ମଧ୍ୟପ୍ରଦେଶ କଂଗ୍ରେସରେ କନ୍ଦଳ ତୀବ୍ର

ଭୋପାଳ : ମଧ୍ୟପ୍ରଦେଶ କଂଗ୍ରେସରେ ଏବେ ଆଭ୍ୟନ୍ତରୀଣ କଳହ ତୀବ୍ର ହେବାରେ ଲାଗିଛି । ମଧ୍ୟପ୍ରଦେଶ ଜଙ୍ଗଲ ମନ୍ତ୍ରୀ ଉମଙ୍ଗ ସିଙ୍ଘର ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହଙ୍କ ବିରୋଧରେ ରଖିଥିବା ଏକ ବୟାନ ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ କମଳନାଥ ସମନ କରି ତାଙ୍କ ସହ ପ୍ରାୟ ୧ ଘଣ୍ଟା ଧରି ରୁଦ୍ଧ ଦ୍ୱାର ବୈଠକ କରିଥିଲେ । ଦିଗବିଜୟ ସିଂହ ଜଣେ ବ୍ଲାକ୍ମେଲର ଏବଂ ସେ ମଧ୍ୟପ୍ରଦେଶ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ବୋଲି ଉମଙ୍ଗ୍ କହିଥିଲେ । ତେବେ ଉମଙ୍ଗ୍ଙ୍କ ଏଭଳି ଟିପ୍ପଣୀ ପାଇଁ କମଳନାଥ ତାଙ୍କ ସହ ଗତକାଲି ରୁଦ୍ଧଦ୍ୱାର ବୈଠକ କରିଥିଲେ ଏବଂ ଭବିଷ୍ୟତରେ ଏଭଳି ବୟାନ ନଦେବା ପାଇଁ ତାଗିଦ କରିଥିଲେ । ଏହି ବୈଠକ ସମୟରେ କଂଗ୍ରେସ ବିଧାୟକ ହିରାଲାଲ୍ ଅଲୱା ଏବଂ ରାଜ୍ୟବର୍ଦ୍ଧନ ସିଂହ ଦତ୍ତିଗାଓଁ ଉପସ୍ଥିତ ଥିଲେ । ପରେ କମଳନାଥ କହିଥିଲେ ଗଣମାଧ୍ୟମରେ କିଛି ବିବୃତି ଜାରି କରିବା ପୂର୍ବରୁ ପ୍ରଥମେ ତାଙ୍କ ସହ କଥା ହୋଇ ସମସ୍ୟାର ସମାଧାନ କରାଯିବା ଉଚିତ୍ । ଅନ୍ୟପକ୍ଷେ କଂଗ୍ରେସ ସାଧାରଣ ସଂପାଦକ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ପ୍ରସଙ୍ଗରେ ସିଙ୍ଘରଙ୍କୁ ସମର୍ଥନ କରିଛନ୍ତି । ସେ କହିଛନ୍ତି କମଳନାଥ ତାଙ୍କ ସରକାରରେ ବାହ୍ୟ ହସ୍ତକ୍ଷେପ ବନ୍ଦ କରିବା ଉଚିତ୍ ଏବଂ ସେ ପ୍ରଥମେ ତାଙ୍କ ମନ୍ତ୍ରୀମାନଙ୍କ କଥା ଶୁଣିବା ଊଚିତ୍ ।
ଉଲ୍ଲେଖଯୋଗ୍ୟ, ପିସିସି ସଭାପତି ଦୌଡ଼ରେ ଥିବା ସିଙ୍ଘର ଗତକାଲି ସର୍ବସାଧାରଣରେ ନିଜ କ୍ରୋଧ ପ୍ରକାଶ କରି କହିଥିଲେ, ଦିଗବିଜୟ ଜଣେ ନମ୍ବର ୱାନ୍ ବ୍ଲାକମେଲର । ବାଲି, ଖଣିଠାରୁ ଆରମ୍ଭ କରି ମଦ ପର୍ଯ୍ୟନ୍ତ ସେ ସବୁ ବ୍ୟବସାୟରେ ସାମିଲ ଅଛନ୍ତି । ଏହି ବୟସରେ ସେ ଏଭଳି ଦୁର୍ନୀତିରେ ମାତିବା ଠିକ୍ ନୁହେଁ ବୋଲି ସିଙ୍ଘର କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ