ମନରେଗା କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ବ୍ଲକ ସ୍ତରୀୟ ଜି.ଓ, ଏନଜିଓ ବୈଠକ

ବନ୍ତ, (ଚାନ୍ଦିନୀ ମହାନ୍ତି) : ଓଡିଶା ସରକାରଙ୍କ ନିର୍ଦ୍ଦେଶ ମୂଳେ ଗୁରବାର ବନ୍ତ ବ୍ଲକ ସମ୍ମିଳନୀ କକ୍ଷରେ ବ୍ଲକ ସ୍ତରୀୟ ସରକାରୀ କର୍ମଚାରୀ ଏବଂ ବେସରକାରୀ ସାମାଜିକ ସଙ୍ଗଠନର କର୍ମକର୍ତ୍ତା ମାନଙ୍କୁ ନେଇ ବିଡିଓ ରେବେକା ବିଲୁଙ୍ଗଙ୍କ ଆବାହକତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅଧିନସ୍ଥ ଜୀବିକା ନିର୍ବାହ ପ୍ରକଳ୍ପ ଗୁଡିକ ସାମିଲ କରାଯାଇ ଜବକାର୍ଡଧାରୀ ମାନଙ୍କୁ କାର୍ଯ୍ୟରେ ନିୟୋଜନ ନିମନ୍ତେ ଜବକାର୍ଡଧାରୀ ମାନଙ୍କୁ ସକ୍ରିୟ କରାଯିବା, ପ୍ରବାସୀ ଓଡିଶା ଫେରନ୍ତା ଲୋକମାନଙ୍କୁ ଜବକାର୍ଡ ଯୋଗାଇ ଦିଆଯାଇ ନରେଗା କାର୍ଯ୍ୟରେ ନିୟୋଜନ କରାଯିବା ବିଷୟରେ ଆଲୋଚନା କରାଯାଇଥିଲା । ଜବକାର୍ଡଧାରୀ ମାନେ ମନରେଗା କାର୍ଯ୍ୟରେ ୧୦୦ ଦିନରେ ୨୦ ହଜାର ୭ ଶହ ଟଙ୍କା ମଜୁରୀ ବାବଦ ପାଇବା ସହିତ ସେମାନେ ନିର୍ମାଣ ଶ୍ରମିକରେ ସାମିଲ ହୋଇ ଅବିବାହିତ ଝିଅ ବିବାହ ପାଇଁ ୫୦ ହଜାର ଟଙ୍କା, ଗ୍ରାମୀଣ ଗୃହ ନପାଇଥିଲେ ନିର୍ମାଣ ଶ୍ରମିକ ପକ୍କାଘର ବାବଦ ୧ ଲକ୍ଷ ୨୦ ହଜାର ଟଙ୍କା ପାଇବା ସହିତ ସେମାନଙ୍କ ପିଲା ଉଚ୍ଚତର ଶିକ୍ଷାଲାଭ ପାଇଁ ସରକାରୀ ଆର୍ଥିକ ପ୍ରୋତ୍ସାହନ ପାଇବା ବିଷୟରେ ନିଜ ନିଜ କାର୍ଯ୍ୟ କ୍ଷେତ୍ରରେ ଲୋକ ମାନଙ୍କୁ ସଚେତନ ସ୍ୱେଚ୍ଛାସେବୀ ସଂସ୍ଥା ମାନ କରିବା ନିମନ୍ତେ ପ୍ରଶାସନ ତରଫରୁ ଏନଜିଓ ମାନଙ୍କୁ ନିବେଦନ କରାଯାଇଥିଲା । ଏଥିସହିତ ଜୀବିକା ନିର୍ବାହ ସହ ସଂଶ୍ଳିଷ୍ଟ ପ୍ରକଳ୍ପ ଯଥା ଡ୍ରେନେଜ୍‌, ପୋଖରୀ, ଛେଳି, ଗାଈ ଗୁହାଳ, ଭର୍ମି କମ୍ପୋଷ୍ଟ ପ୍ରଭୃତିକୁ ଏନଜିଓ ମାନେ ବ୍ଲକ ପ୍ରଶାସନକୁ ଦେଇ ପ୍ରକଳ୍ପ ମଞ୍ଜୁର କରି ପାରିବେ ବୋଲି ଆଲୋଚନା ହୋଇଥିଲା । ପ୍ରତି ପଞ୍ଚାୟତରେ ଅନ୍ୟୁନ ୨୫୦ ଶ୍ରମିକ ମନରେଗା କାର୍ଯ୍ୟ କରିବା ପାଇଁ ସମସ୍ତ ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଥିଲା । ବୈଠକରେ ସି.ଏଫ.ଡବ୍ଲ୍ୟୁ.ଏସ୍‌.ଡି, ମିରାକିଲ୍‌, ଦିଶା, ଉଷା, ହାପିକ୍ଲବ, ଡିଡବ୍ଲ୍ୟୁଡବ୍ଲ୍ୟୁସିର କର୍ମକର୍ତ୍ତାଙ୍କ ସହିତ ବ୍ଲକ ଜିପିଇଓ, ଏଇ, ଜେଇ ଏବଂ ଜିଆରଏସ ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ