ମଦ ବିରୋଧୀଙ୍କ ଜିଲ୍ଲା କମିଟି ପୁନର୍ଗଠିତ ଗାନ୍ଧୀ ଜୟନ୍ତୀରୁ ଗାଁକୁ ଯିବ ଆନ୍ଦୋଳନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସରକାରୀ ମଦ ଓ ଅବକାରୀ ବିଭାଗର ପ୍ରୋତ୍ସାହନରେ ଅବାଧରେ ତଥା ସମାନ୍ତରାଳ ଭାବରେ ଚାଲୁଥିବା ଚୋରା ମଦ କାରବାର ବିରୋଧରେ ସ୍ୱର ଉଠାଉଥିବା ମଦ ବିରୋଧୀ କର୍ମୀମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଗରାପୁରସ୍ଥିତ ଆନନ୍ଦମାର୍ଗ ଶିକ୍ଷା କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି । ନିଶା ନିବାରଣ ଅଭିଯାନର ଜିଲ୍ଲା ସଭାପତି ପାର୍ବତୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ପାଦକ ଆଦିକନ୍ଦ ରାଉଳ ଉଦେଶ୍ୟ ଜ୍ଞାପନ ସହ ଆଗାମୀ ଆନ୍ଦୋଳନ ସମ୍ପର୍କରେ ସୂଚନା ଦେଇଥିଲେ । ଜିଲ୍ଲାର ସମସ୍ତ ୯ଟି ବ୍ଲକ ଓ ୨ଟି ପୈାରସଂସ୍ଥା ଅନ୍ତର୍ଗତ ୪୦ରୁ ଉର୍ଦ୍ଧ୍ୱ ପଞ୍ଚାୟତରୁ ଆସିଥିବା ଶତାଧିକ ମଦ ବିରୋଧୀ ଓ ସାମାଜିକ କର୍ମୀ ନିଜ ନିଜ ଅଞ୍ଚଳରେ ନିଶା କାରବାର ଜନିତ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ସରକାରଙ୍କ ଦ୍ୱାରା ନିଶା ନିବାରଣ ଆଇନ-୧୯୫୬କୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ବିଭିନ୍ନ ସମୟରେ ଦିଆଯାଉଥିବା ପ୍ରୋତ୍ସାହନ ମୂଳକ ମନ୍ତବ୍ୟକୁ ସଭାରେ ଦୃଢ ନିନ୍ଦା କରାଯାଇଥିଲା । ସଂଗଠନର ରାଜ୍ୟ ନେତୃତ୍ୱ ଅପର୍ଣ୍ଣା ନାୟକ, ମଳୟ ତ୍ରିପାଠୀ ଓ କାହ୍ନୁ ଚରଣ ବେହୁରାଙ୍କ ଦିଗ୍ଦର୍ଶନରେ ଅନୁଷ୍ଠିତ ଏହି ସଭାରେ ଆସନ୍ତା ଗାନ୍ଧୀ ଜୟନ୍ତୀରେ ଆନ୍ଦୋଳନକୁ ପ୍ରତି ଗାଁରେ ଜନଚେତନା ମାଧ୍ୟମରେ ସଂଗଠିତ କରିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଓଡିଶାର ଗାଁ ଗହଳରୁ ଉଭୟ ସରକାରୀ ଓ ଚୋରାମଦ ବେପାରକୁ ନିଷିଦ୍ଧ କରିବା ଦାବିରେ ପ୍ରତି ପଞ୍ଚାୟତରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ବା ଫଟୋ ସମ୍ମୁଖରେ ଗାନ୍ଧୀ ଜୟନ୍ତୀରେ ମୈାନ ଧାରଣା ଦିଆଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇ ସେହି ଦିନରୁ ଆନ୍ଦୋଳନକୁ ଗତିଶୀଳ କରିବାକୁ ସ୍ଥିର କରାଯାଇଥିଲା । ଏହି ଅବସରରେ ଜିଲ୍ଲା କମିଟିକୁ ପୁନର୍ଗଠିତ କରାଯାଇ ଅଭିଯାନର ସଭାପତି – ପାର୍ବତୀ ନାୟକ ଓ ସମ୍ପାଦକ- ଆଦିକନ୍ଦ ରାଉଳଙ୍କ ନେତୃତ୍ୱରେ ଦାମୋଦର ଧଳ, ସୁନିଲ ରାଉଳ, ବୀରେନ୍ଦ୍ର ପଣ୍ଡା, ଦମୟନ୍ତୀ ସାହୁ, କାଳି ପ୍ରସାଦ ନାୟକ, ସୋହାନା ବେଗମ, ସିଦ୍ଧାର୍ଥ ଶଙ୍କର ରାୟ, ଅଭିମନ୍ୟୁ ରାଉତ, ନବାବ ପଣ୍ଡା, ଅଶୋକ ମହାରଣା ପ୍ରମୁଖଙ୍କୁ ନେଇ ଏକ ୧୫ଜଣିଆ ଜିଲ୍ଲା କମିଟି ଗଠନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରମଣୀରଞ୍ଜନ ରାଉତରାୟ, ଦ୍ରୈାପଦୀ ରାଉତ, ଅଜୟ ସାମଲ, ନିରଞ୍ଜନ ପରିଡା, ଲକ୍ଷ୍ମୀଧର ଦିକ୍ଷିତ, ଧନେଶ୍ୱର ରାଉତ, ଭାଗୀରଥି ଜେନା, ସଶ୍ମିତା ବେହେରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।