ମରାମତିର ୧୦ଦିନ ପରେ ରାସ୍ତାରୁ ଉଠୁଛି ପିଚୁ, ନିମ୍ନମାନର କାର୍ଯ୍ୟ ଯୋଗୁ ରାସ୍ତାର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଗୋଠଦା-ନନ୍ଦିଗ୍ରାମ ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗର ଜଗତସିଂହପୁର ବିଭାଜନ ଅଧୀନରେ ରହିଛି । ଉକ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିବାରୁ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇ ମରାମତି କାର୍ଯ୍ୟ କରାଯାଇଥିଲା । ମାତ୍ର ୧୦ ଦିନ ହେବ ରାସ୍ତା କାର୍ଯ୍ୟ କରାଯାଇଥିବା ବେଳେ ବର୍ତମାନ ରାସ୍ତାରୁ ପିଚୁ ଉଠିଗଲାଣି । ନିମ୍ନମାନର କାର୍ଯ୍ୟ ଯୋଗୁ ରାସ୍ତାର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗ୍ରାମ୍ୟ ଉନ୍ନୟନ ଯନ୍ତ୍ରୀଙ୍କ ସୂଚନା ମୁତାବକ ଗୋଠଦାରୁ ନନ୍ଦିଗ୍ରାମ ୧.୭୦୮ କିମି ରାସ୍ତା ପାଇଁ ବିଭାଗ ପକ୍ଷରୁ ୨୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ କରାଯାଇଛି । କିନ୍ତୁ ରାସ୍ତା ନିର୍ମାଣ ସମୟରେ ନିଯୁକ୍ତ ଠିକାଦାର ଖୋଲା ଖୋଲି ଭାବେ ସରକାରୀ ନିୟମକୁ ଉଲଘଂନ କରିଥିବା ଜଣାଯାଇଛି । ରାସ୍ତା ମରାମତି ପୂର୍ବରୁ ସର୍ବସାଧାରଣ ଅବଗତି ନିମନ୍ତେ ସୂଚନା ଫଳକ ଲଗାଇବା କଥା କିନ୍ତୁ ରାସ୍ତା ମରାମତି କାର୍ଯ୍ୟ ସରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସୂଚନା ଫଳକ ଲଗାଯାଇନାହିଁ । ସେହିପରି ରାସ୍ତାର ଅଧିକାଂଶ ସ୍ଥାନରେ ପିଚୁର ସ୍ତର କମ୍ ରହିଥିବାରୁ ରାସ୍ତାରୁ ପିଚୁ ଉଠିବା ସହିତ ବ୍ୟବହୃତ ବଜୁରି ମଧ୍ୟ ଉଠିଗଲାଣି । ଉକ୍ତ ରାସ୍ତା ଗୋଠଦାରୁ ନନ୍ଦିଗ୍ରାମ ଦେଇ ଜାମୁଗାଁ ପଂଚାୟତ, ବାଲିକୁଦା ବ୍ଳକ ଆଦିକୁ ସଂଯୋଗ କରୁଥିବା ବେଳେ ପ୍ରତ୍ୟେହ ସ୍ଥାନୀୟ ଲୋକ ବିଭିନ୍ନ କାର୍ଯ୍ୟ ପାଇଁ ଏହି ରାସ୍ତା ଦେଇ ଯିବା ଆସିବା କରିଥାନ୍ତି । ତେଣୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ନିମ୍ନମାନର କାର୍ଯ୍ୟ କରାଯାଇଥିବା ରାସ୍ତାଟିକୁ ତଦନ୍ତ କରାଯାଇ ପୁନର୍ବାର କାର୍ଯ୍ୟ କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି । ଏବିଷୟରେ ବିଭାଗୀୟ ସହକାରୀ ଯନ୍ତ୍ରୀ ରମାକାନ୍ତ ମିଶ୍ରଙ୍କୁ ପଚାରିବାରେ ରାସ୍ତା କାର୍ଯ୍ୟ ତଦନ୍ତ କରାଯାଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ