ମଦ ପିଇ ଆସିଲେ ଚାକିରି ଯିବ
ଭୁବନେଶ୍ୱର: କରୋନା ଲକଡାଉନ ସମୟରେ ରାଜ୍ୟରେ ସମସ୍ତ ସରକାରୀ ସ୍ୱୀକୃତିପ୍ରାପ୍ତ ମଦ ଦୋକାନ ବନ୍ଦ ରହିଛି । ଆଉ ଏହାର ସୁଯୋଗରେ ରାଜ୍ୟରେ ବୃଦ୍ଧି ପାଇଛି ନକଲି ମଦ କାରବାର । ମଦ୍ୟପମାନେ ମଧ୍ୟ ଚଢା ଦରରେ ନକଲି ମଦ କିଣି ପିଉଛନ୍ତି । ତେବେ ଏହାରି ଭିତରେ ମଦ୍ୟପ କର୍ମଚାରୀଙ୍କ ପାଇଁ ଏକ ସତର୍କ ଘଣ୍ଟି ବାଜିଛି । ମଦ ପିଇ କାର୍ଯ୍ୟସ୍ଥଳକୁ ଆସିଲେ ସେମାନଙ୍କ ଚାକିରି ଯିବ । ଏହି ସତର୍କ ଘଣ୍ଟି ବଜାଇଛନ୍ତି ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ତାଙ୍କ ସୂଚନା ଅନୁଯାୟୀ ଏଣିକି ବିଧାନସଭା ପରିସରରେ କେହି ପାନ, ସିଗାରେଟ ଓ ଛେପ ପକାଇ ପାରିବେ ନାହିଁ । ମଦ ପିଇ କୌଣସି କର୍ମଚାରୀ ଆସିଲେ ସେମାନଙ୍କ ଚାକିରି ଯିବ ବୋଲି ଶ୍ରୀ ପାତ୍ର କହିଛନ୍ତି । ଲୋକସଭା ବାଚସ୍ପତିଙ୍କ ସହ ଭିଡିଓ କନଫରେନ୍ସିଂ ପରେ ଶ୍ରୀ ପାତ୍ର ଏହି ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ବାହାର ରାଜ୍ୟରେ ଥିବା ଶ୍ରମିକଙ୍କ ପାଇଁ ବିଧାନସଭାରେ ଏକ ସ୍ୱତନ୍ତ୍ର ହେଲପ ଡେସ୍କ ଖୋଲିବ । ଏଥିସହ ବିଧାୟକମାନେ ସେମାନଙ୍କ ଅଞ୍ଚଳରୁ ଫସିଥିବା ଶ୍ରମିକଙ୍କ ତଥ୍ୟ ଦେବେ । ଶ୍ରମିକଙ୍କ ତଥ୍ୟ ମିଳିଲେ ସେମାନଙ୍କ ଥଇଥାନ ନେଇ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ପାତ୍ର କହିଛନ୍ତି ।


