ମନୋହରଙ୍କୁ ଗୋଆ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ
ପଣାଜୀ : ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି (ଏମ୍ଜିପି) ଛାଡି ଭାରତୀୟ ଜନତା ପାର୍ଟିି (ବିଜେପି)ରେ ଯୋଗଦେଇଥିବା ମନୋହର ଅଜଗାଁଓକରଙ୍କୁ ଗୋଆର ଉପମୁଖ୍ୟମନ୍ତ୍ରୀ ଭାବେ ଅବସ୍ଥାପିତ କରାଯାଇଛି । ଦିନକପୂର୍ବେ ଏମ୍ଜିପିର ସୁଦୀନ୍ ଧାବଲିକର୍ଙ୍କୁ ମଧ୍ୟ ଉପମୁଖ୍ୟମନ୍ତ୍ରୀ ପଦରୁ ହଟାଇଦିଆଯିବା ପରେ ଏହି ସ୍ଥାନ ଖାଲି ପଡିଥିଲା । ସୂଚନାଯୋଗ୍ୟ, ଗୋଆରେ ବିଜେପି ନେତୃତ୍ୱାଧୀନ ସରକାରରେ ଅଂଶୀଦାର ଥିବା ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟିର (ଏମ୍ଜିପି) ୩ ବିଧାୟକଙ୍କ ମଧ୍ୟରୁ ୨ବିଧାୟକ ମନୋହର ଅଜଗାଓଁକର ଓ ଦୀପକ୍ ପାୱାସ୍କର ବିଜେପିରେ ଯୋଗଦେଇଥିଲେ । ଅନ୍ୟପକ୍ଷେ ଏହି ଘଟଣାକୁ ନେଇ ଏମ୍ଜିପି ପ୍ରତିକ୍ରିୟାଶୀଳ ହୋଇପଡିଛି । ବିଜେପି ନିଜ ସହଯୋଗୀ ଦଳ ସହ ଷଡଯନ୍ତ୍ର କରିଥିବା ଏମ୍ଜିପି ଅଭିଯୋଗ କରିବା ସହ ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବାକୁ ଚେତାବନୀ ଦେଇଛି । ଏପରିକି ଦଳ କଂଗ୍ରେସ ସହିତ ହାତ ମିଳାଇବାକୁ ଧମକ ଦେଇଛି ।