ମରଣାନ୍ତଙ୍କ ଆକ୍ରମଣ ମାମଲାରେ ଟାଉନଥାନା ପୋଲିସର ନିସ୍କ୍ରୀୟତା ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଏକ ମରଣାନ୍ତଙ୍କ ଆକ୍ରମଣ ମାମଲାରେ ଟାଉନ ଥାନା ପୋଲିସର ନିସ୍କ୍ରୀୟତା ବିରୋଧରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ପୈାରାଚଂଳ ଅନ୍ତର୍ଗତ ୧୬ନମ୍ବର ୱାର୍ଡର ବଡହାଟସ୍ଥିତ ଗିରିଜାଭୂଷଣ ମେକାପଙ୍କ ପୁଅ ଜ୍ୟୋତିଭୂଷଣ ମେକାପଙ୍କ ଚା ଦୋକାନରୁ ବାକି ଖାଇଥିବା ବଡହାଟ(ଫକିରାବାଦ) ଗ୍ରାମର ସେଖ ଟିକାଙ୍କ ପୁଅ ସେଖ କୁନ୍ଦନ ଙ୍କୁ ବାକି ଟଙ୍କା ମାଗିବାରୁ ଗତ ଜୁନମାସ ୧୮ତାରିଖ ପୂର୍ବାହ୍ନ ପ୍ରାୟ ସାଢେ୧୦ଟାରେ କୁନ୍ଦନ ଜ୍ୟୋତିଭୂଷଣକୁ ଧମକ ଦେବା ସହ ଏକ ଲୁହା ପାଇପ ଆଣି ଅନ୍ୟ ୨ଜଣ ସହଯୋଗୀଙ୍କ ସହିତ ଜ୍ୟୋତିଙ୍କ ଘରର ଗ୍ରୀଲଗେଟକୁ ବାଡେଇଥିଲେ । ଏହାପରେ ଜ୍ୟୋତିର ଘର ଭିତରେ ପଶି ଜ୍ୟୋତିକୁ ସେହି ଲୁହାପାଇପରେ ବାଡେଇ ମରଣାନ୍ତଙ୍କ ଆକ୍ରମଣ କରିଥିଲେ । ସେଥିରେ ଜ୍ୟୋତିର ମୁଣ୍ଡରେ ଗଭୀର କ୍ଷତ ହେବା ସହ ରକ୍ତଶ୍ରାବ ହେତୁ ଜ୍ୟୋତିକୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଜ୍ୟୋତିର ସ୍ୱାସ୍ଥ୍ୟାବସ୍ଥା ଶଙ୍କଟାପନ୍ନ ହେବାରୁ ଡାକ୍ତର ତାକୁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରିଦେଇଥିଲେ । ଏଥିସହିତ ଜ୍ୟୋତିକୁ ଜୀବନରେ ମାରିଦେବାକୁ କୁନ୍ଦନ ଧମକ ଦେଇଥିବା ଅଭିଯୋଗ ହୋଇଛି । କଟକ ବଡ ଡାକ୍ତରଖାନାରୁ ଫେରି ଜ୍ୟୋତିଭୂଷଣ ଗତ ଜୁନମାସ ୨୧ତାରିଖରେ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ସେହି ଅଭିଯୋଗକୁ ଭିତ୍ତିକରି ଥାନା କେଶ ନମ୍ବର ୧୦୨/୨୦୨୦ରେ ଆଇପିସିର ଧାରା ୩୪୧, ୩୨୩, ୩୨୫, ୨୯୪, ୫୦୬, ୩୦୭, ୩୫୪(ଖ) ଓ ୩୪ଦଫାରେ ମାମଲା ରୁଜୁ କରିଥିଲେ ମଧ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରୁନାହିଁ । ଅନ୍ୟପକ୍ଷରେ ଅଭିଯୁକ୍ତମାନେ ନିର୍ଭୟରେ ବାହାରେ ବୁଲୁଥିବା ବେଳେ ଜ୍ୟୋତିଭୂଷଣଙ୍କୁ ପୁନର୍ବାର ଜୀବନରେ ମାରିଦେବାକୁ ଧମକ ଦେଉଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ସେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବାକୁ ନିବେଦନ କରିଛନ୍ତି । ଜିଲ୍ଲାପାଳ ଏସମ୍ପର୍କରେ ଆରକ୍ଷୀ ଅଧିକ୍ଷକଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦେଶ ଦେଇଥିବା ଜଣାପଡିଛି ।


