ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ

ଯୋଡ଼ା , (ଯୁଗାବ୍ଦ ନ୍ୟୁଜ୍) : କେନ୍ଦୁଝର ଜିଲା ଯୋଡା ସହରର ଶ୍ରୀଜଗନ୍ନାଥ ମନ୍ଦିର, ତ୍ରୀନାଥ ମନ୍ଦିର ଓ ଶ୍ରୀଗୁଣ୍ଡଚା ମନ୍ଦିର ସମେତ ବିଭିନ୍ନ ଶୈବପୀଠରେ ପଂଚୁକ ଓ ବଡଓଶା ଉପଲକ୍ଷେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି । ପୂର୍ବ ଯୋଡାସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ପଂଚୁକ ଉପଲକ୍ଷେ ଚତୁର୍ଦ୍ଧାମୂରତିଙ୍କର ଏକାଦଶୀ ତଥା ପଂଚୁକ ଉପଲକ୍ଷେ ରିତୀନୀତି ଅନୁଯାୟୀ ପୂଜାର୍ଚ୍ଚନା ଚାଲିଛି । ଉକ୍ତ ଦିନ ଠାକୁର ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଇଥିଲେ । ଆସନ୍ତା କାର୍ତିକ ପୂର୍ଣ୍ଣିମା ଦିନ ଠାକର ସୁନାବେଶରେ ସୁସଜ୍ଜିତ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ଯୋଡା ଶାସ୍ତ୍ରୀ ନଗରସ୍ଥିତ ତ୍ରିନାଥ ମନ୍ଦିରରେ ବଡଓଶା ବହୁ ଧୁମ୍ଧାମରେ ପାଳିତ ହୋଇଯାଇଛି । ମନ୍ଦିରରେ ହେଉଥିବା ଏହି ଓଶାର ବିଧିବିଧାନ ସମ୍ପର୍କରେ ମୁଖ୍ୟପୂଜକ ସନ୍ତୋଷ କୁମାର ଚଇନି ସୂଚନା ଦେଇ କହିଛନ୍ତି ଯେ, ସନ୍ଧ୍ୟା ୫ ଘଟିକା ସମୟରେ ମହାଦେବଙ୍କର ବଡଓଶାର, ବଡଭଣ୍ଡାର ତରଣ ଭୋଗ ପାକ ଲାଗିବା ପରେ ରାତି ୯ଟା ବେଳେ ଷୋଡଶହ ଉପଚାର ପୂଜା , ଅଭିଷେକ, ଆଳତୀ ପରେ ରାତ୍ର ପ୍ରାୟ ୧୦ ଟା ବେଳେ ତରଣ ଭୋଗ ଲାଗି ହେବ । ତ୍ରିନାଥ ମନ୍ଦିର କମିଟି ସଭାପତି ଗୋପାଳ ଚନ୍ଦ୍ର ସାହୁ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତା କାର୍ତିକ ପୂର୍ଣ୍ଣିମା ଦିନ ଠାକୁରଙ୍କର ମହାସ୍ନାନ, ମଙ୍ଗଳଆଳତୀ , ଅଭିଷେକ ହେବା ପରେ ସାମୁହିକ ପ୍ରସାଦ ସେବନ ତଥା ପୂଣ୍ଣିମା ଦିନ ସନ୍ଧ୍ୟାରେ ଭଜନସମାରୋହର ଆୟୋଜନ କରାଯିବ । ସେହିପରି ପଶ୍ଚିମ ଯୋଡାସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅଁଳାନବମୀଠାରୁ କାର୍ତିକ ପୂଣ୍ଣିମା ପର୍ଯ୍ୟନ୍ତ ଭାଗବତ ପାରାୟଣ ପାଠ ପଠନ କରାଯିବ । ପଂଚୁକ ଠାରୁ ଆକାଶଦ୍ୱୀପ ପ୍ରଜ୍ୱଳିତ କରାଯାଉଛି ଏବଂ ଆସନ୍ତା କାର୍ତିକ ପୂଣ୍ଣିମା ଦିନ ସାମୁହିକ ପ୍ରସାଦ ସେବନର ବ୍ୟବସ୍ଥା କରାଯିବ ବୋଲି ମନ୍ଦିର କମଟିର ସଭାପତି ମନୋରଂଜନ ଦାସ କହିଛନ୍ତି । ଯୋଡାସ୍ଥିତ ବିଭିନ୍ନ ମନ୍ଦିରରେ ପବିତ୍ର କାର୍ତିକମାସ ଅବସରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ