ମନ୍ଥରଗତିରେ ଚାଲିଛି ମେଗା ପାନୀୟ ଜଳ ପ୍ରକଳ୍ପ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଆଖୁଆପଦା ବୈତରଣୀ ଆନିକଟ ନିକଟରେ ନିର୍ମାଣାଧିନ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବା ପରିଲକ୍ଷିତ ହେଉଛି । ବ୍ଲକ ଅଞ୍ଚଳର ୨୩ଗୋଟି ପଞ୍ଚାୟତ ସହିତ ଭଦ୍ରକ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳକୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବା ପାଇଁ ୫ବର୍ଷ ପୂର୍ବରୁ ଏଠାରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହା ସହିତ ଥଇଳା, ବାଲିପୋଖରୀ ଓ ବୟାଁବନାପୁର ଠାରେ ପ୍ରକଳ୍ପର ସଂଯୁକ୍ତ ପାଣି ଟାଙ୍କି ମଧ୍ୟ ନିର୍ମାଣ ହୋଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ଏଲଆଣ୍ଡଟି କମ୍ପାନୀକୁ କୋଟିକୋଟି ଟଙ୍କାର ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲେ ସୁଦ୍ଧା କାମ ଏଯାଏଁ ଅଧା ହୋଇନଥିବାରୁ ପାଇପ ପାଣି ମିଳିବା ସ୍ୱପ୍ନ ଭଳି ଲାଗୁଛି । ଗ୍ରାମାଞ୍ଚଳରେ ଯଦିଓ ପ୍ରତ୍ୟକ ପରିବାର ପିଛା ନଳକୂଅ ମାନ ଅଛି ତଥାପି ଭୂତଳ ଜଳର ସୁରକ୍ଷା ପାଇଁ ସରକାରଙ୍କ ମେଗା ଜଳ ପ୍ରକଳ୍ପ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଥିଲା । କାରଣ ସ୍ଥାନୀୟ ନଦୀରୁ ପ୍ରକଳ୍ପ ସାହାଯ୍ୟରେ ପାଣି ସଂଗ୍ରହ କରାଯାଇ ତାହାକୁ ଲୋକମାନଙ୍କ ନିକଟରେ ପାନୀୟ ଜଳ ଭାବେ ପହଞ୍ଚାଇବା ସକାଶେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଥିଲା । କାମ ଆରମ୍ଭ ପୂର୍ବରୁ ସ୍ଥାନୀୟ ବିଧାୟକ ସାଂସଦଙ୍କ ସମେତ ଉଚ୍ଚ ପଦାଧିକାରୀ ମାନେ ଭିତ୍ତିପ୍ରସ୍ଥର ଉତ୍ସବରେ ଯୋଗଦେଇ ଯଥାଶୀଘ୍ର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ପ୍ରତିଶୃତି ଦେଇଥିଲେ ସୁଦ୍ଧା କଥା କଥାରେ ହିଁ ରହିଯାଇଛି । କମ୍ପାନୀ ଆନିକଟ ବୈତରଣୀ କୂଳରେ ଜଳ ସଂଗ୍ରହ ସ୍ଥାନ ନିର୍ମାଣ କରିଥିବାବେଳେ ଗ୍ରାମାଞ୍ଚଳକୁ ପାଇପ ବିଛାଣ କାର୍ଯ୍ୟ ଏଯାଏଁ ଶେଷ କରିନାହିଁ । ଏହା ସହିତ ସଂଯୁକ୍ତ ଜଳ ସଂଗ୍ରହ ସ୍ଥାନର ପାଣିଟାଙ୍କି ନିର୍ମାଣ ସମ୍ପୂର୍ଣ୍ଣ ମଧ୍ୟ ହୋଇପାରିନାହିଁ । ଏ ବିଷୟରେ ଜାଣିବା ପାଇଁ କାର୍ଯ୍ୟର ତଦାରଖ ଦାୟିତ୍ୱ ନେଇଥିବା ଭଦ୍ରକ ଜଳ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବା ପାଇଁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ତାହା ସମ୍ଭବ ହୋଇପାରିନଥିଲା । ସେ ଯାହାବି ହେଉ ମେଗା ଜଳ ପ୍ରକଳ୍ପ ନିର୍ମାଣରେ ଅହେତୁକ ବିଳମ୍ବ ଘଟୁଥିବାରୁ ଏହାକୁ ନେଇ ବୃଦ୍ଧିଜୀବି ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏଥିପ୍ରତି ସ୍ଥାନୀୟ ବିଧାୟକ , ସାଂସଦ ଓ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହୋଇଛି ।


