ମନ୍ଦିରରେ ଭକ୍ତଙ୍କୁ ପ୍ରସାଦରେ ମିଳେ ସୁନା

ଭାରତରେ ଏଭଳି ବହୁ ମନ୍ଦିର ରହିଛି, ଯାହା ନିଜ ସ୍ୱତନ୍ତ୍ରତା ପାଇଁ ପରିଚିତ । ଏଭଳି ଏକ ନିଆରା ମନ୍ଦିର ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ରତଲାମ ସହରର ମାଣକରେ । ଏହା ଏକ ପ୍ରସିଦ୍ଧ ମା’ ଲକ୍ଷ୍ମୀଙ୍କ ମନ୍ଦିର । ସାଧାରଣତଃ ମନ୍ଦିରଗୁଡ଼ିକରେ ଭକ୍ତଙ୍କୁ ପ୍ରସାଦରେ ଲଡୁ, ମିଠା ବା ଅନ୍ନ ଦିଆଯାଇଥାଏ । ହେଲେ ମା’ଲକ୍ଷ୍ମୀଙ୍କ ଏହି ମନ୍ଦିରରେ ଏକ ବିଶେଷତ୍ୱ ରହିଛି । ଏଠାରେ ଭକ୍ତମାନଙ୍କୁ ପ୍ରସାଦ ଆକାରରେ ଅଳଙ୍କାର ଦିଆଯାଇଥାଏ । ଏଠାରେ ଆସୁଥିବା ଶ୍ରଦ୍ଧାଳୁମାନେ ଘରକୁ ଯିବା ସମୟରେ ସାଙ୍ଗରେ ସୁନା ରୁପାର ଗହଣା ନେଇଥାନ୍ତି । ମା’ ଲକ୍ଷ୍ମୀଙ୍କ ଏହି ମନ୍ଦିରରେ ବର୍ଷ ସାରା ଭକ୍ତଙ୍କ ଭିଡ଼ ଜମିଥାଏ । ଏଠାରେ ଭକ୍ତମାନେ ମା’ଙ୍କ ପାଦରେ କୋଟି କୋଟି ଟଙ୍କାର ଅଳଙ୍କାର ଓ ନଗଦ ଟଙ୍କା ଚଢ଼ାଇଥାନ୍ତି । ମନ୍ଦିରରେ ଅଳଙ୍କାର ଚଢ଼ାଇବା ପରମ୍ପରା କେଉଁ କାଳରୁ ଚାଲିଆସିଛି । ପ୍ରଥମେ ରାଜା ରାଜ୍ୟର ସମୃଦ୍ଧି ପାଇଁ ମନ୍ଦିରରେ ଧନ ଚଢ଼ାଉଥିବାବେଳେ ଏବେ ଭକ୍ତମାନେ ଅଳଙ୍କାର ଓ ଟଙ୍କା ଚଢ଼ାଉଥିବା ଦେଖିବାକୁ ମିଳୁଛି । ଏଭଳି କଲେ ଦାତାଙ୍କ ଘରେ ସର୍ବଦା ମା’ ଲକ୍ଷ୍ମୀଙ୍କ କୃପା ରହିଥାଏ ବୋଲି ବିଶ୍ୱାସ ରହିଛି । ସେହିପରି ଦୀପାବଳି ଅବସରରେ ଏହି ମନ୍ଦିରରେ ଧନତେରାସରୁ ୫ ଦିନ ପର୍ଯ୍ୟନ୍ତ ଦୀପ ଉତ୍ସବର ଆୟୋଜନ କରାଯାଇଥାଏ । ଏହି ସମୟରେ ମନ୍ଦିରରେ ସାଜସଜ୍ଜା ଫୁଲରୁ ନୁହେଁ ବରଂ ଚଢ଼ାଯାଇଥିବା ଅଳଙ୍କାର ଓ ଟଙ୍କାରେ କରାଯାଇଥାଏ । ଦୀପୋତ୍ସବ ସମୟରେ ମନ୍ଦିରର କୁବେର ଦ୍ୱାରା ଖୋଲାଯାଉଥିବା ବେଳେ ଦୀପାବଳୀ ଦିନ ଏହି ମନ୍ଦିରର କବାଟ ୨୪ ଘଣ୍ଟା ଖୋଲା ରହିଥାଏ । କୁହାଯାଏ, ଧନତେରାସରେ ଏଠାରେ ଆସୁଥିବା ମହିଳା ଭକ୍ତଙ୍କୁ କୁବେରଙ୍କ ଗଣ୍ଠିଲି ଦିଆଯାଇଥାଏ । କାରଣ ଏଠାକୁ ଆସୁଥିବା ଭକ୍ତ ଖାଲି ହାତରେ ଫେରେ ନାହିଁ । ତାଙ୍କୁ କିଛି ନା କିଛି ପ୍ରସାଦ ସ୍ୱରୂପରେ ଗହଣା ଓ ଟଙ୍କା ଦିଆଯାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ