ମରୁଆ- କୁଆଡ଼ ରାସ୍ତା ନିର୍ମାଣ ଦାବି
ହାଟଡିହି, (ବିକାଶ ବିଶ୍ୱାଳ):ସମଣା ପଞ୍ଚାୟତର ମରୁଆ ଆରଡି ରାସ୍ତା ଠାରୁ କୁଆଡ ଦେଇ ଗୋବିନ୍ଦପୁର ପର୍ଯ୍ୟନ୍ତ ଯାଇଥିବା ରାସ୍ତାଟି ବିପର୍ଯ୍ୟସ୍ତ ହୋଇପଡ଼ିଛି। | ରକ୍ଷଣା ବେକ୍ଷଣ ଅଭାବରୁ ରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇଛି। ଫଳରେ ଲୋକମାନେ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାର ବିଭିନ୍ନ ଗାଁ କୁ ପକ୍କା ରାସ୍ତା ଯୋଗାଇ ଦେଉଥିବା ଡିଡିମ୍ବ ପିଟୁଥିବାବେଳେ ମରୁଆ ଠାରୁ କୁଆଡ ରାସ୍ତାଟି ପ୍ରତି କାହାର ଦୃଷ୍ଟିପଡ଼ୁନି। ଏହି ରାସ୍ତା ଉପରେ କୁଆଡ, ଗୋବିନ୍ଦପୁର, ସରିଦା ଆଦି ଗାଁର ୨ହଜାରରୁ ଊର୍ଦ୍ଧ ଲୋକ ନିର୍ଭର କରୁଛନ୍ତି। କିଛି ବର୍ଷ ତଳେ ରାସ୍ତାଟି ମନରେଗା ଯୋଜନାରେ ନିର୍ମାଣ କରାଯାଇ ଥିବାବେଳେ ପରବର୍ତ୍ତି ସମୟରେ ଏହାକୁ ମରାମତି କରାଯାଇନାହିଁ । ଫଳରେ ସାମାନ୍ୟ ବର୍ଷା ହେଲେ ଲୋକମାନେ କାଦୁଅ ପାଣିରେ ନାହିଁ ନଥ୍ବା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଆମ୍ବୁଲାନ୍ସଟିଏ ଗାଁ କୁ ଯିବା କଷ୍ଟକର ହୋଇପଡ଼ୁଛି । ରାସ୍ତାକାମ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ବ୍ଲକ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଜିଲାପାଳଙ୍କ ଅଭିଯୋଗା ଶୁଣାଣିରେ ଅଭିଯୋଗ କରିଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନର ଦୃଷ୍ଟି ପଡୁନାହିଁ। ସରପଞ୍ଚ ଜଗବନ୍ଧୁ କାଣ୍ଡିଙ୍କୁ ପଚାରିବାରୁ ପୁର୍ବ ସରପଞ୍ଚଙ୍କ ସମୟରେ ରାସ୍ତାଟି ମନରେଗା ଯୋଜନାରେ ନିର୍ମାଣ ହୋଇଥିଲା। ଏବେ ସେହି ରାସ୍ତା ପାଇଁ ଅନୁଦାନ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଉଛି । କିନ୍ତୁ ଉକ୍ତ ରାସ୍ତାଟିକୁ ଗ୍ରାମ୍ୟଉନ୍ନୟନ ବିଭାଗରେ ଅନ୍ତର୍ଭୁକ୍ତ କରାଯାଇ ପାରନ୍ତା ତେବେ ଉନ୍ନତ ମାନର ରାସ୍ତା ନିର୍ମାଣ ହୋଇ ପାରନ୍ତା ବୋଲି ଗ୍ରାମବାସୀ ମାନେ କହିଛନ୍ତି ।


