ମନ୍ଦିର ଜମି ବିକ୍ରୀରେ ଜାଲିଆତି ଅଭିଯୋଗ

ଦିଗପହଣ୍ଡି,(ୱାଇଏନ୍ଏସ୍): ଦିଗପହଣ୍ଡି ସହରର ବିଜେ ଶ୍ରୀ ରାଧାମୋହନ ଓ ଶ୍ରୀ ରାଧାଦାମୋଦର ମହାପ୍ରଭୁଙ୍କ ମନ୍ଦିର ଜମି ବିକ୍ରୀ ରେ ବ୍ୟାପକ ଜାଲିଆତି କରାଯାଇଥିବା ନେଇ ଭାଗଚାଷୀ ମାନେ ଅଭିଯୋଗ କରିଛନ୍ତି । ଏନେଇ ଜଣେ ଚାଷୀ ଅର୍ଦ୍ଦୁ.ହରି ମନ୍ଦିର ଟ୍ରଷ୍ଟି ସୁନୀତା ଦେବ ଗୋସ୍ୱାମୀଙ୍କ ସମେତ ତାଙ୍କ ସମ୍ପର୍କୀୟ ତାପସ ଚକ୍ରବର୍ତ୍ତୀଙ୍କ ବିରୋଧରେ ଏତଲା ଦେଇଛନ୍ତି । ଏତଲାକୁ ଭିତ୍ତିକରି ଦିଗପହଣ୍ଡି ଥାନା ଆଇ.ଆଇ.ସି ବସନ୍ତ କୁମାର ସେଠୀ ଥାନା ମାମଲା ନଂ.୨୩୭/୨୦ ଦଫା – ୨୯୪/ ୪୦୬/୪୨୦/୪୬୩/୫୦୬/୩୪ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି । ପ୍ରକାଶ ଯେ,ଦିଗପହଣ୍ଡି ମୌଜା ବ୍ରହ୍ମପୁର ମୁଖ୍ୟରାସ୍ତା କଡ଼ରେ ଥିବା ଶ୍ରୀ ରାଧାମୋହନ ମହାପ୍ରଭୁ ଓ ଶ୍ରୀ ରାଧାଦାମୋଦର ମହାପ୍ରଭୁଙ୍କ ମନ୍ଦିର ଜମି ଖାତା ନଂ – ୧୨୭ ପ୍ଲଟ ନଂ – ୮୪୮୯ ରେ ଥିବା ୫.୯୩୩ ଏକର ଚାଷ ଜମିକୁ ଓଡ଼ିଶା ହିନ୍ଦୁ ଦେବୋତ୍ତର ଆଇନ ୧୯୫୧ ଧାରା – ୧୯ ଓ ଉପଧାରା – ୫ ସମେତ ଓଡ଼ିଶା ଭୂ – ସଂସ୍କାର ଆଇନ କୁ ଉଲ୍ଲଙ୍ଘନ କରାଯାଇ ଦିଗପହଣ୍ଡି ସବରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଗତ ମେ ୨୭ ତାରିଖରେ ଦଲିଲ୍ ନଂ – ୧୩୭୬/୨୦୨୦ ଅନୁଯାୟୀ ବିକ୍ରୀ କରାଯାଇଥିବା ପି. ଶିବଶଙ୍କର, ଅର୍ବ୍ଦୁ. ଚନ୍ଦ୍ର,ପି. ଗୋବିନ୍ଦ,ଏ. ପୁରୁଷୋତ୍ତମ,ଏ. ନିରଞ୍ଜନ, ଆଲୁ. ବାରିକ,ପି. ହରିଶ୍ଚନ୍ଦ୍ର, ଏ. ସୂର୍ଯ୍ୟନାରାୟଣ, ଆଲୁ. ବାଇରି,ଏ. କୃଷ୍ଣମୂର୍ତ୍ତି,ଏ. ମାଦା, ଏ. ଗଣେଶ,ଏ. ଘନ,ଏସ. ଲାଛେୟା, ବି. କାଳିଆ ପ୍ରମୁଖ ଭାଗଚାଷୀ ଅଭିଯୋଗ କରିଥିବାରୁ ଏହାର ଭିଜିଲାନ୍ସ ତଦନ୍ତ ପାଇଁ ଦିଗପହଣ୍ଡି ଉନ୍ନୟନ ପରିଷଦର ସଭାପତି ଅଶେଷ ନାଥ ମିଶ୍ର ଦାବୀ କରିଛନ୍ତି । ଏନେଇ ସେ ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସେ ସ୍ମାରକପତ୍ର ପ୍ରଦାନ କରିଥିବା କହିଛନ୍ତି । ଉକ୍ତ ଜମିରେ ଚାଷୀ ମାନେ ଧାନଚାଷ କରି ସେଥିରୁ ଉତ୍ପାଦିତ ଧାନ ଫସଲ ନିୟମିତ ଭାବେ ସ୍ଥାନୀୟ ସେବା ସମବାୟ ସମିତି ଧାନ ମଣ୍ଡି ରେ ବିକ୍ରୀ କରୁଥିଲେ ମଧ୍ୟ ସମସ୍ତ ଚାଷଜମି ପଡିଆ ପଡ଼ିଥିବା ନେଇ ଦେବୋତ୍ତର ବିଭାଗ ନିକଟରେ ମିଥ୍ୟା ତଥ୍ୟ ପ୍ରଦାନ କରି ଜମି ବିକ୍ରି କରି
ତଥ୍ୟ ପ୍ରଦାନ କରି ଜମି ବିକ୍ରୀ କରାଯାଇଛି । ଉଲ୍ଲେଖ ଯୋଗ୍ୟ ଯେ, ବ୍ରହ୍ମପୁର – ଦିଗପହଣ୍ଡି ମୁଖ୍ୟରାସ୍ତା ସମ୍ପ୍ରସାରଣ ସମୟରେ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ୧୦ ଡେସିମିଲ ଜମି ଅଧିଗ୍ରହଣ କରିଥିବାରୁ ଜମି ଅଧିଗ୍ରହଣ ମାମଲା ନଂ. ଏଲ. ଏ – ୩୦୨/୨୦୧୩ ଅନୁଯାୟୀ କ୍ଷତିପୂରଣ ବାବଦକୁ ୧୧ ଲକ୍ଷ ୭୯ ହଜାର ଟଙ୍କା ମନ୍ଦିର ଟ୍ରଷ୍ଟିଙ୍କୁ ପ୍ରଦାନ କରିଛନ୍ତି । ସେଥିରୁ ଟ୍ରଷ୍ଟି ୫ ଲକ୍ଷ ଟଙ୍କା ଉଠାଣ କରିଥିବା ଜଣାପଡିଛି । କ୍ଷତିପୂରଣ ଅର୍ଥ ରାଶି ପାଇଥିଲେ ମଧ୍ୟ ଉକ୍ତ ଜମିକୁ ଟ୍ରଷ୍ଟି ଚଞ୍ଚକତା କରି ପୁଣିଥରେ ବିକ୍ରୀ କରିଛନ୍ତି । କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଜିଲା ରେ ୧୪୪ ଧାରା ଜାରି କରାଯାଇଥିବା ବେଳେ ଗତ ମାର୍ଚ୍ଚ ୧୭ ତାରିଖ ରେ କିଭଳି ଓ କେଉଁ ଆଇନ ବଳରେ ମନ୍ଦିର ଜମି ନିଲାମ କରାଗଲା ସେ ନେଇ ଏତଲାରେ ଉଲ୍ଲେଖ ରହିଛି । ଏପରିକି ମନ୍ଦିର ଜମି ଚାଷ କରୁଥିବା ଚାଷୀମାନଙ୍କ ଜାଲ୍ ଦସ୍ତଖତ କରି ସେମାନେ ଜମି ନିଲାମ ପ୍ରକ୍ରିୟାରେ ଉପସ୍ଥିତ ଥିବା ଦର୍ଶାଯାଇଛି । ତେଣୁ ମନ୍ଦିର ଜମି ବିକ୍ରୀ ଦଲିଲ୍ କୁ ରଦ୍ଦ କରାଯିବା ସହ ଜମି କ୍ରୟ କରିଥିବା ବ୍ୟକ୍ତିଙ୍କ ପକ୍ଷରୁ ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟରେ ଆବେଦନ କରାଯାଇଥିବା ଦାଖଲ ଖାରଜ ( ମ୍ୟୁଟେସନ୍) ମାମଲା ନଂ. ୧୬୮୫/୨୦୨୦ କୁ ନାମଞ୍ଜୁର କରାଯିବା ନିମନ୍ତେ ଚାଷୀ ବୃନ୍ଦ ଦାବୀ କରିଛନ୍ତି । ଏନେଇ ମନ୍ଦିର ଟ୍ରଷ୍ଟିଙ୍କୁ ଯୋଗାଯୋଗ କରିବାରେ ଓଡିଶା ହିନ୍ଦୁ ଦେବୋତ୍ତର ଆୟୁକ୍ତଙ୍କ କୋର୍ଟରେ ଦେବୋତ୍ତର ଆଇନର ଧାରା – ୧୯ ଅନୁଯାୟୀ ମନ୍ଦିର ଜମି ବିକ୍ରୀ କରାଯିବା ନିମନ୍ତେ ଦରଖାସ୍ତ କରାଯିବା ପରେ ବିଜ୍ଞାପନ କରାଯାଇଥିଲା । ମାମଲା ନଂ. ଓ ଏ ୧୯୮/୨୦୧୬ ର ଚୂଡ଼ାନ୍ତ ଶୁଣାଣି କରାଯାଇ ଆଦେଶ ମିଳିବା ପରେ ରିଭିଜନ୍ ମାମଲା ନଂ.୫/୨୦୧୯ ଏହି ମନ୍ଦିର ଜମି ବିକ୍ରୀ କରାଯାଇଥିବା ସେ କହିଛନ୍ତି । ଅପରପକ୍ଷରେ ରାଜ୍ୟ ଦେବୋତ୍ତର ବିଭାଗ ଉକ୍ତ ଜମିର ୨୦୨୦ ମସିହା ବେଞ୍ଚ ମାର୍କ ମୂଲ୍ୟାୟନ କୁ ଭିତ୍ତି କରି ଜମି ଏକର ପ୍ରତି ବିକ୍ରୟ ମୂଲ୍ୟ ୧୪ ଲକ୍ଷ ଟଙ୍କା ଧାର୍ଯ୍ୟ କରିଥିବା ବେଳେ ଆବେଦନକାରୀ ଟ୍ରଷ୍ଟି ଉକ୍ତ ଆଦେଶକୁ ଚ୍ୟାଲେଞ୍ଜ କରି ରାଜ୍ୟ ଆଇନ ବିଭାଗ କାର୍ଯ୍ୟାଳୟ ସ୍ଥିତ କୋର୍ଟ ର ଦ୍ୱାରସ୍ଥ ହୋଇଥିଲେ । ସେଠାରେ ଶୁଣାଣି କରାଯାଇ ଜମି ଏକର ପ୍ରତି ବିକ୍ରୟ ମୂଲ୍ୟ ମାତ୍ର ୩ ଲକ୍ଷ ଟଙ୍କା କୁ ହ୍ରାସ କରି ଦିଆଯାଇଥିଲା । ଉକ୍ତ ମନ୍ଦିର ଜମିକୁ ଚଞ୍ଚକତା ପୂର୍ବକ ବେଆଇନ ବିକ୍ରୀ ବିରୋଧରେ ରାଜ୍ୟ ହାଇକୋର୍ଟରେ ମାମଲା ଦାୟର କରାଯାଇଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ