ମନ୍ତ୍ରୀଙ୍କ ପାଇଲେଟିଂ ଗାଡି ଓଲଟିଲା, ୬ ପୋଲିସ କର୍ମଚାରୀ ଆହତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ଅଡବା ଥାନା ନଳାଘାଟ ଫାଣ୍ଡି ଅନ୍ତର୍ଗତ ହୁଲିଆପଦା ନିକଟରେ ମନ୍ତ୍ରୀଙ୍କ ଏସ୍କର୍ଟ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇ ୬ ପୋଲିସ କର୍ମଚାରୀ ଆହତ ହୋଇଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଗତକାଲି ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଭୁବନେଶ୍ୱରରୁ ରାୟଗଡ ଅଭିମୁଖେ ଯାଉଥିବା ସମୟରେ ନଳାଘାଟ ଫାଣ୍ଡି ଅନ୍ତର୍ଗତ ହୁଲିଆପଦା ଗ୍ରାମ ନିକଟରେ ଏକ ବାଇକ ଆରୋହୀ ଫୋନଯୋଗେ ବାଇକ ଚଳାଉଥିବା ସମୟରେ କଥା ହୋଇ ମନ୍ତ୍ରୀଙ୍କ ଏସ୍କର୍ଟ ଗାଡି ସମ୍ମୁଖକୁ ମାଡି ଆସିଥିଲେ । ଏହି ବାଇକ ଆରୋହୀଙ୍କୁ ବଞ୍ଚାଇବାକୁ ବା ସୁରକ୍ଷା ଦେବାକୁ ଯାଇ ଏସ୍କର୍ଟ ଗାଡିର ଚାଳକ ପିଏ.ଏସ୍‌.ରାଓ ରାସ୍ତାକଡକୁ ଚାଲିଯାଇଥିଲେ । ଫଳରେ ଭାରସାମ୍ୟ ହରାଇ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଏସ୍କର୍ଟ ଦେଇଯାଉଥିବା ପୋଲିସ କର୍ମଚାରୀ ଏସ୍‌ଆଇ ଏଲ୍‌. ବିଶ୍ୱନାଥ, ଗାଡି ଚାଳକ ପି.ଏସ୍‌. ରାଓ, କନେଷ୍ଟବଳ ଜିତୁ ପଟ୍ଟନାୟକ, କମଳା ଦେବୀ, ମଞ୍ଜୁଳା ଭୂୟାଁ ପ୍ରମୁଖ ଆହତ ହୋଇଛନ୍ତି । ଆହତ ପୋଲିସକର୍ମଚାରୀମାନଙ୍କୁ ତୁରନ୍ତ ବିରିକୋଟ ସ୍ଥିତ ପ୍ରାଥମିକ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ପଠାଇ ଦିଆଯାଇଛି । ଏହି ଏସ୍କର୍ଟ ଗାଡିଟି ରାୟଗଡ ଜିଲ୍ଲା ସୀମା ପର୍ଯ୍ୟନ୍ତ ପାଇଲେଟିଂ କରି ଯାଇଥାନ୍ତା । ଦୁର୍ଘଟଣା ସମ୍ପର୍କେ ଖବର ପାଇ ଅଡବା ଥାନା ପୋଲିସ ପହଂଚି ଆହତ ପୋଲିସ କର୍ମଚାରୀଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପଠାଇ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ