ମନ୍ଦିରରୁ ଚୋରି ; ଅଭିଯୁକ୍ତ ଜେଲ ଗଲେ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ଅନ୍ତର୍ଗତ ସୁନ୍ଦରଡା ଗ୍ରାମରେ ଥିବା ଶ୍ରୀ ସୁନ୍ଦରେଶ୍ବର ମହାଦେବଙ୍କ ମନ୍ଦିରରୁ ଚୋରି ଅଭିଯୋଗରେ ଅଭିଯୁକ୍ତ ଙ୍କୁ ପୋଲିସ ଗିରଫ କରିଛି।ଅଭିଯୁକ୍ତ ଜଣକ ହେଲେ ଦିଗପହଣ୍ଡି ଥାନା ଅନ୍ତର୍ଗତ ବଡଡୁମୁଳା ଗ୍ରାମ ଦକ୍ଷିଣ ସାହିର ନନ୍ଦ ବ୍ରହ୍ମା। ଅଭିଯୁକ୍ତଙ୍କୁ ଦିଗପହଣ୍ଡି କୋର୍ଟ କୁ ଚାଲାଣ କରାଯିବା ପରେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି।ସୂଚନା ପ୍ରକାରେ ମଙ୍ଗଳବାର ଭୋର ସମୟରେ ପୂଜକ ଚନ୍ଦ୍ର ଶେଖର ରଣା ମନ୍ଦିର ଖୋଲିବା ପାଇଁ ଯିବାବେଳେ ପୂର୍ବରୁ କବାଟ ଖୋଲା ରହିଥିବା ଦେଖିଥିଲେ।ଭିତରକୁ ଯିବାପରେ ମନ୍ଦିରର ପିତଳ ଢାଳ, ଘଣ୍ଟ, ଖଟୁଳି, ଥାଳି ସମେତ ମହାଦେବଙ୍କ ତ୍ରିଶୂଳ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ।ଘଟଣା ସମ୍ପର୍କରେ ଗ୍ରାମର କିଛି ଲୋକଙ୍କୁ ଜଣାଇବା ପରେ ଖୋଜାଖୋଜି ଆରମ୍ଭ ହୋଇଥିଲା।ପୂର୍ବରୁ ସେହି ମନ୍ଦିରର ସାମଗ୍ରୀ ଚୋରି କରି ଜେଲ ଯାଇଥିବା ନନ୍ଦ ବ୍ରହ୍ମାଙ୍କୁ ମନ୍ଦିର ନିକଟରେ ବୁଲୁଥିବା ଦେଖି ଲୋକେ ସନ୍ଦେହରେ ତାଙ୍କ ହାତରେ ଥିବା ଏକ ବ୍ଯାଗ ତଲାସିଥିଲେ।ସେଥିରେ ଚୋରି ସାମଗ୍ରୀ ଦେଖି ପୋଲିସକୁ ଖବର ଦେଇଥିଲେ।ପୋଲିସ ପହଞ୍ଚି ଚୋରି ସାମଗ୍ରୀ ଜବତ କରିବା ସହ ନନ୍ଦ ବ୍ରହ୍ମାଙ୍କୁ ଗିରଫ କରିଥିଲା।