ମନ୍ତ୍ରୀଙ୍କ ଉଦଘାଟିତ ଅସମ୍ପୂର୍ଣ୍ଣ ପ୍ରୋଟେକ୍ସନ ୱାଲ ନିକଟରେ ଖସିଲା ମାଟି ଅତଡା: ଲୋକେ ଆତଙ୍କିତ

ଆରଡି, (ଆଲୋକ ଚନ୍ଦ୍ର ନାୟକ ) : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ସାହାସପୁର ପଞ୍ଚାୟତ ଅଧୀନସ୍ଥ ଜଗନ୍ନାଥ ସାହି ଗାଁ ପାଖରେ ଗେଙ୍ଗୁଟି ନଦୀ ପ୍ରବାହିତ ହେଉଛି । ଏହି ନଦୀ ଏବେ ଗାଁ ପାଇଁ ଦୁଃଖ ପାଲଟିଛି । ଗ୍ରାମବାସୀଙ୍କ ନିର୍ମିତ କୋଠା ଘର ଗୁଡିକ ଏବେ ନଦୀ ଗର୍ଭରେ ଲୀନ ହେବା ଭଳି ପରିସ୍ଥିତି ଦେଖା ଦେଇଛି । ଏହାକୁ ଦୃଷ୍ଟିରେ ରଖି ଜଳସେଚନ ବିଭାଗ ପକ୍ଷରୁ ନଦୀ ପାର୍ଶ୍ବରେ ନିର୍ମିତ ହୋଇଛି ପ୍ରୋଟେକ୍ସନ ୱାଲ । ଅର୍ଦ୍ଧ ନିର୍ମିତ ଏହି ୱାଲକୁ ଗତକାଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉଦ୍ଘାଟନ କରିଥିଲେ । ଉଦ୍ଘାଟନର ୧୦ ଘଣ୍ଟା ନପୁରୁଣୁ ସୁରକ୍ଷା ୱାଲ ନିକଟରେ ପ୍ରାୟ ୫୦ ଫୁଟ ଚଉଡାର ମାଟି ଅତଡା ଖସିଛି । ମାଟି ଅତଡା ଖସିବା ପରେ ଗ୍ରାମବାସୀ ମାନେ ଆତଙ୍କିତ ହୋଇ ପଡିଛନ୍ତି । ଆଜି ସକାଳୁ ସକାଳୁ ଜଳସମ୍ପଦ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଧର୍ମକୁ ଆଖିଠାର ମାରିବା ଭଳି ଅତଡା ଖସିଥିବା ସ୍ଥାନରେ ବିଭାଗ ବାଉଁଶ ଜାଫର ଦେଇ ବାଲିବସ୍ତା ପ୍ୟାକିଂ କରିବାକୁ ଅଣ୍ଟା ଭିଡିଛି । ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଏବେ ଲୋକ ଲୋଚନକୁ ଆସିଛି । ବୈତରଣୀ ନଦୀରେ ପ୍ରଥମ ବନ୍ୟାଜଳ ଏହି ନଦୀ ଦେଇ ପ୍ରବାହିତ ହେବ । ବାଉଁଶ ଜାଫର ଓ ବାଲିବସ୍ତା ଏହି ଗ୍ରାମକୁ କେତେ ସୁରକ୍ଷା ଦେବ ଏ ନେଇ ପ୍ରଶ୍ନ ଉଠିଛି । ପ୍ରୋଟେକ୍ସନ ୱାଲ ନିର୍ମାଣ ବର୍ଷାଦିନ ପୂର୍ବରୁ ଶେଷ ହେବା ଲାଗି ସମୟ ଧାର୍ଯ୍ୟ ହୋଇଥିଲେବି ଏହା କାହିଁକି ଶେଷ ହୋଇନାହିଁ ବୋଲି ଗ୍ରାମବାସୀ ମାନେ ପ୍ରଶ୍ନ କରିଛନ୍ତି । ଏଥି ସହିତ ଏହାର ନିରପେକ୍ଷ ତଦନ୍ତ କରାଯାଇ ନିର୍ମାଣ କାର୍ଯ୍ୟ କରୁଥିବା ଠିକାଦାର ଓ ଜଳ ସମ୍ପଦ ବିଭାଗ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି । ଏ ସମ୍ପର୍କରେ ବିଭାଗୀୟ ଏସଡିଓ କିଶୋର ଦାସଙ୍କୁ ପଚାରିବାରୁ ସେ କହିଲେ ବର୍ଷା ଲାଗି ରହିବାରୁ ସୁରକ୍ଷା ୱାଲ ନିର୍ମାଣ କାର୍ଯ୍ୟ ସରିଲା ନାହିଁ । ସେଠାରେ ବାଉଁଶ ଜାଫର କରାଯାଇ ବାଲିବସ୍ତା ଦିଆ ଯାଉଛି । ପରେ ସ୍ଥାୟୀ ପ୍ରୋଟେକ୍ସନ ୱାଲ କରାଯିବ ବୋଲି ସେ ଗୁରୁତ୍ବାରୋପ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ