ମନରେଗା ଯୋଜନାରେ ଶ୍ରମିକ ମାନଙ୍କ ମଜୁରୀ ଟଙ୍କା ମିଳିନଥିବା ନେଇ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଅଭିଯୋଗ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଦିନକୁ ଦିନ ଶ୍ରମିକ ମାନଙ୍କ ଉପରେ ଜୁଲମ ବଢ଼ିବା ସହ ମିଳୁନାହିଁ ନିଜର ପାରିଶ୍ରମିକ ଟଙ୍କା । ଏନେଇ ଶ୍ରମିକ ମାନେ ଜିଲ୍ଲା ଶ୍ରମ ଆୟୁକ୍ତ କାର୍ଯ୍ୟଳୟରେ ଅଭିଯୋଗ କଲେ ସୁଦ୍ଧା ମିଳୁନାହିଁ ନ୍ୟାୟ । ମିଳୁଛି ଖାଲି ତାରିଖ ଉପରେ ତାରିଖ । ଏପରିକି ଶ୍ରମିକଙ୍କୁ ନ୍ୟାୟ ଦେବା ବଦଳରେ ଶ୍ରମ ଅଧିକାରୀ ଶ୍ରମିକ ମାନଙ୍କୁ ଖର୍ଚ୍ଚାନ୍ତ କରାଉଥିବା ଶ୍ରମିକ ମାନେ ଅଭିଯୋଗ କରିଛନ୍ତି । ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଅନ୍ତର୍ଗତ ସଲାବାଡ଼ି ଗ୍ରାମରୁ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ । ଏହି ଗ୍ରାମର ଦାରାବଣ୍ଡା ଠାରୁ ଆଡିନପାଙ୍ଗା ପର୍ଯ୍ୟନ୍ତ ମନରେଗା ଯୋଜନାରେ ୨୦୨୦ ମସିହାରେ ରାସ୍ତା କାମ ହୋଇଥିଲା । ଏହି କାମରେ ଗ୍ରାମର ବହୁ ପୁରୁଷ ଓ ମହିଳା ଲୋକ କାମ କରିଥିବା ବେଳେ କିଛି କିଛି ମଜୁରୀ ଟଙ୍କା ମିଳିଥିବା ବେଳେ ୧ ଲକ୍ଷ ରୁ ଉର୍ଦ୍ଧ ମଜୁରୀ ଟଙ୍କା ଶ୍ରମିକ ମାନେ ପାଇବେ । ଶ୍ରମିକ ମାନଙ୍କୁ ସଠିକ ସମୟରେ ମଜୁରୀ ଟଙ୍କା ମିଳିବ କହି ଗାଁ ସାଥି ତଥା ସିମନବାଡ଼ି ପଞ୍ଚାୟତର ନାଏବ ସରପଞ୍ଚ ମୋହନ ପ୍ରଧାନ ଲୋକଙ୍କୁ କାମ କରାଇଥିଲେ । ଏହି କାମ ବାବଦକୁ ସମସ୍ତ ଟଙ୍କା ବିଲ ମଧ୍ୟ ହେଲା। ହେଲେ ଟଙ୍କାକୁ ଶ୍ରମିକ ମାନଙ୍କୁ ନଦେଇ ଗାଁ ସାଥି ମୋହନ ପ୍ରଧାନ ଆତ୍ମସାତ କରିଦେଇଥିବା ନେଇ ଶ୍ରମିକ ମାନେ ପ୍ରଥମେ ବ୍ଲକ କାର୍ଯ୍ୟଳୟରେ ଅଭିଯୋଗ କରିଥିଲେ । ବ୍ଲକ କାର୍ଯ୍ୟଳୟରେ ନ୍ୟାୟ ନପାଇବାରୁ ଶେଷରେ ଜିଲ୍ଲା ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟଳୟରେ ଗତ ନଭେମ୍ବର ମାସରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ମୋହନ ପ୍ରଧାନଙ୍କୁ ବର୍ତମାନ ପର୍ଯ୍ୟନ୍ତ ୪ ଥର ନୋଟିସ ଜାରି ହେବା ସହ ଗତ ୩ ତାରିଖରେ ବିନା ନୋଟିସରେ ଉଭୟ ପକ୍ଷକୁ ଡକାଇଥିଲେ । ହେଲେ ଅଭିଯୋଗ ହେବାର ୯ ମାସ ବିତିଯାଇଥିଲେ ସୁଦ୍ଧା ତଦନ୍ତ ଆଳରେ ନିରୀହ ଶ୍ରମିକ ମାନଙ୍କୁ ଶ୍ରମ କାର୍ଯ୍ୟଳୟ ଦାୟିତ୍ୱ ରେ ଥିବା ଅଧିକାରୀ ୪ ଥର ଡକାଇ ୨୦ ହଜାର ରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚାନ୍ତ କରାଇ ସାରିଲେଣି । ନିରୀହ ଗରିବ ଶ୍ରମିକ ମାନେ ନିଜର ପାରିଶ୍ରମିକ ଟଙ୍କା ପାଇବା ବଦଳରେ ନିଜ ଘରର ସାମାନ ବିକ୍ରି କରି ଶ୍ରମ କାର୍ଯ୍ୟାଳୟ କୁ ଦୌଡ଼ିବାକୁ ପଡୁଥିବା ଶ୍ରମିକ ସୁକେନ୍ଦ୍ର ଦିଗାଲ, ପ୍ରଶନ ପ୍ରଧାନ, ପ୍ରଶାନ୍ତ ଦିଗାଲ, ଜୁନସ ଦିଗାଲ, ସୁରେଶ ଦିଗାଲ, ରମାକାନ୍ତ ଦିଗାଲ, ଜ୍ୟୋତିରାଜ ଦିଗାଲ,ପାଦିରା ଦିଗାଲ,ବିପିନ ପ୍ରଧାନ, ପେରିତ ଦିଗାଲ ପ୍ରମୁଖ ଅଭିଯୋଗ କରିଛନ୍ତି । ଏଭଳିକି ଅଭିଯୋଗ ହେବାର ୯ ମାସ ବିତିଯାଇଥିଲେ ସୁଦ୍ଧା କୌଣସି ତଦନ୍ତ ମଧ୍ୟ ଆରମ୍ଭ ହୋଇନଥିବା ସହ ଘଟଣା ସ୍ଥଳକୁ ଏପର୍ଯ୍ୟନ୍ତ ଶ୍ରମ ଅଧିକାରୀ ଆସିନଥିବା ଶ୍ରମିକ ମାନେ ଅଭିଯୋଗ କରିଛନ୍ତି । ମୋହନ ପ୍ରଧାନ ଜଣେ ନାଏବ ସରପଞ୍ଚ ହୋଇଥିଲେ ସୁଦ୍ଧା ସେ କିପରି ଗାଁ ସାଥି ହୋଇ ଲୋକଙ୍କ କାମ କରାଇ ଥିବା ବିଲ ଟଙ୍କାକୁ ହଡ଼ପ କଲେ ତାହା ଏବେ ତଦନ୍ତ ସାପେକ୍ଷ ହୋଇଛି । ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଶ୍ରମିକ ମାନଙ୍କୁ ନ୍ୟାୟ ପ୍ରଦାନ କରିବା ସହ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି । ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଏକାଧିକ ଥର ଫୋନ ଯୋଗେ ଯୋଗଯୋଗ କରିଥିଲେ ସୁଦ୍ଧା ଯୋଗାଯୋଗ ସମ୍ଭବ ହୋଇନଥିବା ବେଳେ ଗାଁ ସାଥି ମୋହନ ପ୍ରଧାନଙ୍କୁ ଉକ୍ତ ବିଷୟରେ ପଚାରିବାରୁ ସେ ଉକ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ