ମନ୍ଦିରର ଦେଖାଶୁଣା କରୁଛନ୍ତି ମୁସଲ୍ମାନ
ଉତ୍ତରପ୍ରଦେଶର ମୁଜାଫର୍ନଗରରେ ଥିବା ଲଦ୍ଦେବାଜ୍ କ୍ଷେତ୍ରରେ ଗତ ୨୬ ବର୍ଷ ହେବ ମୁସ୍ଲିମ୍ ପରିବାରମାନେ ଏକତ୍ର ହୋଇ ଗୋଟିଏ ମନ୍ଦିରର ଦେଖାଶୁୂଣା କରୁଛନ୍ତି । ଘଟଣାଟି ଭାଇଚାରାର ଏକ ନିଆରା ନିଦର୍ଶନ ପ୍ରକଟ କରିଛି । ପ୍ରକୃତରେ ବାବ୍ରି ମସଜିଦ୍ ଆକ୍ରମଣ ପରଠୁ ଏହି କ୍ଷେତ୍ରରେ ହିଂସାର ନିଆଁ ଜଳିବାକୁ ଲାଗିଥିଲା । ଏହି କାରଣରୁ ଅଞ୍ଚଳରେ ରହୁଥିବା ୨୦ଟି ହିନ୍ଦୁ ପରିବାର ସ୍ଥାନଛାଡ଼ି ଅନ୍ୟତ୍ର ପଳାଇଥିଲେ । ଏହାପରଠୁ ମନ୍ଦିରର ଦେଖାଶୁଣା ଦାୟିତ୍ୱ ଏଠାରେ ବାସ କରୁଥିବା ମୁସଲିମ୍ ପରିବାର ବହନ କରିଛନ୍ତି । ମନ୍ଦିରକୁ ପରିଷ୍କାର, ପରିଚ୍ଛନ୍ନ ରଖିବା ସହ ରଙ୍ଗ ବି ଦେଉଛନ୍ତି । ଚାନ୍ଦା ଏକାଠି କରି ମନ୍ଦିରର ମରାମତି ମଧ୍ୟ କରୁଛନ୍ତି । ସ୍ଥାନୀୟ ନିବାସୀଙ୍କ ମତରେ, ଏଠାରେ ବାସ କରୁଥିବା ହିନ୍ଦୁ ଭାଇମାନଙ୍କୁ ହିଂସା ସମୟରେ ଅଟକାଇବାକୁ ଅନେକ ପ୍ରୟାସ କରାଯାଇଥିଲା । କିନ୍ତୁ ସେମାନେ ଦଙ୍ଗା ଥମିବା ପରେ ଦିନେ ନା ଦିନେ ଫେରିବେ ବୋଲି କଥାଦେଇ ଚାଲିଗଲେ । ସେହିଦିନଠୁ ସେମାନଙ୍କ ଫେରିବା ବାଟକୁ ଚାହିଁ ମନ୍ଦିରର ଦେଖାଶୁଣା କରାଯାଉଛି । ତେବେ ସ୍ଥାନ ଛାଡ଼ିବା ପୂର୍ବରୁ ସମସ୍ତ ହିନ୍ଦୁ ପରିବାର ମନ୍ଦିରରୁ ମୂର୍ତ୍ତିକୁ ସାଥୀରେ ନେଇ ଚାଲିଯାଇଥିଲେ । ହେଲେ ମୁସ୍ଲିମ୍ ପଡୋଶୀମାନେ ଆଜି ବି ହିନ୍ଦୁଭାଇଙ୍କ ଫେରିବା ବାଟକୁ ବିଶ୍ୱାସର ସହ ଚାହିଁ ରହିଛନ୍ତି ।


