ମନ୍ଦିର ମୁଖ୍ୟଫାଟକ ସମ୍ମୁଖରେ ସୂର୍ଯ୍ୟମନ୍ଦିର ଗାଇଡ ଓ ଫଟୋ ଗ୍ରାଫର ସଂଘର ଗଣଧାରଣା
କୋଣାର୍କ, (ଜ୍ୟୋସ୍ନା ରାଣୀ ପ୍ରସାଦ) :-ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଦୀର୍ଘ ୩୮ବର୍ଷ ଧରି ଫଟୋ ଉତ୍ତୋଳନ କରି ଜୀବିକା ନିର୍ବାହ କରୁଥିବା ସୂର୍ଯ୍ୟମନ୍ଦିର ଗାଇଡ ଓ ଫଟୋ ଗ୍ରାଫର ସଦସ୍ୟ ମାନଙ୍କ ପ୍ରତି ଏଏସଆଇ କର୍ତୃପକ୍ଷଙ୍କ ଜୀବିକା ମାରଣନୀତି ପ୍ରତିବାଦରେ ସୂର୍ଯ୍ୟ ମନ୍ଦିର ମୁଖ୍ୟ ଫାଟକ ସମ୍ମୁଖରେ ସଂଘ ପକ୍ଷରୁ ଗଣଧାରଣା ଆରମ୍ଭ ହୋଇଛି। ଖବରରୁ ପ୍ରକାଶ ଯେ ସୂର୍ଯ୍ୟମନ୍ଦିର ଗାଇଡ ଓ ଫଟୋ ଗ୍ରାଫର ଆସୋସିଏସନ ୧୮:୦୮:୧୯୮୪ ମସିହା ଠାରୁ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସୋସାଇଟି ରେଜିଷ୍ଟ୍ରେସନ୍ ଆକ୍ଟ ୧୮୬୦ ପଂଜିକୃତ ହୋଇ ଦୀର୍ଘ ୩୮ବର୍ଷ ଧରି ସୂର୍ଯ୍ୟମନ୍ଦିର ପରିସରରେ ଫଟୋ ଉତ୍ତୋଳନ ଓ ଗାଇଡ ବୃତ୍ତି କରି ନିଜ ନିଜର ଜୀବିକା ନିର୍ବାହ କରିଆସୁଛନ୍ତି । ସୂର୍ଯ୍ୟ ମନ୍ଦିର ପରିସରରେ ୨୦୦୨ ମସିହା ପର୍ଯ୍ୟନ୍ତ ଫଟୋ ଉତ୍ତୋଳନ ଓ ଗାଇଡ ବୃତ୍ତି ସଂପାଦନ କରିବା ନିମନ୍ତେ ଏଏସଆଇ ପକ୍ଷରୁ କୌଣସି ନୀତି ନିୟମ ନଥିବାରୁ ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂର୍ଯ୍ୟମନ୍ଦିର ଗାଇଡ ଓ ଫଟୋଗ୍ରାଫର ଆସୋସିଏସନର ୧୫୪ଜଣ ସଦସ୍ୟ ମାନଙ୍କୁ ଫଟୋ ଉତ୍ତୋଳନ ଓ ଗାଇଡ କାର୍ଯ୍ୟ କରିବା ପାଇଁ ଏକ ପରିଚୟପତ୍ର ପ୍ରଦାନ କରାଯାଇଥିଲା। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରଦତ୍ତ ପରିଚୟପତ୍ରକୁ ଆଧାର କରି ରାଜ୍ୟ ସରକାର ଓ ତତ୍କାଳୀନ ପୁରୀ ଜିଲ୍ଲାପାଳଙ୍କ ସୁପାରିଶ ଭିତ୍ତିକରି ଏଏସଆଇ କତୃପକ୍ଷ ସୂର୍ଯ୍ୟ ମନ୍ଦିର ଗାଇଡ ଓ ଫଟୋ ଗ୍ରାଫର ଆସୋସିଏସନର ୧୫୪ଜଣ ସଦସ୍ୟ ଙ୍କୁ ସୂର୍ଯ୍ୟ ମନ୍ଦିର ପରିସରରେ ପର୍ଯ୍ୟଟକ ମାନଙ୍କ ସୁବିଧା ନିମନ୍ତେ ଲାଇସେନ୍ସ ପ୍ରଦାନ କରିବା ପାଇଁ ଏଏସଆଇ କତୃପକ୍ଷ ଲିଖିତ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଆସୋସିଏସନର ୧୫୪ଜଣ ସଦସ୍ୟ ମାନଙ୍କ ଠାରୁ ଲାଇସେନ୍ସ ପ୍ରଦାନ କରିବା ନିମନ୍ତେ ଭୁବନେଶ୍ବର ସ୍ଥିତ ଏଏସଆଇ ଆଂଚଳିକ କାର୍ଯ୍ୟାଳୟ ପକ୍ଷରୁ ଦରଖାସ୍ତ ଗ୍ରହଣ କରାଯାଇଥିବା ବେଳେ ଦୀର୍ଘ ୮ବର୍ଷ ପରେ ଏଦିଗରେ ଏଏସଆଇ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଆସୋସିଏସନ ୨୦୧୫ ମସିହାରେ ନ୍ୟାୟ ପାଇଁ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲା । ଓଡିଶା ଉଚ୍ଚ ନ୍ୟାୟାଳୟର କେଶନଂ – ଡବ୍ଲ୍ୟୁ ସି-୧୭୩୮୪ /୨୦୧୫ ମକଦ୍ଦମା ଟି ମାନ୍ୟବର କୋର୍ଟରେ ବିଚାରାଧିନ ଥିବା ବେଳେ ଏଏସଆଇ କତୃପକ୍ଷ ୨୦୧୭ ମସିହାରେ ଏକ ନୂତନ ବିଜ୍ଞପ୍ତି ଜାରି କରି ସୂର୍ଯ୍ୟ ମନ୍ଦିର ପରିସରରେ ଫଟୋ ଓ ଗାଇଡ କାମ କରୁଥିବା ବ୍ଯକ୍ତି ମାନଙ୍କ ଠାରୁ ଦରଖାସ୍ତ ଆହ୍ଵାନ କରିବା ମାନ୍ୟବର ଉଚ୍ଚନ୍ୟାୟାଳୟର ନିର୍ଦ୍ଦେଶନାମାକୁ ଖୋଲା ଉଲଂଘନ ବୋଲି ସୂର୍ଯ୍ୟ ମନ୍ଦିର ଗାଇଡ ଓ ଫଟୋ ଗ୍ରାଫର ଆସୋସିଏସନର ସଭାପତି ଅଶୋକ ଚନ୍ଦ୍ର ସ୍ଵାଇଁ ମତବ୍ୟକ୍ତ କରିଛନ୍ତି । ୨୦୧୭ ଗାଇଡ ଲାଇନ ପୂର୍ବରୁ ଜାରି ୨୦୦୭ ଗାଇଡଲାଇନ ଠାରୁ ସଂପୂର୍ଣ୍ଣ ଭିନ୍ନ ପରିଲକ୍ଷିତ ହେଉଛି। ସୂର୍ଯ୍ୟ ମନ୍ଦିର ଗାଇଡ ଓ ଫଟୋ ଗ୍ରାଫର ଆସୋସିଏସନ ପକ୍ଷରୁ ମାନ୍ୟବର ହାଇକୋର୍ଟରେ ଦାଏର ପିଟିସନ ଆଧାରରେ ପୁନର୍ବାର ଏଏସଆଇ ପକ୍ଷରୁ ଜାରି ବିଜ୍ଞପ୍ତି ଆଧାରରେ ଆବେଦନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଆସୋସିଏସନ ପକ୍ଷରୁ ମାନ୍ୟବର ହାଇକୋର୍ଟଙ୍କ ଡିଭିଜନ ବେଂଚରେ ଅପିଲ ଦାଏର କରାଯିବା ପରେ ହାଇକୋର୍ଟ କେଶନଂ – ୮୧/୨୨କୁ ଭିତ୍ତିକରି ଗତ ୨୩:୦୬:୨୨ରିଖରେ ଏଏସଆଇ କତୃପକ୍ଷ,ପୁରୀ ଜିଲ୍ଲାପାଳ ଓ କୋଣାର୍କ ପର୍ଯ୍ୟଟନ ଅଧିକାରୀ ଙ୍କୁ ନୋଟିସ ଜାରି କରାଯାଇଛି । ଏହି ପରିପ୍ରେକ୍ଷୀରେ ସୂର୍ଯ୍ୟ ମନ୍ଦିର ପରିସରରେ ଦୀର୍ଘ ୩୮ବର୍ଷ ଧରି ଫଟୋ ଓ ଗାଇଡ କାମ କରି ପରିବାର ପ୍ରତି ପୋଷଣ କରୁଥିବା ସୂର୍ଯ୍ୟ ମନ୍ଦିର ଗାଇଡ ଓ ଫଟୋ ଗ୍ରାଫର ଆସୋସିଏସନର ସଦସ୍ୟ ମାନଙ୍କ ସହିତ ଅବିଚାର କରି ଜୀବନ ଜୀବିକା ପ୍ରତି ବ୍ୟାଘାତ ସୃଷ୍ଟି କରିବା ସହ ଫଟୋ ଓ ଗାଇଡ କାମ କରିବା ପାଇଁ ସଂଘର ସଦସ୍ୟ ମାନଙ୍କୁ ସୂର୍ଯ୍ୟ ମନ୍ଦିର ପ୍ରବେଶ ନିଷେଧ କରିବା ନେଇ ମନ୍ଦିର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଅନୁଷ୍ଠିତ ହୋଇଯାଇଛି। ସୂର୍ଯ୍ୟ ମନ୍ଦିର ଗାଇଡ ଓ ଫଟୋ ଗ୍ରାଫର ଆସୋସିଏସନର ସଭାପତି ଅଶୋକ ଚନ୍ଦ୍ର ସ୍ଵାଇଁଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଗଣଧାରଣାରେ ସଂଘର ପୂର୍ବତନ ସଭାପତି ହଟ କିଶୋର ମହାରଣା, ସଂପାଦକ ଉମାକାନ୍ତ ବେହେରା, ପୂର୍ବତନ ସଂପାଦକ ଲାଲ ବିହାରୀ ତାରେଣୀଆ, ନବ କିଶୋର ସେଠି, ସଦାଶିବ ପତି, ଗୁଣନିଧି ଲେଙ୍କା, ସୁରେନ୍ଦ୍ର କାଣ୍ଡି ସମେତ ସଂଘର ସମସ୍ତ ସଦସ୍ୟ ଧାରଣାରେ ବସି ଏଏସଆଇ କର୍ତୃପକ୍ଷଙ୍କ ଜୀବିକା ମାରଣନୀତି ବିରୋଧରେ ନାରାବାଜି ଦେଇଥିଲେ ।


