ମନ୍ତ୍ରୀଙ୍କୁ ମନ୍ତ୍ର ଦେଲେ ମୋଦି

ନୂଆଦିଲ୍ଲୀ (ଏଜେନ୍ସି): ବୁଧବାର ସନ୍ଧ୍ୟାରେ ଥିଲା ମୋଦି-୨ ମନ୍ତ୍ରିମଣ୍ଡଳର ପ୍ରଥମ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଟ୍ରିପଲ୍ ତଲାକ୍ ବିଲ୍, ଜମ୍ମୁ-କାଶ୍ମୀରରେ ରାଷ୍ଟ୍ରପତି ଶାସନ ଅବଧି ବୃଦ୍ଧି, ଆଧାର ବୈଧତା ବିଲ୍ ଆଦି ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଉଛି ମନ୍ତ୍ରିମଣ୍ଡଳ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ମନ୍ତ୍ରିପରିଷଦର ସଦସ୍ୟମାନଙ୍କୁ ଦେଇଥିବା ଗୁରୁମନ୍ତ୍ର । ମୋଦୀ ମନ୍ତ୍ରୀମାନଙ୍କୁ ଭାଷଣ ପ୍ରସଙ୍ଗରେ ବୁଝାଇ ଦେଇଛନ୍ତି ଯେ, ଦେଶର ବିକାଶ, ସରକାରୀ ସ୍ୱଚ୍ଛତା, କାର୍ଯ୍ୟଦକ୍ଷତା ବୃଦ୍ଧି ସର୍ବୋପରି ମନ୍ତ୍ରୀମାନେ ଅଧିକ କ୍ରିୟାଶୀଳ ହେବା ସକାଶେ କ’ଣ କରଣୀୟ ଏବଂ କ’ଣ କରିବା ଉଚିତ୍ ନୁହେଁ । ଏହି ପ୍ରସଙ୍ଗ ବୁଝାଉଥିବାବେଳେ ମୋଦି ଏକ ପ୍ରକାର ନୂଆ ଓ ପୁରୁଣା ମନ୍ତ୍ରୀମାନଙ୍କୁ ସତର୍କ କରି ଦେଇଛନ୍ତି । ମନ୍ତ୍ରୀମାନେ ସମୟାନୁବର୍ତ୍ତୀ ହେବା ସହ ନିୟମିତ ଓ ନିର୍ଦ୍ଧାରିତ ସମୟରେ କାର୍ଯ୍ୟାଳୟରେ ପହଞ୍ôଚ କାମ କରିବା ଉଚିତ୍ । ଘରେ ବସି କାମ କରିବାର ଅଭ୍ୟାସ ତ୍ୟାଗ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ପ୍ରଥମ କରି ମନ୍ତ୍ରୀ ହୋଇଥିବା ଜୁନିୟରମାନଙ୍କୁ ସଠିକ୍ ଢଙ୍ଗରେ ପରିଚାଳିତ କରିବା ବରିଷ୍ଠ ମନ୍ତ୍ରୀମାନଙ୍କର କର୍ତ୍ତବ୍ୟ । ସେମାନଙ୍କୁ କାମ ଦେବା ଏବଂ ସମସ୍ତ ଫାଇଲ ଜୁନିଅର ମନ୍ତ୍ରୀମାନଙ୍କ ସହ ସେମାନଙ୍କର ସିନିଅରମାନେ ସେୟାର କରିବା ଉଚିତ୍ । ଏହା ଫଳରେ କାର୍ଯ୍ୟଦକ୍ଷତା ଓ କାର୍ଯ୍ୟର ସୁଫଳ ମିଳିବ । ପ୍ରଧାନମନ୍ତ୍ରୀ ଏହା ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି ଯେ, ମନ୍ତ୍ରୀମାନେ ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କ ସହ ବୈଠକ ପାଇଁ ଗୋଟିଏ ଦିନ ଧାର୍ଯ୍ୟ କରିବା ଉଚିତ୍ । ନିୟମିତ ଭାବେ ସାଂସଦ ଓ ବିଧାୟକଙ୍କ ସହ ସାକ୍ଷାତ କରିବା ଉଚିତ୍ । ସାଂସଦମାନେ ଯେତେବେଳେ ଚାହିଁବେ ସେମାନଙ୍କୁ ସାକ୍ଷାତ ସକାଶେ ଅନୁମତି ଦେବାକୁ ମୋଦୀ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଅଫିସ କାର୍ଯ୍ୟ ଅଫିସ୍ରେ ହେବା ଉଚିତ୍, ଘରେ ନୁହେଁ । ମୋଦୀ ତାଙ୍କର ଦୈନନ୍ଦିନ କାର୍ଯ୍ୟ ଶୀଘ୍ର ଆରମ୍ଭ କରନ୍ତି ବୋଲି ସମସ୍ତେ ଜାଣନ୍ତି । ସେ ଦୀର୍ଘ ସମୟ ପର୍ଯ୍ୟନ୍ତ କାମ କରନ୍ତି । ସେହି ଢାଞ୍ଚାରେ ମୋଦୀ ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ମନ୍ତ୍ରୀମାନେ ଠିକ୍ ସମୟରେ ଅଫିସ୍ରେ ପହଞ୍ôଚବା ଉଚିତ୍ ଏବଂ ମନ୍ତ୍ରଣାଳୟର ଅଧିକାରୀମାନଙ୍କ ସହ କିଛି ସମୟ ଆଲୋଚନା କରିବା ଉଚିତ୍ । ପ୍ରଧାନମନ୍ତ୍ରୀ ତାଙ୍କର ୫ବର୍ଷିୟା ଏଜେଣ୍ଡା ସମ୍ପର୍କରେ ମଧ୍ୟ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ନୂଆ ସରକାରର ପ୍ରଥମ ୧୦୦ଦିନର କାର୍ଯ୍ୟ କିପରି ପ୍ରଭାବଶାଳୀ ହୋଇପାରିବ ସେନେଇ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ