ମନରେଗା ରାସ୍ତା କାମ ସୂଚନା ଫଳକ ନାହିଁ ଶ୍ରମିକ ବଦଳରେ ମେସିନ କରୁଛି କାମ
କଳାହାଣ୍ଡି, (ଚିତ୍ତରଞ୍ଜନ ବିଷି): ମନରେଗା ଯୋଜନା ନାଁ ରେ ସରକାର କୋଟି କୋଟି ଟଙ୍କା ଖର୍ଜ କରୁଛନ୍ତି । ହେଲେ ଦୁର୍ଗମ ଅଞ୍ଚଳରେ ଏହି ଯୋଜନାରେ ଆସୁଥିବା ଲକ୍ଷ ଲକ୍ଷ ଅନୁଦାନ ଚତୁରତାର ସହ ହେରଫେର କରାଯାଉଛି । କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ ବ୍ଲକରେ ୨୬ ଗୋଟି ପଞ୍ଚାୟତର ପ୍ରତ୍ୟେକ ଗାଁ ମାନଙ୍କରେ ମନରେଗା ଯୋଜନା ରେ ବିଭିନ୍ନ ପ୍ରକାରର କାମ ଚାଲିଛି।ହେଲେ ଏହି କାମରେ ପଞ୍ଚାୟତ ଓ ବ୍ଲକ ଦାଇତ୍ଵରେ ଥିବା କର୍ମଚାରୀଙ୍କ ସହ ସାଲାସୁତୁରା ହୋଇ ଠିକାଦାର ମାନେ ନିୟୋଜିତ ରହିଥିବା ଜଣାପଡିଛି। କମ୍ କାମ କରାଇ ଠିକାଦାର ମାନେ ଅଫିସର ବାବୁ ମାନଙ୍କ ସହିତ ମିଳିମିଶି ମିଥ୍ୟା ବିଲ୍ ଦର୍ଶାୟୀ ଲକ୍ଷାଧିକ ଟଙ୍କା ଉଠାଉ ଥିବା ସୂଚନା ମିଳୁଛି।ଏଭଳି ଏକ ଅଭିଯୋଗ ଆସିଛି ଲାଞ୍ଜିଗଡ ବ୍ଲକ ଲାଖବାହିଲି ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁଣ୍ଡେଲ ଗାଁ ରାସ୍ତା କାମରୁ। ସୂଚନା ଅନୁସାରେ ଲାଖବାହିଲି ପଞ୍ଚାୟତରେ ଆର୍ଥିକ ୨୪-୨୫ ବର୍ଷ ମନରେଗା ଯୋଜନାରେ ଘୋଡ଼ା ଘାଟିରୁ ବଣ୍ଡେଲ ଗାଁ ପର୍ଯ୍ୟନ୍ତ ୮୦୦ ମିଟର ରାସ୍ତା କାମରେ ୧୦ ଲକ୍ଷ ଟଙ୍କା ଅନୁଦାନ ରାଶି ରହିଥିବା ବେଳେ ମାଟି କାମ ପାଇଁ ୫ ଲକ୍ଷ ଓ ମୁରୁମ କାମ ପାଇଁ ୫ ଲକ୍ଷ ଟଙ୍କା ରହିଛି।ଏହି ରାସ୍ତା କାମରେ ପ୍ରଥମେ ମାଟି କାମରେ ଶ୍ରମିକ ବଦଳରେ ଜେସିପି ମେସିନ ଓ ଟ୍ରାକ୍ଟର ଲଗାଇ ରାସ୍ତାରେ ମାଟି ପକେଇ ସାରି ଦେଇଥିବା ବେଳେ ବର୍ତ୍ତମାନ ମୁରୁମ କାମରେ ମଧ୍ୟ ୨୫ ପ୍ରତିଶତ ଶ୍ରମିକ କାମ କରିବାକୁ ରହିଥିବା ବେଳେ ଜେସିପି ମେସିନ ମାଧ୍ୟମରେ ରାସ୍ତା ସମତୁଳ କରାଯାଉଛି।ପଞ୍ଚାୟତ ମନରେଗା ଦାଇତ୍ଵରେ ଥିବା ଏଡିଓ ଆଦିତ୍ୟ ସାହୁ ଓ ଗାଁ ସାଥି କୃଷ୍ଣ ନାଏକ ଏହି କାମରେ ଠିକାଦାର ସାଜିଥିବା ବେଳେ ଏହି କାମରେ ନିଜ ବୁଣ୍ଡେଲ ଗାଁରୁ ୪ ରୁ ୫ ଜଣ ଶ୍ରମିକଙ୍କୁ ନିୟୋଜିତ କରାଯାଇ ଆଖପାଖ ଗାଁର ନିଜ ହାତ ମୁଠାରେ ଥିବା ଶ୍ରମିକଙ୍କୁ ନେଇ ତାଲିକା ପ୍ରସ୍ତୁତ କରାଯାଇଛି।ଏହା ବ୍ୟତୀତ ମୋବାଇଲ ରୁ ମୋବାଇଲକୁ ସ୍କେନ କରି ଫୋଟ ଅଫ ଲୋଡ଼ କରି ତାଲିକା ପ୍ରସ୍ତୁତ କରୁଥିବା ସୂଚନା ମିଳିଛି।କାମ ନ କରାଇ ଠିକାଦାର ମାନେ ନିଜ ସଂପର୍କୀୟ ଲୋକଙ୍କୁ କାମ ସ୍ଥାନରେ ଛିଡ଼ା କରାଇ ମଧ୍ୟ ଫୋଟ ଅପଲୋଡ଼ କରି ମିଥ୍ୟା ମୋଷ୍ଟର ରୋଲ୍ ପ୍ରସ୍ତୁତ କରି ଟଙ୍କା ହଡପ କରୁଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି।ଆଦିବାସୀ ଅଞ୍ଚଳରେ ଲୋକଙ୍କ ସରଳତା ଦେଖି ଏହି କାମରେ କୌଣସି ସୂଚନା ଫଳକ ଲଗା ଯାଇନାହି।ପଞ୍ଚାୟତ ଅଧୀନରେ ଚାଲିଥିବା ମନରେଗା କାମରେ ଏଡ଼ିଓଙ୍କୁ ସାଲିସ କରାନଗଲେ କାମ ଦିଆଯାଉନାହିଁ ବୋଲି ଲୋକେ ପ୍ରକାଶ କରିଛନ୍ତି।ଏହି ରାସ୍ତା କାମରେ ଗାଁ ସାଥି ଓ ଏଡିଓ ଠିକାଦାର ସାଜିଥିବା ବେଳେ ଜେସିପି ମେସିନ ମାଧ୍ୟମରେ କାମ ଚାଲିଥିବା ଯାହାଫଳରେ ଶତାଧିକ ଶ୍ରମିକ କାମରୁ ବଞ୍ଚିତ ରହୁଥିବା ଲୋକମାନେ ପ୍ରକାଶ କରିଛନ୍ତି।ଦାଇତ୍ଵରେ ଥିବା ପଞ୍ଚାୟତ ଓ ବ୍ଳକ ପ୍ରଶାସନିକ ଅଧିକାରୀଙ୍କ ମଧୁଚନ୍ଦ୍ରିକା ରହିଥିବା ଯୋଗୁଁ ଲୋକଙ୍କ ଅଭିଯୋଗ ପରେବି ଦୁର୍ନୀତି ବିରୁଦ୍ଧରେ କୌଣସି ତଦନ୍ତ ହେଉନଥିବା ଲୋକେ କହୁଛନ୍ତି।ଗାଁ ସାଥି ଓ ଏଡିଓ ମିଥ୍ୟା ବିଲ କରି ମାଲାମାଲ ହେଉଥିବା ବେଳେ ନିରିହ ଗରିବ ଶ୍ରମିକ ମାନେ ଏହାର ସଠିକ ସୁବିଧା ପାଇଁ ବାରୁ ବଞ୍ଚିତ ରହୁଛନ୍ତି।ଏନେଇ ଲାଖବାହିଲି ସରପଞ୍ଚ ପଦ୍ମିନୀ ମାଝୀଙ୍କୁ ପଚାରିବାରୁ ବୁଣ୍ଡେଲ ଗାଁର ମନରେଗା ଯୋଜନାରେ ରାସ୍ତା କାମ ହେଉଛି ବୋଲି ମୁଁ ଆପଣଙ୍କ ଠାରୁ ଶୁଣୁଛି।ମୋତେ ଏହି କାମକୁ ନେଇ କେହି ଜଣାଇ ନାହାଁନ୍ତି ବୋଲି ପ୍ରକାଶ କରିଛନ୍ତି।ଏନେଇ ଲାଞ୍ଜିଗଡ ବିଡିଓ ଶଶାଙ୍କ ପାତ୍ରଙ୍କୁ ପଚାରିବାରୁ ଏମିତି ନହେବା କଥା ମୁଁ ବର୍ତ୍ତମାନ ଅଫିସ କାମରେ ବାହାରକୁ ଆସିଛି।ଗଲେ ନିଶ୍ଚୟ ତଦନ୍ତ କରିବାକୁ ଯିବି ବୋଲି ପ୍ରକାଶ କରିଛନ୍ତି।ଗତ ଜାନୁଆରୀ ୨୧ ତାରିଖରେ ଲାଞ୍ଜିଗଡ ପଞ୍ଚାୟତ ସମିତି ମନରେଗା ଜନଶୁଣାଣି ସମୀକ୍ଷା ବୈଠକରେ ଲାଞ୍ଜିଗଡ ବ୍ଳକ ବିଭିନ୍ନ ପଞ୍ଚାୟତରେ ମନରେଗା ରେ ଦୁର୍ନୀତି ହୋଇଥିବା ବ୍ଳକ ଅଡିଟ ଦାଇତ୍ଵରେ ଥିବା ମହିଳା ମାନେ ଅଭିଯୋଗ ଆଣିଥିଲେ।କିନ୍ତୁ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ।ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ ବ୍ଳକରେ ନିରୀହ ଆଦିବାସୀଙ୍କ ସରଳତା ଯୋଗୁଁ ଅଭିଯୋଗ କଲେ ମଧ୍ୟ କାମର ଉଚ୍ଚ ସ୍ତରୀୟ ତଦନ୍ତ ହେଉ ନଥିବା ହେତୁ ସରକାରଙ୍କ କୋଟି କୋଟି ଟଙ୍କା ସଠିକ କାର୍ଯ୍ୟ ରେ ନଲାଗି ଆତ୍ମସାତ କରାଯାଉଛି।ଏଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ଓ ଭିଜିଲାନ୍ସ ବିଭାଗ ଗୁରୁତ୍ବ ପୂର୍ବ ଭାବେ କାମର ଉଚ୍ଚ ସ୍ତରୀୟ ତଦନ୍ତ ସକାଶେ ସାଧାରଣରେ ଦାବି ହେଉଛି।