ମନେ ରହିବେ ମନମୋହନ

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କ ୯୨ ବର୍ଷ ବୟସରେ ପରଲୋକ ହୋଇଯାଇଛି l ଦେଶର ହୀରା ସଦୃଶ ଏହି ମହାନ ବ୍ୟକ୍ତିତ୍ୱଙ୍କ ମାର୍ଗ ଦର୍ଶନ ଯୋଗୁଁ ଆଜି ଅର୍ଥ ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ସମ୍ଭବ ହେବା ସହ ବିଶ୍ୱର ଅର୍ଥନୈତିକ ମହାଶକ୍ତି ରୂପେ ଭାରତ ଉଭା ହୋଇଛି l ୧୯୯୧ ମସିହାରେ ଜଗତୀକରଣ ପ୍ରକ୍ରିୟାରେ ଅନେକ ଦେଶର କମ୍ପାନୀ ମାନେ ଭାରତରେ ପୁଞ୍ଜି ନିବେଶ କରିବା ସହ ଦେଶରେ ଉତ୍ପାଦିତ ସାମଗ୍ରୀ ମଧ୍ଯ ବିଶ୍ଵ ବଜାରରେ ବିକ୍ରି ଆରମ୍ଭ ହୋଇଥିଲା l ଏଥିସହିତ ରୁଗଣ ଅର୍ଥନୀତି ଦୌଡିବାରେ ସକ୍ଷମ ହୋଇଥିଲା l ତେଣୁ ସଙ୍କଟ ମୋଚନ କରିବାରେ ସିଦ୍ଧହସ୍ତ ଥିଲେ ମନମୋହନ l ବ୍ୟକ୍ତିଗତ ଜୀବନରେ ଅକ୍ସଫୋର୍ଡ ବିଶ୍ଵବିଦ୍ୟାଳୟରୁ ଅର୍ଥନୀତିରେ ଡକ୍ଟରେଟ ହାସିଲ କରିବା ପରେ ଅଧ୍ୟାପନା ଆରମ୍ଭ କରିଥିଲେ l ଏହାପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର, ୟୁଜିସି ଅଧ୍ୟକ୍ଷ, ଅର୍ଥମନ୍ତ୍ରୀ ତଥା ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀ ରୂପେ ତାଙ୍କ ଦୂର ଦୃଷ୍ଟିର ପ୍ରଭାବ ଆଜି ଦେଶବାସୀ ମାନେ ପାଉଛନ୍ତି l ୨୦୦୪ ରୁ ୨୦୧୪ ଯାଏଁ ଦିଲ୍ଲୀ ସିଂହାସନରେ ବସିଥିବା ମନମୋହନ ସିଂହଙ୍କ ସରକାର ଗ୍ରାମାଞ୍ଚଳରେ ରୋଜଗାର ସୁଯୋଗ ସୃଷ୍ଟି କରିବା ପାଇଁ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ସୂଚନା ଅଧିକାର ଆଇନ, ଖାଦ୍ୟ ସୁରକ୍ଷା ଯୋଜନା,୧୦୮ ଆମ୍ବୁଲାନ୍ସ ସେବା, ପ୍ରତିଟି ଭାରତୀୟଙ୍କ ପରିଚୟ ପାଇଁ ଆଧାର କାର୍ଡ, ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ, ହିତାଧିକାରୀଙ୍କୁ ସିଧା ସଳଖ ସରକାରୀ ସୁବିଧା ଓ ଆର୍ଥିକ ସାହାଯ୍ଯ ପାଇଁ ଡାଇରେକ୍ଟ ବେନି ଫିଟ୍ ଟ୍ରାନ୍ସଫର ପରି ଅନେକ କାର୍ଯ୍ୟକ୍ରମ ଆରମ୍ଭ କରି ସଫଳ ମଧ୍ଯ ହୋଇଥିଲେ l ସେହିପରି ପ୍ରବଳ ବିରୋଧ ସତ୍ତ୍ୱେ ଭାରତ ଏବଂ ଆମେରିକା ମଧ୍ୟରେ ପରମାଣୁ ଚୁକ୍ତି ସ୍ଵାକ୍ଷର କରିବା ତାଙ୍କୁ ରାଷ୍ଟ୍ର ନାୟକର ପରିଚୟ ଦେଇଛି l
ମନମୋହନ ସିଂହ ଓଡ଼ିଶାକୁ ଅନେକ କିଛି ସହାୟତା କରିଛନ୍ତି l ବନ୍ୟା ଓ ବାତ୍ୟା ସମୟରେ ପରିସ୍ଥିତି ସମୀକ୍ଷା ପୂର୍ବକ ଆର୍ଥିକ ସହାୟତା, ବାଲେଶ୍ଵର, ବଲାଙ୍ଗୀର, କୋରାପୁଟ ଠାରେ ମେଡିକାଲ୍ କଲେଜ ପ୍ରତିଷ୍ଠା , ବାଲେଶ୍ଵରରେ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ ପ୍ଲାଷ୍ଟିକ ଟେକ୍ନୋଲୋଜି, ଏମ୍ସର ସାଟେଲାଇଟ କ୍ୟାମ୍ପସ, ତାମୁଳିଆ ଓଭର ବ୍ରିଜ, ଜଳେଶ୍ଵର – ଦୀଘା ରେଲ ରୁଟ, ରେଳ ଉଡନ୍ତା ପୋଲ, ଉତ୍ତର ଓଡ଼ିଶା ଚ୍ୟାମ୍ବର ଅଫ୍ କମର୍ସ, କୋଷ୍ଟାଲ କେନାଲ ଉଦ୍ଧାର ପରି ଅନେକ କିଛି ଲୋକ ହିତକର କାର୍ଯ୍ୟ କରି ସେ ଜନପ୍ରିୟ ହୋଇ ପାରିଛନ୍ତି l ତେବେ ଯାଜପୁର ଜିଲ୍ଲାରେ ତାଙ୍କର ମଧ୍ୟମା ଝିଅ ଦାମନ ସିଂ ଓଡ଼ିଆ ଆଇପିଏସ୍ ଅଫିସର ଅଶୋକ ପଟ୍ଟନାୟକଙ୍କୁ ବିବାହ କରିଛନ୍ତି, ଅର୍ଥାତ ଓଡ଼ିଶା ସହ ତାଙ୍କର ପାରିବାରିକ ସମ୍ପର୍କ ମଧ୍ଯ ସୁଦୃଢ ଥିଲା l
ସେହିପରି ୨୦୦୯ମସିହାରେ ଡଃ ସିଂହଙ୍କ ହୃଦୟରେ ଓଡ଼ିଆ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ଦ୍ୱାରା ସଫଳ ଭାବେ ବାଇପାସ୍ ସର୍ଜରୀ କରାଯାଇଥିଲା l ଅନେକ ସମୟରେ ଦେଖା ଯାଏ ସ୍ଥାନୀୟ ନିର୍ବାଚନ ଠୁ ଲୋକସଭା ନିର୍ବାଚନ ଯାଏଁ ଲୋକେ ଭୋଟ ନ ଦେଇ ଭୋଟ ଦିବସକୁ ଛୁଟି ଦିବସ ଭାବେ ପାଳନ କରିଥାନ୍ତି l ସମ୍ବିଧାନ ପ୍ରଦତ୍ତ ଅଧିକାରକୁ ନିଜ ହାତରେ ଦମନ କରି ଭୋଟ ନ ଦେବା ଏବଂ ପରବର୍ତ୍ତୀ ସମୟରେ ସରକାର ଓ ବିରୋଧୀଙ୍କୁ ସମାଲୋଚନା କରିବା ଏକ ଫେସନ ହୋଇଗଲାଣି l କିନ୍ତୁ ଡଃ ସିଂହ ଅସୁସ୍ଥ ଥିବା ସତ୍ତ୍ଵେ ହୁଇଲ ଚେୟାର ଆସି ରାଜ୍ୟସଭାରେ ଭୋଟ ଦେବା ସ୍ପଷ୍ଟ କରୁଛି ଭୋଟ ଓ ଗଣତନ୍ତ୍ରର ମୂଲ୍ୟବୋଧ l ମନମୋହନ ଅତି ସରଳ ଜୀବନ ଯାପନ କରିବାକୁ ଭଲ ପାଉଥିଲେ । ଗାଁ ଓ ଗରିବ ଲୋକ ଙ୍କ ବିକାଶ ପାଇଁ ଗୁରୁତ୍ବ ଦେଉଥିଲେ । ବହୁତ କମ୍ କଥା କହୁଥିଲେ । ତାଙ୍କର ନିରବତା ଭିତରେ ଥିବା ଅର୍ଥନୀତି ର ଜ୍ଞାନ ରୂପକ ଆଲୋକ ଯାହା ଆଜି ଆମକୁ ଦିଗ୍ ଦର୍ଶନ ପ୍ରଦାନ କରୁଛି । ସେ ନିଜ କାମ ପାଇଁ କୌଣସି ଶ୍ରେୟ ନେବା କୁ ଚାହୁଁ ନଥିଲେ ।ଭାରତର ଅର୍ଥନୀତିକୁ ସୁଦୃଢ଼ କରିବାରେ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।ଆଜି ମନମୋହନ ନାହାନ୍ତି ସତ, ଇତିହାସ ର ପୃଷ୍ଠା ରେ ଇତିହାସ ହୋଇଯାଇଛନ୍ତି ସତ, କିନ୍ତୁ ସାରା ଦେଶ ତାଙ୍କର କର୍ମ ପାଇଁ ତାଙ୍କୁ ଝୁରୁଛି l ତାଙ୍କର କର୍ମ ତାଙ୍କୁ ମହାନ୍ କରିଛି ।
ରାଜସ୍ମିତା ବାରିକ୍
ନୀଳଗିରି ,ବାଲେଶ୍ଵର

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ