ମନରେଗା ଶ୍ରମିକ ସଭା ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଓଡ଼ିଶା ମନରେଗା ଶ୍ରମିକ ୟୁନିଅନ ଗଞ୍ଜାମ ଜିଲ୍ଲା କମିଟି ନେତୃତ୍ବରେ ସୋମବାର ହିଞ୍ଜିଳିକାଟୁ ବସଷ୍ଟାଣ୍ଡ ଠାରୁ ଏକ ବିଶାଳ ଶ୍ରମିକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ହିଞ୍ଜିଳିକାଟୁ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକ ସଭା ଅନୁଷ୍ଠିତ ହୋଇଥିଲା। ୧୧ ଦଫା ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓ ସୁବ୍ରତ କୁମାର ଜେନାଙ୍କ ଜରିଆରେ ପ୍ରଦାନ କରାଯାଇଥିଲା। ଦୈନିକ ସର୍ବନିମ୍ନ ମଜୁରୀ ୬୦୦ ଟଙ୍କାକୁ ବୃଦ୍ଧି ଏବଂ ସର୍ବଭାରତୀୟ ସ୍ତରରେ ଗୋଟିଏ ମଜୁରୀ ବ୍ୟବସ୍ଥା, ପ୍ରତି ଶ୍ରମିକଙ୍କୁ ବାର୍ଷିକ ୨୦୦ ଦିନର କାମ ଏବଂ ଗୋଟିଏ ପରିବାରର ସର୍ବନିମ୍ନ ୨ ଜଣ ଶ୍ରମିକଙ୍କୁ କାମ, ଡିଲିଟ ହୋଇଥିବା ପ୍ରକୃତ ଶ୍ରମିକଙ୍କ ଜବକାର୍ଡ ତୁରନ୍ତ ପୁନଃଚାଲୁ କରି କାମ ପ୍ରଦାନ କରିବା, କର୍ମସ୍ଥଳୀ ନିକଟରେ ମାଷ୍ଟର ରୁଲ, ଶିଶୁମାନଙ୍କ ଯତ୍ନନେବା, ପାନୀୟ ଜଳ, ବିଶ୍ରାମ ଓ ପ୍ରାଥମିକ ଚିକିତ୍ସା ପାଇଁ ସୁବନ୍ଦୋବସ୍ତ କରିବା, ଡିଜିଟାଲ ଉପସ୍ଥାନ ପରିବର୍ତ୍ତେ ସଠିକ ଉପସ୍ଥାନ ଓ ସଠିକ ସୂଚନା ବ୍ୟବସ୍ଥା ପ୍ରଚଳନ କରିବା, ପ୍ରକୃତ ଶ୍ରମିକଙ୍କୁ କାମ ଦେବା ବଦଳରେ ଘରେ ରହୁଥିବା ଶ୍ରମିକଙ୍କ ନାମରେ ମଜୁରୀ ଉଠାଇ ହଡପ କରୁଥିବା ଲୁଟେରା ଠିକାଦାର ଓ କର୍ମଚାରୀଙ୍କୁ ଅବିଳମ୍ବେ ଗିରଫ କରିବା, ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟର ସମସ୍ତ ମନରେଗା ଶ୍ରମିକଙ୍କୁ ପଞ୍ଜିକରଣ, ହିତାଧିକାରୀ ପରିଚୟ ପତ୍ର ଓ ସାମାଜିକ ନିରାପତ୍ତା ପ୍ରଦାନ, ମନରେଗା ଶ୍ରମିକଙ୍କ ପାଇଁ ଏକ ସ୍ଵତନ୍ତ୍ର କଲ୍ୟାଣ ବୋର୍ଡ ଗଠନ, ମନରେଗା ଶ୍ରମିକଙ୍କ ମୃତ୍ୟୁକାଳୀନ ସହାୟତା ୫ ଲକ୍ଷ ଟଙ୍କା ଏବଂ କନ୍ୟା ବିବାହ ସହାୟତା ୧ ଲକ୍ଷ ଟଙ୍କା, କେ.ଜି ଠାରୁ ପି.ଜି ପର୍ଯ୍ୟନ୍ତ ଶିକ୍ଷା ସହାୟତା, ସପରିବାରର ଦେୟମୁକ୍ତ ଚିକିତ୍ସା ସେବା ଯୋଗାଇବା, ୫୫ ବର୍ଷରୁ ଉର୍ଦ୍ଧ୍ବ ମନରେଗା ଶ୍ରମିକଙ୍କୁ ମାସିକ ୫ ହଜାର ଟଙ୍କା ପେନସନ ବ୍ୟବସ୍ଥା ଓ ପଞ୍ଜିକୃତ ଶ୍ରମିକଙ୍କୁ ବୋନସ, କାମର ୭ ଦିନ ମଧ୍ୟରେ ମଜୁରୀ, କାମ ନଯୋଗାଇ ପାରିଲେ ବେକାରୀ ଭତ୍ତା ପ୍ରମୁଖ ଦାବୀ ନେଇ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ବିଇଡି ଛାତ୍ର ମନରେଗା ଶ୍ରମିକ ସାଗର ନାୟକ ମନରେଗା ଶ୍ରମିକଙ୍କ ଦୁଃଖ ଦୁର୍ଦ୍ଦଶା ବର୍ଣ୍ଣନା କରିବା ସହ ଆନ୍ଦୋଳନ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବା ପରେ ନିଳେନ୍ଦ୍ରୀ ବେହେରା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶ୍ରମିକ ସଭାରେ ଓଡ଼ିଶା ମନରେଗା ଶ୍ରମିକ ୟୁନିଅନ ର ସାଧାରଣ ସମ୍ପାଦିକା ପି ପାର୍ବତୀ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଆଇନ ୨୦୦୫ର ଉଦ୍ଧେଶ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା ରଖିବା ସହ ଆଇନ କୁ କିପରି ବାଟବଣା କରି ହରିଲୁଟ କରାଯାଉଛି ଏବଂ ପ୍ରକୃତ ମନରେଗା ଶ୍ରମିକଙ୍କ ଅଧିକାର ରୁ ବଞ୍ଚିତ କରାଯାଉଛି ତାହା ବର୍ଣ୍ଣନା କରିଥିଲେ। ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ ଗୟା ଏବଂ ଉପଦେଷ୍ଟା ମାଗୁଣି ନାହକ, ସି.ପି.ଆଇ(ଏମ୍ ଏଲ୍) ରେଡଷ୍ଟାର ରାଜ୍ୟ ସମ୍ପାଦିକା କମ୍ରେଡ ପ୍ରମିଳା, ଟ୍ରେଡ ୟୁନିଅନ ସେଣ୍ଟର ଅଫ୍ ଇଣ୍ଡିଆ ର ରାଜ୍ୟ ସଂଯୋଜକ ତଥା ଓଡ଼ିଶା ମନରେଗା ଶ୍ରମିକ ୟୁନିଅନ ସଭାପତି କମ୍ରେଡ ଶଙ୍କର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧୀ ନୀତି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ବର୍ଣ୍ଣନା କରିଥିଲେ। ଯଶୋଦା ନାୟକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାରେ ବିଡ଼ିଓ ଶ୍ରୀଯୁକ୍ତ ସୁବ୍ରତ କୁମାର ଜେନା ଉପସ୍ଥିତ ରହି ସ୍ମାରକ ପତ୍ର ଗ୍ରହଣ କରିବା ସହ ଶ୍ରମିକଙ୍କ ସ୍ବାର୍ଥରେ ଯଥା ସମ୍ଭବ ସାହାଯ୍ୟ ସହଯୋଗ କରି ମନରେଗା ଶ୍ରମିକଙ୍କ ସମସ୍ୟାର ସମାଧାନ କରିବା ସହ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରେରଣ କରାଯିବ ବୋଲି ଜଣାଇଥିଲେ। ମାମୀ ବେହେରା, ରାଜେଶ୍ବରୀ ଦାଶ, ସାଗରୀ ଦାଶ, ଶାନ୍ତି ନାୟକ, ଏନ୍ ରାଜେଶ୍ବରୀ, ତୁଳସୀ, କୃଷ୍ଣ ସାହୁ, କୁମାରୀ ନାୟକ ଆଦି ଜିଲ୍ଲା ବ୍ୟାପି ମନରେଗା ହରିଲୁଟ ଓ ଜବ କାର୍ଡ ଡିଲିଟ କରି ପ୍ରକୃତ ମନରେଗା ଶ୍ରମିକଙ୍କ ଅଧିକାର ରୁ ବଞ୍ଚିତ କରାଯାଉଛି ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ