ମରାମତିର ୧ ମାସ ନପୁରୁଣୁ ପୋଲ ଉପରେ ଭାସିଲା ପାଣି, ସହରରେ ଯାତାୟାତ ଠପ୍
ଯୋଡ଼ା,(ସମୀର କୁମାର ଦାସ):ଯୋଡା ସହରର ମୁଖ୍ୟ ରାସ୍ତାରେ ଥିବା ସୁନାନଦୀ ପୋଲ ର ମରାମତିର ୧ ମାସ ନପୁରୁଣୁ ଯଥାପୂର୍ବଂ ତଥାପର ଅବସ୍ଥା ସୃଷ୍ଟି ହୋଇଛି । ଲଗାଣ ବର୍ଷା ଫଳରେ ସୁନାନଦୀର ପାଣି ପୋଲ ଉପରକୁ ଉଠି ନଥିଲେ ହେଁ , ପୋଲ ଉପରେ ଜଳନିଷ୍କାସନ ହୋଇନପାରି ଆଣ୍ଠୁଏ ପାଣି ଜମି ପୋଲରେ ଯାତାୟାତ ଠପ ହୋଇଯାଇଛି । ସାମାନ୍ୟ ବର୍ଷାରେ ମଧ୍ୟ ଏହି ଭଳି ଅବସ୍ଥା ହେଉଥିବା ସ୍ଥଳେ ଲଗାଣ ବର୍ଷାରେ ପୋଲ ଉପରେ ପାଣି ଜମିଯିବାରୁ ପାଦରେ ଚାଲିଯିବା ମଧ୍ୟ ଅସମ୍ଭବ ହୋଇଥିଲା । ଛୋଟବଡ ଯାନବାହାନ ପୋଲ ଅତିକ୍ରମ କରି ନପାରି ପୋଲର ଦୁଇ ପାଶ୍ୱର୍ରେ ଧାଡି ବାନ୍ଧି ଠିଆ ହୋଇଥିବା ଦେଖିବାକୁ ମିଳିଥିଲା । ପୋଲର ଏହି ଜରାଜୀର୍ଣ୍ଣ ଅବସ୍ଥା ପାଇଁ ଯୋଡା ବରିଷ୍ଠ ନାଗରିକ ମଂଚ ପକ୍ଷରୁ ଗତ ଜୁନ ମାସ ୧ ତାରିଖରେ ରାସ୍ତା ଓ ପୋଲର ଦୂରାବସ୍ଥାକୁ ନେଇ ଏକ ଧାରଣା ଦିଆଯାଇଥିଲା । ପ୍ରଶାସନର ପ୍ରତିଶ୍ରୁତି ମୁତାବିକ ପୋଲ ମରାମତି କରାଯାଇଥିଲା । ହେଲେ ୧ ମାସ ନପୁରୁଣୁ ପୋଲ ଉପରେ ଆଣ୍ଠୁଏ ପାଣି ଜମି ରହିବାରୁ ଏହାର ନିର୍ମାଣର ସ୍ୱଛତା ଉପରେ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ନାଗରିକ ମଂଚ ପକ୍ଷରୁ ଶିରିଶ ଚନ୍ଦ୍ର ମହାନ୍ତି ପ୍ରଶ୍ନ ଉଠାଇଛନ୍ତି | ଆହୁରି ମଧ୍ୟ କହିଛନ୍ତି ଯେ, ସରକାରଙ୍କର ପୁର୍ତ ବିଭାଗ ଅଧିନରେ ବହୁ ଦକ୍ଷ ଇଂଜିନିୟର ରହିଥିବା ବେଳେ ବିନା ଯୋଜନାରେ କିପରି ଏହି ପୋଲ ମରାମତି କାର୍ଯ୍ୟ କରାଗଲା , ଯାହା ଫଳରେ କି ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା କ୍ଷତି ହୋଇଥିବା ସେ ପ୍ରଶ୍ନ ଉଠାଇଛନ୍ତି । ଏନେଇ ପୁର୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ପିସି ରଥଙ୍କୁ ପଚାରିବାରୁ ସେ କହିଥିଲେ ଯେ, ବିଭାଗୀୟ ଅଧିକାରୀଙ୍କୁ ଜାଂଚ ପାଇଁ ପଠାଯିବ ଏବଂ ପୋଲ ଉପରୁ ଜଳ ନିଷ୍କାସନ ପାଇଁ ଥିବା କଣା ଗୁଡିକ ଜାମ୍ ହୋଇଯିବାରୁ ଏହା ହୋଇଥାଇପାରେ ବୋଲି ସେ କହିଥିଲେ ।