ମାନିଆସିଛି । ଯାହା କ୍ରମେ ତା ଚଳଣିରେ ବି ପଡିଗଲାଣି । ଯାହା ଆଉ କାହାକୁ ବତାଇବାକୁ ବି ପଡୁନି । ଏଭଳି ଏକ ପରମ୍ପରା ହେଉଛି “ଚିୟର୍ସ’ । କେହି କିଛି ନ କହିଲେ ବି ପେୟ ଭରା ପାତ୍ର ପୂର୍ଣ୍ଣ ହାତ ଆପେ ଆପେ ପାଖେଇ ଆସନ୍ତି ନିକଟକୁ ଆଉ ପାତ୍ରର ଟୁଣଟାଣ ଶବ୍ଦ ସହ ଲୋକଙ୍କ ପାଟିରୁ ସ୍ୱତଃ ଉଚ୍ଚାରିତ ହୋଇଥାଏ “ଚିୟର୍ସ’ । ଅଷ୍ଟାଦଶ ଶତାବ୍ଦୀରୁ ଉତ୍ସାହ ଉଦ୍ରେକ ଉଦ୍ଦେଶ୍ୟରେ କୃତଜ୍ଞତା ଲାଗି ବ୍ୟବହୃତ ହୋଇ ଆସୁଥିବା ଏହି ଶବ୍ଦ ମୂଳ ଫରାସୀ “ଚେରି’ରୁ ଆସିଛି । ଯାହାର ଅର୍ଥ “ମୁହଁ’ ବା “ମୁଣ୍ଡ’ । ଆଜିର ଦିନରେ ଚିୟର୍ସ ଆମ ଚତୁପାଶ୍ୱର୍ରେ ଥିବା ଲୋକଙ୍କ କଲ୍ୟାଣ କାମନାରେ ଏକ ସଂକ୍ଷିପ୍ତ ସାଙ୍କେତିକ ଶବ୍ଦ ହୋଇ ରହିଯାଇଛି । ତେବେ ଆସନ୍ତୁ ଜାଣିବା ଚିୟର୍ସ ଉଚ୍ଚାରଣ ପରେ କାହିଁକି ଆମେ ଛୁଆଁଇଥାଉ ପରସ୍ପରର ପାତ୍ର । ପେୟପାତ୍ର ପୂର୍ଣ୍ଣ ହେବା ପରେ ସ୍ୱତଃ ଆମର ହସ୍ତ ପାତ୍ରକୁ ଉଠାଇ ଅନ୍ୟ ହସ୍ତର ପାତ୍ର ସହ ଛୁଆଁଇଥାଏ । ଏହା କ୍ରମେ ସଭ୍ୟ ମାନବର ଅଭ୍ୟାସରେ ପରିଣତ ହେଲାଣି । ଯଦି କେହି ପାଖରେ ବି ନଥାନ୍ତି ତେବେ ପାତ୍ର ସହ ହସ୍ତ ସ୍ୱତଃ ଉପରକୁ ଉଠାଇ ଚିୟର୍ସ ଉଚ୍ଚାରଣ କରୁ । ଏପରି କରିବାର ଉଦ୍ଦେଶ୍ୟ ଚେତନାକୁ ଜାଗ୍ରତ କରିବା । ଯେତେବେଳେ ଆମେ ବନ୍ଧୁ ଗହଣରେ ବସିଥାଉ ସେତେବେଳେ ପାନୀୟ ପରସା ଯିବାର ଉଦ୍ଦେଶ୍ୟ ବି ଥାଏ । ଏଥିରେ ଥିବା ସେନସ୍ଗୁଡିକ ହେଉଛି “ଆମେ ଏହାକୁ ଦେଖିପାରୁ’, “ଅନୁଭବ କରିପାରୁ’, “ସ୍ୱାଦ ଓ ଗନ୍ଧ ବାରିପାରୁ’ । କୁହାଯାଏ କାହାର କଲ୍ୟାଣ କାମନାରେ ପାନପାତ୍ର ଛୁଆଁଇବାର ଟୁଣଟାଣ ଶବ୍ଦ ସମସ୍ତ ୫ଟି ସେନସ୍କୁ ସନ୍ତୁଷ୍ଟ କରିଥାଏ । ଏଣୁ କୌଣସି ସାମୂହିକ କାର୍ଯ୍ୟକ୍ରମରେ ଦୈହିକ ଭାବେ ପାନ ପାତ୍ର ସ୍ପର୍ଷ କରି ଆମେ କଲ୍ୟାଣ କାମନାରେ ଆମର ଉପସ୍ଥିତି ଜାହିର କରେ । ଏହାର ଅନ୍ୟ ଏକ କାରଣ ବି ରହିଛି ତାହା ହେଉଛି ଆତ୍ମାଙ୍କ ସନ୍ତୁଷ୍ଟି । ପାନପାତ୍ର ପରସ୍ପର ଧକ୍କା ଲାଗିବାବେଳେ କିଛି ପାନୀୟ ତଳେ ଢାଳି ହୋଇଯାଏ । ଅଶରୀରମାନେ ସେଥିରୁ ତୃପ୍ତ ହୁଅନ୍ତି ବୋଲି ମଧ୍ୟଯୁଗୀୟ ବିଶ୍ୱାସ ରହିଆସିଛି । ସେହିପରି ଅନ୍ୟ ଏକ କାରଣ ହେଉଛି ପାନୀୟରେ ବିଷ ପ୍ରୟୋଗର ଭୟ ଦୂରକରିବା । ସାଧାରଣତଃ କୌଣସି ସାମୂହିକ କାର୍ଯ୍ୟକ୍ରମରେ ବ୍ୟକ୍ତିଗତ ଆକ୍ରୋଶ ଲାଗି କେହି ପାନୀୟରେ ବିଷ ମିଶ୍ରଣ କରିଥିବାର ବି ଭୟ ଥାଏ । ଏଣୁ ମିଳିତ ଭାବେ ପାନୀୟ ଗ୍ରହଣ କରିବାବେଳେ ପାତ୍ରକୁ ପାତ୍ର ମାଡ଼ କରିବାବେଳେ ପାନୀୟ ଚହଲି ପରସ୍ପରର ପାତ୍ର ସହ ମିସିଥାଏ । ଏଣୁ ଏହା ଦ୍ୱାରା ପାନୀୟରେ ବିଷ ପ୍ରୟୋଗ ଜନିତ ଭୟ ନଥାଏ । ସେହିପରି ଭଗବାନଙ୍କ ପ୍ରୀତ୍ୟାର୍ଥେ ମଧ୍ୟ ଏପରି କରାଯାଇଥାଏ । ପ୍ରାଚୀନ ଗ୍ରୀକ୍ ସଭ୍ୟତାରେ “ବାକ୍ଚୁସ୍ ହେଉଛନ୍ତି ସୁରାର ଦେବତା । ଏଣୁ ପାନପାତ୍ର ଉପରକୁ ଉଠାଇ ଆମେ ତାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥାଉ, ଯେପରିକି ପାନୀୟ ଦ୍ୱାରା ଜୀବ ସୁସ୍ଥ ସ୍ୱାସ୍ଥ୍ୟ ଓ ଆଶୀର୍ବାଦ ପ୍ରାପ୍ତ ହୁଏ ।