ମରାମତି ପରେ ଉଡ଼ନ୍ତା ପୋଲତଳ ଆଉ ଜବରଦଖଲକୁ ନ ଯାଉ…

ବାଲେଶ୍ୱର, (ସରୋଜ ପଣ୍ଡା) :-ଉତ୍ତମ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଖୁବ କମଦିନରେ ନିର୍ମିତ ରାଜ୍ୟ ତଥା ଦେଶର ବହୁ ଉଡ଼ନ୍ତା ପୋଲ ଓ ପୋଲ ଭୁଶୁଡ଼ି ଯାଉଥିବା ବେଳେ ସିଭିଳ ସୋସାଇଟିର ଦୀର୍ଘ ଦଶବର୍ଷର ଲଗାତର ଉଦ୍ୟମରୁ ବାଲେଶ୍ୱର ଉଡ଼ନ୍ତା ପୋଲ ଏବେ ସୁରକ୍ଷିତ ଅବସ୍ଥାକୁ ଆସି ପାରିଛି ବୋଲି କର୍ମକର୍ତ୍ତାମାନେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଉଠା ଜଳସେଚନ କର୍ମଚାରୀ ସଂଘ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ସଂମ୍ପାଦକ ମନୋଜ ନାୟକ, ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ସାହୁଙ୍କ ସମେତ ପରମାନନ୍ଦ ପଣ୍ଡା, ସୀତାରାମ ପ୍ରଧାନ, ସୁଦର୍ଶନ ଦାସ ପ୍ରମୁଖ ଏଥିରେ ଯୋଗଦେଇ ମରାମତିର କେତେକ ତ୍ରୁଟି ଓ ଗୁଣବତ୍ତା ସମ୍ପର୍କରେ ସୂଚନା ଦେଇଥିଲେ । ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବା ପଶ୍ଚିମ ପାଶ୍ୱର୍ର ନିମ୍ନ ମାନର କାର୍ଯ୍ୟ ପ୍ରତି ବିଭାଗୀୟ ଅଧିକାରୀ ଓ ଜିଲା ପ୍ରଶାସନ ଧ୍ୟାନଦେବା ଅତ୍ୟନ୍ତ ଜରୁରୀ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ପୋଲ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ପୋଲ ତଳେ ଉଚ୍ଛେଦ ବ୍ୟବସାୟୀମାନେ ପୁଣି ବେଆଇନ ଦଖଲ କରିବା ନେଇ ସୋସାଇଟି କର୍ମକର୍ତ୍ତମାନେ ଆଶଙ୍କା ପ୍ରକାଶ କରିଛନ୍ତି । ତେଣୁ ଏଥିପ୍ରତି ମରାମତି ପରେ ପୋଲ ତଳକୁ ପୌରପରିଷଦ ପକ୍ଷରୁ ଗାଡ଼ିପାର୍କିଂ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ନିର୍ଦ୍ଧାରଣ କରିବା ଓ ଜନସାଧାରଣଙ୍କ ଯାତାୟତ ପାଇଁ ଅଦାଲତ ସମ୍ମୁଖ ପୋଲ ତଳେ ରାସ୍ତାକୁ ନବୀକରଣ କରିବା, ଅନ୍ୟ ସ୍ଥାନମାନଙ୍କରେ ସନ୍ଦର୍ଯ୍ୟକରଣ ନିମିତ୍ତ ସବୁଜ ଅଞ୍ଚଳ ସୃଷ୍ଟି କରିବା ଉଚିତ ବୋଲି ସିଭିଲ ସୋସାଇଟି ଓ ଓକିଲ ସଂଘ ଜିଲା ପ୍ରଶାସନକୁ ପ୍ରସ୍ତାବ ଦେଇଛି । ବାଲେଶ୍ୱରର ସଚେତନ ଜନଗଣ, ବୃହତର ସ୍ୱାର୍ଥଦୃଷ୍ଟିରୁ ଓଡ଼ିଶାର ଏହି ପ୍ରଥମ ଉଡ଼ନ୍ତା ପୋଲର ଭବିଷ୍ୟତ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ସିଭିଲ୍ ସୋସାଇଟି ପକ୍ଷରୁ ନିବେଦନ କରାଯାଇଛି । ଉକ୍ତ ମରାମତି କାର୍ଯ୍ୟପାଇଁ ଦୀର୍ଘ ୧୦ବର୍ଷର ଦାବି ଓ ଗଣତାନ୍ତ୍ରିକ ଆନ୍ଦୋଳନରେ ସହଯୋଗ କରିଥିବା ଜନସାଧାରଣଙ୍କୁ ସିଭିଲ୍ ସୋସାଇଟି ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ତେବେ ଉଡ଼ନ୍ତା ପୋଲର ମରାମତି ପାଇଁ ଓଡ଼ିଶା ହାଇକୋର୍ଟରେ ୨୩ଟି ଓ ସର୍ବୋଚ୍ଚ ଅଦାଲତରେ ଏବେ ବି ୪ଟି ମୋକଦ୍ଦମା ବିଚାରାଧୀନ ଅଛି । ଉକ୍ତ ମୋକଦ୍ଦମାରେ ଆବେଦନକାରୀ ବ୍ୟବସାୟୀମାନେ ସିଭିଲ ସୋସାଇଟିକୁ ପକ୍ଷଭୁକ୍ତ କରିଥିବାରୁ ମୋକଦ୍ଦମା ବାବଦରେ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି । ସମୂହ ସ୍ୱାର୍ଥରକ୍ଷା ପାଇଁ ସୋସାଇଟି କେବେ ପଛକୁ ହଟିନାହିଁ । ଆଗାମୀ ଦିନରେ ଏହିଭଳି ଜନ ସ୍ୱାର୍ଥରକ୍ଷା ପାଇଁ ଏହି ସଙ୍ଗଠନ ତା’ର ଉଦ୍ୟମ ଜାରି ରଖିବ ବୋଲି କର୍ମକର୍ତ୍ତାମାନେ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିଜୟ କୁମାର ବେହେରା, ଗଗନ କୁମାର ସେଠୀ, ରମଣୀ ରଂଜନ ଦାସ, ଧୀରଜ କୁମାର ଦାସ, ଡ. ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, କୁନାନନ୍ଦ ମିଶ୍ର, ନିରଞ୍ଜନ ପରିଡ଼ା, ଅଜିତ କୁମାର ବରାଳ, ଅଭୟ ଦାସ, ଶରତ ଚନ୍ଦ୍ର ଦଳାଇ ଓ ଶ୍ୟାମସୁନ୍ଦର ଜେନା ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ