ମରାମତି ଆଳରେ ନିମ୍ନ ମାନର ପିଚ କାମ ଅଭିଯୋଗ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ରାସ୍ତା ମରାମତି ନାମରେ ଅତି ନିକୃଷ୍ଟ ମାନର ପିଚ କାମ ହେଉଥିବା ଅଭିଯୋଗ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ଭଣ୍ଡାରିପୋଖରୀ ବ୍ଲକ ନେରଡ଼ା ଠାରୁ ଆଖୁଆପଦା ଛକ ଯାଏଁ ଏବେ ବୈତରଣୀ ବାମ ପାର୍ଶ୍ୱ ବନ୍ଧର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। କାର୍ଯ୍ୟ ଆରମ୍ଭରୁ ଅତି ନିକୃଷ୍ଟ ମାନର ପିଚ କାମ ହେଉଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରାୟ ୩୩ଲକ୍ଷ ଟଙ୍କା ବ୍ୟୟ ହୋଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ଏଷ୍ଟିମେଣ୍ଟ ଅନୁସାରେ କାମ ହେଉନଥିବା ଜଣାଯାଇଛି। ଉକ୍ତ ନଦୀବନ୍ଧ ଦେଇ ରାତି ପାହିଲେ ଶହ ଶହ ଯାନବାହନ ଯାତାୟତ କରୁଥିବା ବେଳେ ନେରଡ଼ା, ଯଶୋଟିକିରି, ବନସ୍ତା, ଝୁଟୁଣା, ବନ୍ଦାଳୋ ପ୍ରମୁଖ ୧୦/୧୫ଖଣ୍ଡି ଗାଁର ଲୋକେ ଏହି ପଥ ଦେଇ ମୁଖ୍ୟ ରାସ୍ତାକୁ ଆସିଥାନ୍ତି। ସୁତରାଂ ଉକ୍ତ ନଦୀବନ୍ଧ ରାସ୍ତା ଶହ ଶହ ଜନସାଧାରଣଙ୍କ ଗମନାଗମନ ପାଇଁ ଗୁରୁତ୍ୱ ବହନ କରିଥାଏ। ପୂର୍ବେ ମାଟି ମୋରମ ମିଶା ବନ୍ଧ ରାସ୍ତାଟି ନିର୍ମାଣ ହୋଇଥିବା ବେଳେ ୬/୭ବର୍ଷ ହେବ ଜଳସମ୍ପଦ ବିଭାଗ ଏହାକୁ ନବୀକରଣରେ ରୂପାନ୍ତରିକରଣ କରି ପିଚ କାର୍ଯ୍ୟ କରିଥିଲା। ପରେ ଉକ୍ତ ବନ୍ଧ ରାସ୍ତାଟି ଜରାଜୀର୍ଣ୍ଣ ହୋଇ ପଡ଼ିଥିବା ବେଳେ ମରାମତି ଆବଶ୍ୟକ ପଡିବାରୁ ଚଳିତ ବର୍ଷ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇ ବନ୍ଧ ରାସ୍ତା ଉପରେ ପିଚ କାର୍ଯ୍ୟ ହେଉଛି। ସାଧାରଣତଃ ପିଚ କାର୍ଯ୍ୟ ଉପରେ ଦ୍ୱିତୀୟ ଥର ପିଚ ନିର୍ମାଣ ପାଇଁ ଦୁଇ ତିନି ଇଞ୍ଚ ମୋଟେଇ ଆବଶ୍ୟକ କରୁଥିବା ବେଳେ ଠିକାଦାର ଏବେ ସେଥିରେ ଏକ ଇଞ୍ଚରୁ କମ ପିଚ ଦେଇ କାମ କରୁଥିବା ଅଭିଯୋଗ ଆସିଛି। ଏପରିକି ପିଚ ସହିତ ବ୍ୟବହାର ହେଉଥିବା ରାସାୟନିକ ସାମଗ୍ରୀର ଅପରିମାଣ ଅତ୍ୟନ୍ତ କମ ଥିବାରୁ କାମ ଆରମ୍ଭରୁ ପିଚ ଉଠି ଯାଉଥିବା ଦେଖାଯାଇଛି। ବଜୁରୀ, ପିଚ, ରାସାୟନିକ ସାମଗ୍ରୀର ମିଶ୍ରଣର ଆନୁପାତିକ ଭାଗ ଠିକ ନଥିବାରୁ କାର୍ଯ୍ୟ ଅତି ନିକୃଷ୍ଟ ମାନର ହେଉଥିବା ଜଣାଯାଇଛି। ତେଣୁ ପିଚ ପଡିବାର କିଛି ଘଣ୍ଟା ପରେ ଏହା ବନ୍ଧ ଉପରୁ ଫଡା ଫଡା ହୋଇ ଉଠୁଥିବା ଦେଖିବାକୁ ମିଳିଛି। ଏନେଇ ସ୍ଥାନୀୟ ଲୋକେ ବିଭାଗୀୟ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ