ମନରେଗା ମହାଦୂର୍ନୀତିରେ ଗିରଫ ସଂଖ୍ୟା ୫ କୁ ବୃଦ୍ଧି
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ ଶିମିଳିପାଳ ବନାଞ୍ଚଳ ବରେହିପାଣି, ଅସ୍ତକୁଅଁର, ଧଳାବଣି, ଗୁରୁଗୁଡିଆ, ପୋଡାଗଡ ପଞ୍ଚାୟତରେ ଗତ ୨୦୧୮/୧୯ ଆର୍ଥିକ ବର୍ଷରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କାମ ନ କରି ୩ କୋଟି ୨୧ ଲକ୍ଷ ଟଙ୍କା ରୁ ଅଧିକ ଅର୍ଥ ବାଟ ମାରଣା ହୋଇଛି । ଏ ସଂପର୍କରେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଠାରେ ଲିଖିତ ଅଭିଯୋଗ କରାଯିବା ସହ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ହୋଇଥିଲା । ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତ କରିବା ପରେ ଦୂର୍ନିତୀ ର ସତ୍ୟାସତ୍ୟ ଜଣାପଡିଥିଲା । ତାପରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଙ୍କ ନିର୍ଦ୍ଦେଶକ୍ରମେ ଯଶିପୁର ବିଡିଓ ୨୫ ଜଣଙ୍କ ନାମରେ ଯଶିପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଯଶିପୁର ଥାନା ଅଧିକାରୀ ରଞ୍ଜନ କୁମାର ସେଠୀ ୯୦/ ୨୦୨୦ ମକଦ୍ଦମା ରୁଜୁ କରି ଦଦନ୍ତ କରିବା ସହ ମୟୂରଭଞ୍ଜ ଏସ୍ ପି,ପି.ଏସ୍ ପୁରୁଷୋତ୍ତମ ଦାସଙ୍କ ନିର୍ଦ୍ଦେଶକ୍ରମେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ତନାଘନା ଉଦ୍ୟମ କରିଥିଲେ । ବର୍ତ୍ତମାନ ସୁଦ୍ଧା ବରେହିପାଣି ପଞ୍ଚାୟତର ପି.ଇ.ଓ ବେଣୁଧର ନାଏକ, ସରପଞ୍ଚ ଜୁଝେର ବାନସିଂ, ଗୁରୁଗୁଡିଆ ପଞ୍ଚାୟତର ପି.ଇ.ଓ ସନ୍ତୋଷ ଦାସ ଅସ୍ତକୁଅଁର ପଞ୍ଚାୟତର ପ୍ରାକ୍ତନ ପି.ଇ.ଓ ପ୍ରମିଜ୍ ସେଠୀ ଙ୍କୁ ଗିରଫ କରି କଂରଜିଆ କୋର୍ଟ ଚାଲାଣ କରି ସାରିଥିବା ବେଳେ ସେପ୍ଟେମ୍ବର ୮ ତାରିଖ ଅସ୍ତକୁଅଁର ସରପଞ୍ଚ ମହାନ୍ତି ବିରୁଆ ଙ୍କୁ ଯଶିପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଶ୍ରୀ ବିରୁଆ ଅସ୍ତକୁଅଁର ଗ୍ରାମ ପଞ୍ଚାୟତରେ ହୋଇଥିବା ୭୩ ଲକ୍ଷ ଟଙ୍କାର ଦୁର୍ନୀତିରେ ଜଡିତ ଥିବାର ଜଣାଯାଏ | ସେ ହାଇକୋର୍ଟ ରୁ ସର୍ତ୍ତମୂଳକ ଅନ୍ତରୀଣ ଜାମିନରେ ଥିଲେ | ଶ୍ରୀ ବିରୁଆ ଙ୍କ ହାଇକୋର୍ଟ ଜାମିନ ଅବଧି ସେପ୍ଟେମ୍ବର ୪ ତାରିଖରେ ଶେଷ ହୋଇଯାଇଥିବାରୁ ଆଇ.ଆଇ.ସି. ଶ୍ରୀ ସେଠି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି | ଯଶିପୁର ବ୍ଲକ ମନରେଗା ର ବ୍ଲକ ପ୍ରୋଗ୍ରାମ ଅଫିସର ତଥା ଯଶିପୁର ବ୍ଲକର ପୂର୍ବତନ ବିଡିଓ ଅନୁପମା ଘୋଷ ଙ୍କୁ ପୋଲିସ ର ତଦନ୍ତ ଚାଲିଥିଲାବେଳେ ଏଠାରୁ ଅଚାନକ ଭାବେ ବଦଳି କରି ଦିଆଯାଇଛି | ଯଶୀପୁରରେ ସେ ଥିବାସମୟରେ ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଦୁର୍ନୀତି ହୋଇଥିବାରୁ ନବୀନ ସରକାର ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।


