ମନରେଗା ପ୍ରକଳ୍ପ କାର୍ଯ୍ୟ ଜବକାର୍ଡଧାରୀଙ୍କୁ ଉପେକ୍ଷାକରି ମେସିନରେ ହେଉଥିବା ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା)ରେ ପ୍ରକଳ୍ପ କାର୍ଯ୍ୟ ଜବକାର୍ଡଧାରୀଙ୍କୁ ଉପେକ୍ଷା କରାଯାଇ ଜେସିବି ମେସିନ ଓ ଟ୍ରାକ୍ଟର ଯୋଗେ କରାଯାଉଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ଗ୍ରାମପଂଚାୟତରେ ଏକ ଖେଳପଡିଆ ବାରୋ ଗ୍ରାମରେ ବ୍ଲକ ପକ୍ଷରୁ କରାଯାଇଥିବା ବେଳେ ଏବେ ଅନ୍ୟ ଏକ ଖେଳପଡିଆ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା)ରେ ବାରୋ ଜବାହର ନବୋଦ୍ୱୟ ବିଦ୍ୟାଳୟ ପରିସରରେ କରାଯାଉଛି । ସଂପୃକ୍ତ ଖେଳପଡିଆଟି ପଂଚାୟତର ଜବକାର୍ଡଧାରୀଙ୍କ ବଦଳରେ ଜେସିବି ମେସିନ ଓ ଟ୍ରାକ୍ଟର ଯୋଗେ କରାଯାଉଥିବା ସମ୍ପର୍କରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସଂପୃକ୍ତ ପ୍ରକଳ୍ପ କାର୍ଯ୍ୟ ବନ୍ଦ ରହିଥିଲା । ଏହି ପ୍ରକଳ୍ପ କାର୍ଯ୍ୟ ହେଉଥିବା ସମୟରେ ଘଟଣାସ୍ଥଳରେ ସରପଂଚଙ୍କ ସ୍ୱାମୀ,ବ୍ଲକର କନିଷ୍ଠ ଯନ୍ତ୍ରୀ,ଜି.ଆର.ଏସ. ଓ ନବୋଦ୍ୱୟ ବିଦ୍ୟାଳୟର ଅଧ୍ୟକ୍ଷ ଛିଡାହୋଇଥିବା ମଧ୍ୟ ଦେଖାଯାଇଛି । ଏବେ ସେହି ପ୍ରକଳ୍ପର କାର୍ଯ୍ୟ ପୁନର୍ବାର ଜେସିବି ମେସିନରେ ଆରମ୍ଭ କରାଯାଇଥିବା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିକଟରେ ଅଭିଯୋଗ ହୋଇଛି । କେନ୍ଦ୍ରାପଡା ବ୍ଲକ ବିଡିଓଙ୍କୁ ଏସମ୍ପର୍କରେ ଅଭିଯୋଗ କରାଯାଇଥିଲେବି ସେ ନୀରବ ରହିବା ଘଟଣା ଆଶ୍ଚର୍ଯ୍ୟ ଚକିତ କରିଛି । ଆସନ୍ତା ଶନିବାର ଓ ରବିବାର ୨ଦିନ କରୋନା ଜନିତ ସଟଡାଉନ ରହୁଥିବାରୁ ସେହି ସମୟ ମଧ୍ୟରେ ଉକ୍ତ ପ୍ରକଳ୍ପ କାର୍ଯ୍ୟ ଶେଷ କରିଦେବାକୁ ମସୁଧା କରୁଥିବା ଅଭିଯୋଗ ହୋଇଛି । ଏପରି ଏକ ବେଆଇନ ଅଗଣତାନ୍ତ୍ରୀକ କାର୍ଯ୍ୟ ଜବକାର୍ଡଧାରୀଙ୍କ ଦାନାରେ ଧୂଳି ଦେଇଛି । ଏହି ଆଇନ ବିରୋଧୀ କାର୍ଯ୍ୟ କରୁଥିବା ବ୍ୟକ୍ତି ଓ ଏଥିନିମନ୍ତେ ପ୍ରୋତ୍ସାହନ ଦେଉଥିବା ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗକାରୀ ଭାଗିରଥୀ ଜେନା ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ