ମରଣାନ୍ତଙ୍କ ଆକ୍ରମଣ ଘଟଣାରେ ପାଟକୁରା ଥାନା ପୋଲିସର ଉଦାସୀନତା ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଏକ ମରଣାନ୍ତଙ୍କ ଆକ୍ରମଣ ଘଟଣାରେ ପାଟକୁରା ଥାନା ପୋଲିସର ଉଦାସୀନତା ବିରୋଧରେ ଗୁରୁବାର ପିଡିତା ମହିଳା ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିବା ସହିତ କେନ୍ଦ୍ରାପଡା ଉପଖଣ୍ଡ ପୋଲିସ ଅଧିକାରୀଙ୍କୁ ମଧ୍ୟ ଅଭିଯୋଗ କରିଥିବା ଜଣାପଡିଛି । ଅଭିଯୋଗ ଅନୁଯାଇ ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ ବନ୍ତଳା ଗ୍ରାମର ସଚିଦାନନ୍ଦ ସ୍ୱାଇଁଙ୍କ ପତ୍ନୀ ରାଜଶ୍ରୀ ଦାସ ଅଭିଯୋଗ କରିଛନ୍ତି ଯେ ପଡୋଶୀ ବେଣୁଧର ସ୍ୱାଇଁଙ୍କ ପୁଅ ସ୍ୱପ୍ନସାଗର ସ୍ୱାଇଁ ବିଭିନ୍ନ ପାରିବାରିକ ଘଟଣାକୁ କେନ୍ଦ୍ରକରି ରାଜଶ୍ରୀଙ୍କ ପରିବାର ଉପରେ ଶତ୍ରୁତା ମନୋଭାବ ରଖି ତାଙ୍କ ସ୍ୱାମୀଙ୍କ ଅନୁପସ୍ଥିତିରେ ବିଭିନ୍ନ ପ୍ରକାର ନିର୍ଯ୍ୟାତନା ଦେଇଥାନ୍ତି । ଗତ ଅକ୍ଟୋବରମାସ ୧୨ତାରିଖ ଅପରାହ୍ନ ପ୍ରାୟ ୪ଟା ସମୟରେ ଏକ ଦେଖାଶିଖା କଥାକୁ ନେଇ ସ୍ୱପ୍ନସାଗର ଏବଂ ତାଙ୍କ ପରିବାର ଲୋକ ମିଶି ରାଜଶ୍ରୀଙ୍କ ଘରେ ପଶି ତାଙ୍କୁ ଅସଦ ଆଚରଣ ପୂର୍ବକ ତାଙ୍କ ସ୍ୱାମୀଙ୍କୁ ଏକ ଠେଙ୍ଗାରେ ମରଣାନ୍ତଙ୍କ ଆକ୍ରମଣ କରିଥିଲେ । ଫଳରେ ରାଜଶ୍ରୀଙ୍କ ସ୍ୱାମୀ ସଚିଦାନନ୍ଦଙ୍କୁ ପାଟକୁରା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯିବା ପରେ ରାଜଶ୍ରୀ ପାଟକୁରା ଥାନାରେ ଅଭିଯୋଗ କରିଥିଲେ । ଥାନା ପକ୍ଷରୁ ସେହି ଅଭିଯୋଗର ତଦନ୍ତ କରାଯିବାରେ ସ୍ୱପ୍ନସାଗର ଓ ତାଙ୍କ ପରିବାର ସେଥିରେ ଅଧିକ ଉତକ୍ଷିପ୍ତ ହୋଇ ଗତ ଅକ୍ଟୋବରମାସ ୧୩ତାରିଖରେ ସଙ୍ଘବଦ୍ଧ ଭାବରେ ହାତରେ ଠେଙ୍ଗା, ବାଡି ଓ ଭୁଜାଲି ଧରି ରାଜଶ୍ରୀଙ୍କ ଘରେ ଜବରଦସ୍ତି ପ୍ରବେଶ କରି ତାଙ୍କୁ ଓ ତାଙ୍କ ସ୍ୱାମୀଙ୍କୁ ଅତ୍ୟନ୍ତ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରି ସେମାନଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ରାଜଶ୍ରୀ ଏହାର ପ୍ରତିବାଦ କରିବାରେ ଅପରପକ୍ଷମାନେ ତାଙ୍କୁ ଘୋଷାଡି ନେଇ ଟଣାଭିଡା କରି ଅସଦାଚରଣ କରିବା ସହ ତାଙ୍କୁ ଲଙ୍ଗଳାକରି ମରଣାନ୍ତଙ୍କ ଆକ୍ରମଣ କରିଥିବା ରାଜଶ୍ରୀ ଅଭିଯୋଗ କରିଛନ୍ତି । ରାଜଶ୍ରୀଙ୍କୁ ମାରିଦେବା ଉଦେଶ୍ୟରେ ତାଙ୍କ ତଂଟିକୁ ସ୍ୱପ୍ନସାଗର ଚିପିଧରିଥିବା ବେଳେ ଅନ୍ୟମାନେ ଠେଙ୍ଗା ଓ ଭୁଜାଲିରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ରାଜଶ୍ରୀଙ୍କ ହାତର ହାଡ ଭାଙ୍ଗିଯାଇଥିବା ବେଳେ ତାଙ୍କ ଦେହରେ ଗୁରୁତ୍ତର ଆଘାତ ଲାଗିଥିଲା । ରାଜଶ୍ରୀଙ୍କ ସ୍ୱାମୀ ସେମାନଙ୍କୁ ବାଧା ଦେବାରେ ସେମାନେ ତାଙ୍କୁ ଓ ତାଙ୍କର ୮ବର୍ଷର ପୁଅକୁ ମଧ୍ୟ ମରଣାନ୍ତଙ୍କ ଆକ୍ରମଣ କରିଥିବା ରାଜଶ୍ରୀ ଅଭିଯୋଗ କରିଛନ୍ତି । ସେମାନେ ପ୍ରଥମେ ପାଟକୁରା ସ୍ୱାସ୍ଥ୍ୟକେନ୍ଦ୍ର ପରେ ସେଠାରୁ ରେଫର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଗତ ଅକ୍ଟୋବରମାସ ୧୪ତାରିଖରେ ପାଟକୁରା ଥାନାରେ ଲିଖିତ ଅଭିଯୋଗ ହେବା ପରେ ପାଟକୁରା ଥାନାରେ ଥାନା କେଶ ନମ୍ବର ୨୪୫/୨୦୨୦ରେ ଆଇ.ପି.ସି.ର ଧାରା ୧୪୭, ୧୪୮, ୩୪୧, ୨୯୪, ୩୨୩, ୩୨୫, ୩୦୭, ୩୫୪, ୪୫୨, ୪୨୭, ୫୦୬ ଓ ୧୪୯ଦଫାରେ ମାମଲା ରୁଜୁ କରାଗଲା । କିନ୍ତୁ ସେହି ମାମଲାର ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କଲାନାହିଁ । ଏହାର ପ୍ରତିବାଦରେ ପିଡିତା ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗକଲେ । ଜିଲ୍ଲାପାଳ ସମର୍ଥ ବର୍ମା ଆରକ୍ଷୀ ଅଧିକ୍ଷକଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲେ । କିନ୍ତୁ ତଥାପି ପାଟକୁରା ଥାନା ପୋଲିସ ଘଟଣାର ପ୍ରାୟ ଏକମାସ ପରେବି ଅଭିଯୁକ୍ତମାନଙ୍କୁ ଗିରଫ ନକରିବା ପୋଲିସର ନିରପେକ୍ଷତା ପ୍ରତି ସନ୍ଦେହ ସୃଷ୍ଟି କରିଛି । ପିଡିତା ଏବଂ ତାଙ୍କ ସ୍ୱାମୀ କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡାଙ୍କୁ ଭେଟି ଏସମ୍ପର୍କରେ ଅଭିଯୋଗ କରିବା ପରେ ଏସଡିପିଓ ଶ୍ରୀ ପଣ୍ଡା ତଦନ୍ତକାରୀ ଅଧିକାରିଣୀଙ୍କୁ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିବା ଜଣାପଡିଛି ।