ମନ୍ଦିରର ଛାତରୁ ମିଳେ ମୌସୁମୀର ପୂର୍ବାଭାଷ
ପ୍ରକୃତିରେ ବହୁ ଆଶ୍ଚର୍ଯ୍ୟଜନକ ଜିନିଷ ରହିଛି । ଯାହାକୁ ବୁଝିବା ଆଜି ଯାଏଁ ବୈଜ୍ଞାନିକଙ୍କ ପକ୍ଷରେ ସମ୍ଭବ ହୋଇନାହିଁ । ତେବେ ପ୍ରକୃତିର ସୃଷ୍ଟିକର୍ତ୍ତା ମାନୁଥିବା ଭଗବାନଙ୍କୁ ନେଇ ମଧ୍ୟ ଲୋକଙ୍କର ବେଶ୍ ଆସ୍ଥା ରହିଛି । କେତେକ ମଠ ମନ୍ଦିରରେ ଭଗବାନ ଭଳି ଏକ ଶକ୍ତି ଥିବାର ପ୍ରମାଣ ମିଳେ । ଏହି ସବୁ ସ୍ଥାନଗୁଡିକରେ ବହୁ ଚମକ୍ରାର ଘଟଣା ଘଟିଥାଏ । ଯାହାର ସନ୍ଧାନ ଆଜି ଯାଏଁ କେହି ପାଇ ନାହାଁନ୍ତି । ତେବେ ଆମେ ଆଜି ଆପଣଙ୍କୁ ଏଭଳି ଏକ ସ୍ଥାନ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ମୌସୁମୀ ଆସିବା ପୂର୍ବରୁ ମନ୍ଦିରର ଛାତରୁ ବୁନ୍ଦା ବୁନ୍ଦା ପାଣି ଝରେ । ଏହାକୁ ଦେଖି ମୌସୁମୀର ପୂର୍ବାଭାଷ କରିହୁଏ ।
ଉତ୍ତରପ୍ରଦେଶର କାନପୁର ସହରର ବିକାଶଖଣ୍ଡ ମୁଖ୍ୟାଳୟଠାରୁ ତିନି କି.ମି ଦୂରରେ ଥିବା ଭିତରଗାଁଓରେ ଜଗନ୍ନାଥଙ୍କର ଏକ ମନ୍ଦିର ରହିଛି । ଏଠାରେ ଜଗନ୍ନାଥଙ୍କୁ ଠାକୁର ବାବା ଜି ନାମରେ ଶ୍ରଦ୍ଧାଳୁମାନେ ଡାକିଥାନ୍ତି । ଏହି ମନ୍ଦିରର ବିଶେଷତ୍ୱ ହେଉଛି ଏଠାରେ ବର୍ଷା ହେବାର ୭ ଦିନ ପୂର୍ବରୁ ମନ୍ଦିରର ଛାତରୁ ପାଣିର ବୁନ୍ଦା ଖସେ । ଏହାକୁ ଦେଖି ଲୋକମାନେ ମୌସୁମୀର ପୂର୍ବାଭାଷ ମିଳେ । ଯେଉଁଦିନ ଏଠାରେ ବର୍ଷା ହୁଏ ସେହି ଦିନ ମନ୍ଦିରର ଛାତରୁ ପାଣି ଶୁଖିଯାଏ । ଯଦି ମନ୍ଦିରର ଛାତରେ ବଡ଼ ବୁନ୍ଦା ରହିଥାଏ ତେବେ ଭଲ ମୌସୁମୀର ସଙ୍କେତ ମିଳେ ଏବଂ ଯଦି ଛୋଟ ବୁନ୍ଦା ଖସେ ତେବେ ଶୁଖିଲା ମୌସୁମୀର ପୂର୍ବାଭାଷ ମିଳେ । ବର୍ଷା ଆସିବା ପୂର୍ବରୁ ଭଗବାନ ସଙ୍କେତ ଦିଅନ୍ତି ବୋଲି ଲୋକମାନଙ୍କ ମଧ୍ୟରେ ମାନ୍ୟତା ରହିଛି । ଏହି ମନ୍ଦିରରେ ଜଗନ୍ନାଥଙ୍କ ବ୍ୟତୀତ ସୂର୍ଯ୍ୟ ଏବଂ ପଦ୍ମନାଭଙ୍କ ପୂଜାର୍ଚ୍ଚନା କରାଯାଏ । ଏହି ମନ୍ଦିରର ରହସ୍ୟ ଜାଣିବା ପାଇଁ ପ୍ରତ୍ନତତ୍ତ୍ୱ ବିଭାଗ ବହୁ ଚେଷ୍ଟା କରିଛି । କିନ୍ତୁ ଏଯାଏଁ ମନ୍ଦିରର ରହସ୍ୟ ବିଷୟରେ କେହି ଜାଣି ନାହାଁନ୍ତି । କୁହାଯାଉଛି ମନ୍ଦିରର କାନ୍ଥରେ ମୌସୁମୀ ଜାଣିବା ପାଇଁ ପଥରର ବ୍ୟବହାର କରାଯାଇଛି ।


