ମରଣାନ୍ତକ ଆକ୍ରମଣରେ ଜଣେ ଆହାତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କହ୍ନେଇପୁର ଗ୍ରାମର ନିର୍ମଳ ବେହେରାଙ୍କ ପତ୍ନୀ ଗିତାଞ୍ଜଳୀ ବେହେରା ସଦରଥାନାରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ ନିର୍ମଳ ବେହେରା ଶନିବାର ରାତି ପ୍ରାୟ ୧୦ଟା ସମୟରେ ଗ୍ରାମର ଏକ ବିବାହ ଭୋଜିକୁ ଖାଇବାକୁ ଯାଇ ଘରକୁ ଫେରୁଥିବା ବେଳେ ତାଙ୍କୁ ସେହି ଗ୍ରାମର କେତେକ ବ୍ୟକ୍ତି ପୁର୍ବ ଶତୃତାକୁ କେନ୍ଦ୍ର କରି ସଂଘବଦ୍ଧ ଭାବେ ଠେଙ୍ଗା ଭୁଜାଲି ଓ ଲୁହାରଡରେ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ନିର୍ମଳ ଗୁରୁତ୍ୱର ଭାବେ ଆହାତ ହୋଇ ତଳେ ପଡିଯାଇ ଚେତାଶୂନ୍ୟ ହୋଇଯିବାରୁ ଆକ୍ରମଣକାରୀମାନେ ନିର୍ମଳ ମରିଯାଇଥିବା ଭାବି ତାଙ୍କୁ ରାସ୍ତା କଡକୁ ଫିଙ୍ଗି ଦେଇ ସେ ସ୍ଥାନରୁ ପଳାଇ ଯାଇଥିଲେ । ସେହି ବାଟ ଦେଇ ଗ୍ରାମର କେତେକ ଲୋକ ଭୋଜି ଖାଇ ଘରକୁ ଫେରୁଥିବା ବେଳେ ନିର୍ମଳଙ୍କୁ ଚିହ୍ନିପାରି ତାଙ୍କ ଘରକୁ ଆଣି ଛାଡି ଦେଇ ଯାଇଥିଲେ । ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିର୍ମଳଙ୍କୁୁ ଭର୍ତ୍ତି କରାଯାଇଥିବା ବେଳେ ସେ ଚିକିତ୍ସିତ ଥିବା ନିର୍ମଳଙ୍କ ପତ୍ନୀ ଗୀତାଞ୍ଜଳୀ ଅଭିଯୋଗ କରିଛନ୍ତି । ସଦରଥାନା ପୋଲିସ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି ।


