ମଧୁବାବୁ ଥିଲେ ସମଗ୍ର ଓଡ଼ିଆଙ୍କ ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷ।। ଅଭିଯାନ ପକ୍ଷରୁ ଉତ୍କଳର ମହାନ୍ ବରପୁତ୍ର, ପ୍ରଥମ ଓଡ଼ିଆ ବାରିଷ୍ଟର, ସ୍ୱାଧୀନତା ସଂଗ୍ରାମୀ, ଭାଷାବିତ୍ ସ୍ୱର୍ଗତ ମଧୁସୂଦନ ଦାସଙ୍କ ୮୯ତମ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତିଚାରଣ ସଭା ସ୍ଥାନୀୟ ୟୁନିଟ୍-୮ ପ୍ରତିମୂର୍ତ୍ତିସ୍ଥଳରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ, ଅଧ୍ୟକ୍ଷ, ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପ୍ରଦ୍ୟୁମ୍ନ ଶତପଥୀ ସଂଯୋଜନା ଓ ସଭାପତିତ୍ୱ କରି ମତବ୍ୟକ୍ତ କରିଥିଲେ ଯେ, ମଧୁବାବୁ ଥିଲେ ସମଗ୍ର ଓଡ଼ିଆଙ୍କ ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକ । ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା, ମହାନ୍ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଶା ବିଚ୍ଛିନ୍ନାଞ୍ଚଳର ଏକତ୍ରିକରଣ କରିବା ସହିତ ଜଣେ ବିଜ୍ଞ ଆଇନ ବିଶାରଦ ଭାବେ ସାରା ଓଡ଼ିଶାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ଏହା ସହିତ ଚମଡ଼ା ଶିଳ୍ପର ବିକାଶ ପାଇଁ ଉତ୍କଳ ଟ୍ୟାନେରୀ, ତାରକସି କାମ ପାଇଁ ଉତ୍କଳ ଆର୍ଟ ୱାର୍କସ୍ ପ୍ରତିଷ୍ଠା କରିବା ସହିତ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ଅହରହ ଚେଷ୍ଟିତ ଥିଲେ । ଅନ୍ୟ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ବର୍ଷିୟାନ୍ ସ୍ୱାଧୀନତା ସଂଗ୍ରାମୀ ପର୍ଶୁରାମ ଦ୍ୱିବେଦୀ, ଶିକ୍ଷାବିତ୍ ସୀତାବଲ୍ଲଭ ମହାପାତ୍ର, କାମଦେବ ମିଶ୍ର, ରମେଶ ଚନ୍ଦ୍ର ପାତାଳସିଂହ, ବିଜୟ ପରିଡ଼ା, ବ୍ରଜବନ୍ଧୁ ପରିଡ଼ା ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ । ମଧୁବାବୁଙ୍କୁ ଭାରତରତ୍ନ ଦେବା ପ୍ରସ୍ତାବ, ଓଡ଼ିଶାର ବିଚ୍ଛିନ୍ନାଞ୍ଚଳରେ ଥିବା ଓଡ଼ିଆଙ୍କ ଗଣତି ତଥା ସୀମା ସୁରକ୍ଷା ପାଇଁ ଏକ ପ୍ରସ୍ତାବ ଅଭିଯାନ ପକ୍ଷରୁ ଗୃହୀତ କରାଯାଇଥିଲା । ମଧୁବାବୁ କେବଳ ଉତ୍କଳ ଗୌରବ ନୁହଁନ୍ତି, ଭାରତ ଗୌରବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ପ୍ରମୁଖ ପରିଚାଳନା କରିଥିଲେ ସଂଯୋଜକ ନାରାୟଣ ଓଝା, ସଞ୍ଜୟ ପରିଡ଼ା, ଲଗ୍ନାଦିପ ମିଶ୍ର ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।