ମଦ ପିଇଲେ ଦେବାକୁ ପଡିବ ମାଂସ ତରକାରି ସହ ୨ ହଜାର ଟଙ୍କା
ସାଧାରଣତଃ ଆଦିବାସୀ ଅଧ୍ୟୁସିତ ଅଞ୍ଚଳରେ ସେମାନଙ୍କର ଭିନ୍ନ ନିୟମ ରହିଥାଏ । ଏହି ନିୟମ ଅନୁଯାୟୀ ନ ଚଳିଲେ ସେମାନଙ୍କୁ ବିଭିନ୍ନ ସମସ୍ୟା ଦେଇ ଗତି କରିବାକୁ ପଡ଼ିଥାଏ । ଏମିତି ଏକ ଆଦିବାସୀ ଅଞ୍ଚଳ ହେଉଛି ଗୁଜରାଟ ବିନାଶକାଠ ଜିଲ୍ଲାର ଖାଟିସିତାରା ଗାଁ । ଏଠାରେ ଯଦି କେହି ମଦ ପିଇବା ଦେଖାଯାଏ ତେବେ ସେ ସମ୍ପୂର୍ଣ୍ଣ ଗାଁକୁ ମାଂସ ଭୋଜି ଦେବା ସହ ୨ ହଜାର ଟଙ୍କା ଜରିମାନା ଦେଇଥାଆନ୍ତି । ଆଉ ଏଥିପାଇଁ ୨୦-୨୨ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ । ୨୦୧୪-୧୫ରେ ଆରମ୍ଭ କରାଯାଇଥିବା ଏହି ନିୟମ ଆଜି ବି କାର୍ଯ୍ୟକାରୀ ହେଉଥିବା କୁହାଯାଏ । ସୂଚନାଯୋଗ୍ୟ, ପୂର୍ବରୁ ଏଠାରେ ଅଧିକାଂଶ ଲୋକ ମଦ ପିଉଥିଲେ । ଆଉ ଏହା ପରେ ଗାଁରେ ପାଟିତୁଣ୍ଡ, ମାଡ଼ପିଟ ବଢ଼ିବାରେ ଲାଗିଲା । ସମୟକ୍ରମେ ଗାଁରେ ଅପରାଧ ସଂଖ୍ୟା ବୃଦ୍ଧି ହେବାରୁ ଏହାକୁ କମ୍ କରିବାକୁ ଯାଇ ଗାଁ ମୁଖିଆଙ୍କ ସହ ଆଲୋଚନା କରି ଏହି ନିୟମ ପ୍ରଚଳନ କରାଗଲା । ଯେ ଯଦି ଗାଁରେ କେହି ମଦ ପିଅନ୍ତି ଓ ଏହା ପରେ ବିବାଦ ଉପୁଜେ ତେବେ ସେମାନଙ୍କୁ ମାଂସ ଭୋଜି ସହ ୨ ହଜାର ଟଙ୍କାର ଜରିମାନା ଦେବାକୁ ପଡ଼ିବ । ଆଉ ଏହି ନିୟମ ଲାଗୁ ହେବା ଦିନରୁ ଖାଟିସିତାରା ଗାଁରେ ଅପରାଧ ସଂଖ୍ୟା କମ୍ ହୋଇଥିବା କୁହାଯାଏ ।


