ମରଣାନ୍ତଙ୍କ ଆକ୍ରମଣ ଘଟଣାରେ ପୋଲିସର ନିଷ୍କ୍ରୀୟତା ବିରୋଧରେ ଏସଡିପିଓଙ୍କୁ ଅଭିଯୋଗ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ଏକ ମରଣାନ୍ତକ ଆକ୍ରମଣ ମାମଲାରେ ମହାକାଳପଡା ଥାନା ପୋଲିସର ନିଷ୍କ୍ରିୟତା ବିରୋଧରେ କେନ୍ଦ୍ରାପଡା ଉପଖଣ୍ଡ ପୋଲିସ ଅଧିକାରୀ(ଏସଡିପିଓ) ରାଜୀବଲୋଚନ ପଣ୍ଡାଙ୍କୁ ଅଭିଯୋଗ ହୋଇଛି । କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ଥାନା ଅନ୍ତର୍ଗତ ବାହାରସୁବଳା ଗ୍ରାମର ଶାନ୍ତନୁ ମଲିକ ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ପଣ୍ଡାଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ଗତ ଅକ୍ଟୋବରମାସ ୨୪ତାରିଖରେ ତାଙ୍କ ଭାଇବୋହୁ ଗୀତାଞ୍ଜଳି ଘର ନିକଟସ୍ଥ ନଳକୂପକୁ ପାଣି ଆଣିବା ପାଇଁ ଯାଇଥିବା ବେଳେ ପୂର୍ବ ଶତୃତାକୁ କେନ୍ଦ୍ରକରି ସେହି ଗ୍ରାମର କେତେକ ଖଳପକୃତିର ଲୋକ ତାଙ୍କୁ ଗାଳିଗୁଲଜ କରିବା ସହ ମାଡମାରିଥିଲେ । ଏସମ୍ପର୍କରେ ଗୀତାଞ୍ଜଳିଙ୍କ ଯାଆ କଳ୍ପନା ମହାକାଳପଡା ଥାନାରେ ସେହିଦିନ ଲିଖିତ ଅଭିଯୋଗ କରିଥିଲେବି ପୋଲିସ କୈାଣସି ପଦକ୍ଷେପ ଗ୍ରହଣ କରିଲା ନାହିଁ । ଏହାପରେ ଗତ ଡିସେମ୍ବରମାସ ୨୯ତାରିଖ ସନ୍ଧ୍ୟାରେ ପୁନର୍ବାର ସେହିଗ୍ରାମର ବିଶ୍ୱଜିତ ମଲିକଙ୍କ ସମେତ ୯ଜଣ ଜ୍ୟୋସ୍ôନା ମଳିକଙ୍କ ଘରେ ପଶି ତାଙ୍କ ଶଶୁର ଧ୍ରୁବ ଚରଣ ମଳିକଙ୍କୁ ମାଡମାରିଥିଲେ । ସେ ଓ ତାଙ୍କ ସ୍ୱାମୀ ପବିତ୍ର ଏହାର ପ୍ରତିବାଦ କରନ୍ତେ ସେମାନଙ୍କୁ ମଧ୍ୟ ଭୂଜାଲି ଓ ଲୁହାରଡରେ ମରଣାନ୍ତଙ୍କ ଆକ୍ରମଣ କରିଥିଲେ । ଫଳରେ ଜ୍ୟୋସ୍ନାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇ ପ୍ରବଳ ରକ୍ତସ୍ରାବ ହୋଇଥିଲା । ତାଙ୍କୁ ପ୍ରଥମେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ପରେ ଅବସ୍ଥା ଗୁରୁତ୍ତର ହେବାରୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଏଥିସହିତ ଜ୍ୟୋସ୍ନାଙ୍କ ଯାଆ ଅର୍ଚ୍ଚନା ମଳିକ, ଝିଆରୀ ଲିଜା ପ୍ରଭୃତି ଏହି ଆକ୍ରମଣରୁ ସେମାନଙ୍କୁ ରକ୍ଷା କରିବା ପାଇଁ ଚେଷ୍ଟା କରୁଥିବା ବେଳେ ସେମାନଙ୍କୁ ମଧ୍ୟ ଫାର୍ସା ଓ ଲୁହାରଡରେ ମରଣାନ୍ତଙ୍କ ଆକ୍ରମଣ କରିଥିବା ନେଇ ଜ୍ୟୋସ୍ନା ସେହିଦିନ ମହାକାଳପଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ମହାକାଳପଡା ଥାନା ପୋଲିସ ଅଦ୍ୟାବଧି କୈାଣସି ଅଭିଯୁକ୍ତକୁ ଗିରଫ କରିନଥିବା ବେଳେ ସେମାନେ ଅଭିଯୋଗକାରୀଙ୍କ ପରିବାର ଲୋକଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଉଥିବା ନେଇ ଶାନ୍ତନୁ କେନ୍ଦ୍ରାପଡା ଉପଖଣ୍ଡ ପୋଲିସ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ।