ମନୋମୁଖୀ ଭାବେ ଚାଲିଛି ରାସ୍ତା ଓ ବ୍ରିଜ୍୍ କାର୍ଯ୍ୟ ପଥର ଓ ମାଟି ଖୋଳି ବାହାରେ ବିକ୍ରି କରାଯାଉଛି
କାର୍ଯ୍ୟାନୁଷ୍ଠାନ ନହେଲେ ଅନଶନ କରିବେ ପୂର୍ବତନ ଟିଏମସ୍ ପ୍ରାର୍ଥୀ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଅଧିନ କଳାପାହାଡ ଠାରୁ ବନ୍ତ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । ଏହି ରାସ୍ତାର ନରସିଂହପୁର-ବଳଭଦ୍ରପୁର ଠାରେ କପାଳୀ ନଦୀ ଉପରେ ଏକ ବ୍ରିଜ୍ ନିର୍ମାଣ ହେଉଛି । ସଂପୃକ୍ତ ଠିକାଦାର ମନୋମୁଖୀ ଭାବେ କାର୍ଯ୍ୟ କରୁଥିବା ବେଳେ ପୂର୍ବରୁ ବ୍ରିଜ୍ର ଉଭୟ ପାଶ୍ୱର୍ରେ ଥିବା ପଥର ପେକିଂ ଓ ବ୍ରିଜ୍ ତଳ ପାଶ୍ୱର୍ ଅଞ୍ଚଳରୁ ଶହ ଶହ ଟ୍ରିପ୍ ମାଟି ଖୋଳି ବାହାରକୁ ଚାଲାଣ କରୁଛନ୍ତି । ଫଳରେ ଆଗାମୀ ଦିନରେ ବ୍ରିଜ୍ ଭୁସୁଡି ପଡିବା ସହ ନଦୀର ଗତିପଥ ପରିବର୍ତ୍ତନ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଏପରିକି ରାସ୍ତା ଓ ବ୍ରିଜ୍ ନିର୍ମାଣ କାର୍ଯ୍ୟ ଏଷ୍ଟିମେଟ ଅନୁସାରେ ହେଉନଥିବା ବେଳେ ଅତି ନିମ୍ନମାନର କାର୍ଯ୍ୟ ହେଉଛି । କାର୍ଯ୍ୟ ଚାଲୁଥିବା ବେଳେ ବିଭାଗୀୟ ଯନ୍ତ୍ରୀ କାର୍ଯ୍ୟସ୍ଥଳରେ ଉପସ୍ଥିତ ରହୁ ନଥିବା ଦେଖା ଯାଉଛି । ଏହି ଅନିୟମିତତାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆସନ୍ତା ୯ ତାରିଖରେ ଜିଲାପାଳଙ୍କ ଅଫିସ ଆଗରେ ଆମରଣ ଅନଶନ କରିବେ ବୋଲି ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ଟିଏମସି ପ୍ରାର୍ଥୀ ତଥା ନରସିଂହପୁର ଗ୍ରାମର ଶିବ ନାରାୟଣ ବିଶ୍ୱାଳ ଭଦ୍ରକ ଜିଲାପାଳ, ପୂର୍ତ୍ତ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ, ଭଦ୍ରକ ଟାଉନ୍ ଓ ବନ୍ତ ଥାନାଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି ।


