ମନ ଦୁଃଖୀ ହେଲେ ଲଭ୍ ହରମୋନ ଅଧିକ କ୍ଷରଣ ହୋଇଥାଏ
ମଣିଷର ମନ ଦୁଃଖ ହେଲେ ଅଧିକ ପରିମାଣର ଲଭ ହରମୋନ୍ ଅକ୍ସିଟୋସିନ ଅଧିକ କ୍ଷରଣ ହୋଇଥାଏ ବୋଲି ଗବେଷକମାନେ ଜାଣିପାରିଛନ୍ତି । ତେଣୁ ମନ ଦୁଃଖ ସମୟରେ ପ୍ରାୟତଃ ମଣିଷ ସାଥୀକୁ ଲୋଡିଥାଏ । ଲଭ୍ ହରମୋନ ମଣିଷ ସମେତ ଅନ୍ୟ ପ୍ରାଣୀର ଯୌନ ଜୀବନକୁ ମଧ୍ୟ ପ୍ରଭାବିତ କରିଥାଏ । ବିଷାଦଗ୍ରସ୍ତ ପ୍ରାଣୀ ମଧ୍ୟରେ ଏହି ହରମୋନର ପ୍ରଭାବ ଯୋଗୁ ସହବାସ ପ୍ରବୃତ୍ତି ସୃଷ୍ଟି ହୋଇଥାଏ । ଏହି ପ୍ରକୃତିର ନିୟମ ଅନୁସାରେ ସ୍ୱତଃ ପରିଚାଳିତ ହୋଇଥାଏ । ତେଣୁ ଅକ୍ସିଟୋସିନକୁ ସଙ୍କଟ ସ୍ଥିତିରେ ଉତ୍ପନ୍ନ ହେଉଥିବା ହରମୋନ ଭାବେ ନାମିତ କରାଯାଇଛି ବୋଲି ନରୱେ ବିଶ୍ୱବିଦ୍ୟାଳୟର ପ୍ରଫେସର ଆନ୍ଦ୍ରେଶ ଆରସେଥ କ୍ରିଷ୍ଟୋଫରସେନ ସୂଚିତ କରିଛନ୍ତି । ପ୍ରକୃତି ଅନୁସାରେ ପ୍ରାଣୀଙ୍କ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ଋତୁରେ ପ୍ରଜନନ ପ୍ରବୃତ୍ତି ସୃଷ୍ଟି ହୋଇଥାଏ । ଯେଉଁ ସମୟରେ ନବଜାତ ଶାବକ ଅଧିକ ପରିମାଣରେ ଖାଦ୍ୟ ଖାଇପାରିବ ତାହାକୁ ଦୃଷ୍ଟିରେ ରଖି ପ୍ରକୃତି ପ୍ରାଣୀଙ୍କ ମଧ୍ୟରେ ପ୍ରଜନନ ପ୍ରତି ଆକର୍ଷଣ କରିବା ସମୟ ନିର୍ଦ୍ଧାରିତ ହୋଇଥାଏ । ତେବେ କୌଣସି କାରଣରୁ ପ୍ରାଣୀମାନେ ବିଷାଦଗ୍ରସ୍ତ ହେଲେ ସେମାନଙ୍କ ମଧ୍ୟରେ ଯୌନ କ୍ରିୟାପ୍ରତି ଆଗ୍ରହ ଦେଖାଯାଇଥାଏ । ଏହା ସେମାନଙ୍କର ମାନସିକ ସ୍ଥିତିରେ ସନ୍ତୁଳନ ଅବସ୍ଥା ସୃଷ୍ଟି କରିବାକୁ ସକ୍ଷମ ହୋଇଥାଏ । ମାତ୍ର ମଣିଷ କ୍ଷେତ୍ରରେ ଯୌନ କ୍ରିୟା ପାଇଁ ପ୍ରକୃତି ସେପରି କୌଣସି ନିର୍ଦ୍ଦିଷ୍ଟ ସମୟରେ ସ୍ଥିର କରିନାହିଁ । ମଣିଷଠାରେ ବିକଶିତ ମସ୍ତିଷ୍କ ରହିିଛି । ତେବେ ଭିନ୍ନ ଭିନ୍ନ ମାନସିକ ଅବସ୍ଥାରେ ମଣିଷର ଅକ୍ସିଟୋସିନ ହରମୋନ କ୍ଷରଣ ପରିମାଣରେ ତାରତମ୍ୟ ଦେଖାଯାଇଥାଏ । ମନ ଦୁଃଖ ରହିବା ସମୟରେ ଏହାର ପରିମାଣ ବୃଦ୍ଧି ପାଇଥାଏ । ଫଳ ସ୍ୱରୂପ ମଣିଷର ଯୌନ ଜୀବନ ପ୍ରଭାବିତ ହୋଇଥାଏ ବୋଲି ଗବେଷକ ସୂଚିତ କରିଛନ୍ତି ।